ପୁଣି ଗତିପଥ ବଦଳାଇଲା ମଙ୍ଗଳା ମୁହାଣ । ପୁରୀ ବେଳାଭୂମି ଆଡ଼କୁ ନୂଆ ମୁହଁ ।

ବାତ୍ୟା ଦାନା ପ୍ରଭାବରେ ମେଲିଲା ମଙ୍ଗଳା ମୁହାଣ । ଉଚ୍ଚ ଜୁଆର ଯୋଗୁଁ ବାଲୁକାରାଶି ଜମା ହୋଇ ମୁହାଣର ସଳଖ ଗତିପଥକୁ ଅବରୋଧ କରିବା ଯୋଗୁ ଅନ୍ୟ ଏକ ମୁହଁ ବେଳାମାର୍ଗ ଆଡ଼କୁ ମୁହାଁଇଛି ।

vlcsnap-2024-10-25-20h45m23s069

କନକ ବ୍ୟୁରୋ: ବାତ୍ୟା ଦାନା ପ୍ରଭାବରେ ମେଲିଲା ମଙ୍ଗଳା ମୁହାଣ । ପୁରୀରେ ବାତ୍ୟାର ଏତେଟା ପ୍ରଭାବ ପଡି ନଥିବା ସତ୍ତ୍ୱେ ମୁହାଣର ଗତିପଥ ଉପରେ ପ୍ରଭାବ ପଡିଛି । ଉଚ୍ଚ ଜୁଆର ଯୋଗୁଁ ବାଲୁକାରାଶି ଜମା ହୋଇ ମୁହାଣର ସଳଖ ଗତିପଥକୁ ଅବରୋଧ କରିବା ଯୋଗୁ ଅନ୍ୟ ଏକ ମୁହଁ ବେଳାମାର୍ଗ ଆଡ଼କୁ ମୁହାଁଇଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ । 

ଦାନା ଯିବା ପରେ ପୁଣି ପୁରୀର ମଙ୍ଗଳା ମୁହାଣକୁ ନେଇ ଚିନ୍ତା ବଢିଛି। ଉଚ୍ଚ ଜୁଆର ଯୋଗୁଁ ମୁହାଣର ଗତିପଥରେ ବାଲୁକା ରାଶି ଜମା ହେବାରୁ ନଦୀର ଗତିପଥ ପରିବର୍ତ୍ତନ ହୋଇଛି । ବାଲୁକା ଝଡ ଯୋଗୁଁ ଜମା ହୋଇଥିବା ବାଲି ଏବେ ମଙ୍ଗଳା ନଦୀ ଓ ସମୁଦ୍ରର ମିଳନ ସ୍ଥାନକୁ ଅବରୋଧ କରିଛି । ଗତିପଥ ବାମ ମୁହାଁ ହୋଇ ବେଳାମାର୍ଗ ବା ସହରମୁହାଁ ହୋଇଛି । ମଙ୍ଗଳା ନଦୀର ଜଳସହ ସମୁଦ୍ରର ଉଛୁଳା ଜଳରାଶି ଏବେ ବେଳାଭୂମି ମୁହାଁ ହୋଇଛି । ଏବେଠୁ ନିୟନ୍ତ୍ରଣ କରାନଗଲେ ପୁଣି କୂଳ ଲଙ୍ଘିବାର ସମ୍ଭାବନା ରହିଥିବା କହିଛନ୍ତି ବୁଦ୍ଧିଜୀବୀ । 
 
ଏଭଳି ଅବକ୍ଷୟ ପାଇଁ ମନୁଷ୍ୟ ଦାୟୀ ବୋଲି ମଧ୍ୟ କହିଛନ୍ତି ବୁଦ୍ଧିଜୀବୀ ଓ ପରିବେଶବିତ । କୁଢ଼କୁଢ଼ ଆବର୍ଜନା ଏହାର ଗତିପଥରେ ବାଧକ ସାଜିଛି ।  ମଙ୍ଗଳା ନଦୀ ଧିରେଧିରେ ବିଷାକ୍ତ ହୋଇଯାଉଛି । ଏଠିକାର ଗନ୍ଧମୟ ପରିବେଶ ପର୍ୟ୍ୟଟକଙ୍କ ପାଇଁ ତିକ୍ତ ଅନୁଭୂତି ଆଣୁଛି । ସେପଟେ ଏହାର ପ୍ରଦୂଷିତ ଜଳରାଶି ସାମୁଦ୍ରିକ ଜୀବନ ପ୍ରତି ବିପଦ ଆଣିବ ବୋଲି ମଧ୍ୟ କହିଛନ୍ତି ଆଗନ୍ତୁକ । ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ଏହାର ତଦାରଖ କରାଯାଇଛି ଏବଂ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରି ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ କହିଛନ୍ତି ପୁରୀ ଜିଲ୍ଲାପାଳ ।
 
ବନ୍ୟା ଯୋଗୁ ମୁହାଣର ଗତିପଥରେ ସାମାନ୍ୟ ପରିବର୍ତ୍ତନ ଦେଖାଦିଏ । ମାତ୍ର ବାତ୍ୟା ପ୍ରଭାବରେ ଏଭଳି ଗତି ପରିବର୍ତ୍ତିତ ହେବା ପୂର୍ବରୁ ଦେଖବାକୁ ମିଳିନଥିଲା । ଯଦି ସମସ୍ୟା ସମାଧାନ ଦିଗରେ ଯଥାଶୀଘ୍ର ପଦକ୍ଷେପ ନିଆନଯାଏ ଆଗକୁ ସ୍ଥିତି ସଙ୍କଟାପନ୍ନ ହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe