କନକ ନ୍ୟୁଜ୍ : ପାଖାପାଖି ୧ ଶତାବ୍ଦୀ ଧରି ଗୋରା ସରକାରଙ୍କ ସହ ଲଢ଼େଇ କରିବା ପରେ ଭାରତକୁ ଇଂରେଜମାନଙ୍କ ଠାରୁ ମୁକ୍ତି ମିଳିଥିଲା । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ବାଧୀନତାର ସ୍ବାଦ ଚାଖିଥିଲା । ଏହି ସଂଗ୍ରାମରେ କୋଟି କୋଟି ସଂଗ୍ରାମୀ ଲାଠିମାଡ଼ ଖାଇ ଜେଲ୍ ଯାଇଥିଲେ କିନ୍ତୁ ଦେଶର ଗାରିମାକୁ ନତମସ୍ତକ ହେବାକୁ ଦେଇନଥିଲେ । ଯେଉଁ ବୟସର ଯୁବକ ଆଜିକାଲି ବାଇକ ଧରି ବାଳୁଙ୍ଗାମି କରୁଛନ୍ତି ସେହି ବୟସରେ କେତେ ଯେ ଯୁବବର୍ଗ ସେତେବେଳେ ଛାତିରେ ଗୁଳି ଖାଇଥିଲେ । ତେବେ ଆଉ ଦିନ କେଇଟା ପରେ ଦେଶ ପାଳିବ ୭୯ ତମ ସ୍ବାଧୀନତା ଦିବସ । ଆଉ ଇତ୍ୟ ଅବସରରେ ଆସନ୍ତୁ ସେଭଳି ୫ ଯୁବକଙ୍କ ବିଷୟରେ ଜାଣିବା ଯେଉଁମାନେ କମ୍ ବୟସରୁ ହିଁ ଦେଶ ପାଇଁ ବଳିଦାନ ଦେଇ ସହିଦ ହୋଇଥିଲେ ଏବଂ ଇତିହାସର ପୃଷ୍ଠାରେ ସ୍ବାଧୀନତା ସଂଗ୍ରାମୀର ଛାପ ଛାଡ଼ି ଯାଇଥିଲେ ।
/filters:format(webp)/kanak/media/media_files/2025/08/10/mangala_pandey-2025-08-10-10-53-20.jpg)
ମଙ୍ଗଳ ପାଣ୍ଡେ : ଉତ୍ତରପ୍ରଦେଶର ବାଲିଆ ଜିଲ୍ଲାର ନଗୱା ଗାଁରେ ଜନ୍ମିତ ମଙ୍ଗଳ ପାଣ୍ଡେ ସ୍ୱାଧୀନତା ସଂଗ୍ରାମର ପ୍ରଥମ ହିରୋ । ୧୮୪୯ ମସିହାରେ ମଙ୍ଗଳଙ୍କୁ ଯେତେବେଳେ ୨୨ ବର୍ଷ ହୋଇଥିଲା ସେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ସେନାରେ ସାମିଲ ହୋଇଥିଲେ । ମଙ୍ଗଳ ପଶ୍ଚିମବଙ୍ଗର ବାରାକପୁରର ସୈନିକ ଛାଉଣିରେ ୩୪ତମ ବଙ୍ଗାଳ ନେଟିଭ ଇନଫ୍ୟାଣ୍ଟ୍ରିର ପଦାତିକ ସେନାରେ ଜଣେ ସିପାହୀ ଥିଲେ । ଯେଉଁଠାରେ ଗାଈ ଏବଂ ଘୁଷୁରିର ଚର୍ବି ଲାଗିଥିବା ରାଇଫଲର ନୂଆ କାର୍ତ୍ତୁସର ବ୍ୟବହାର ଆରମ୍ଭ ହେଲା । ଏହି କାର୍ତ୍ତୁସକୁ ପାଟିରେ ଛିଡ଼ାଇ ବ୍ୟବହାର କରିବାକୁ ପଡୁଥିଲା ଫଳରେ ହିନ୍ଦୁ ଏବଂ ମୁସଲମାନ ସୈନିକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିଗଲା । ଫେବୃଆରୀ ୯ ତାରିଖ ୧୮୫୭ରେ ମଙ୍ଗଳ ପାଣ୍ଡେ ଏହି କାର୍ତ୍ତୁସର ବ୍ୟବହାର କରିବାକୁ ମନା କରିଥିଲେ ଯାହାକୁ ଇଂରେଜଙ୍କ ଆଜ୍ଞାର ଅନୁଶାସନହୀନତା ବୋଲି ମନେ କରାଗଲା । ୨୯ ମାର୍ଚ୍ଚ ୧୮୫୭ ରେ ଇଂରେଜ ଅଫିସର ମେଜର ହ୍ୟୁସନ ମଙ୍ଗଳ ପାଣ୍ଡେଙ୍କୁ ରାଇଫଲ ଚଲାଇବାକୁ ବାଧ୍ୟ କରିଥିଲେ ଯେଉଁଥିରେ ରାଗି ଯାଇ ମଙ୍ଗଳ ହ୍ୟୁସନ ଏବଂ ଇଂରେଜ ଅଧିକାରୀ ଲେଫ୍ଟନାଣ୍ଟ ବବଙ୍କୁ ମାରିଦେଲେ । ଏହା ସହିତ ମଙ୍ଗଳ ପାଣ୍ଡେ ଇଂରେଜମାନଙ୍କ ବିରୁଦ୍ଧରେ ଏକ ଯୁଦ୍ଧ ମଧ୍ୟ ଘୋଷଣା କରିଦେଲେ । ଇଂରେଜମାନଙ୍କୁ ମାରିବା କାରଣରୁ ତାଙ୍କୁ ୮ ଏପ୍ରିଲ ୧୮୫୭ରେ ମାତ୍ର ୩୦ ବର୍ଷ ବୟସରେ ଫାଶୀ ଦିଆଗଲା । ମଙ୍ଗଳ ପାଣ୍ଡେଙ୍କ ମୃତ୍ୟୁର କିଛି ସମୟ ପରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଗଲା, ଯାହାକୁ ୧୮୫୭ର ବିଦ୍ରୋହ ବୋଲି ମଧ୍ୟ କୁହାଯାଏ ।
/filters:format(webp)/kanak/media/media_files/2025/08/10/bhagat_singh-2025-08-10-10-53-56.jpg)
ଭଗତ ସିଂ : ବର୍ଷ ଏବଂ ତାରିଖ ହେଉଛି ୧୯୦୭ ମସିହା ସେପେମ୍ବର ୨୮ ତାରିଖର । ପଞ୍ଜାବର ଲାୟଲପୁର ଜିଲ୍ଲାର ବଙ୍ଗାରେ କିଶନ ସିଂ ଏବଂ ବିଦ୍ୟାବତୀଙ୍କ ପୁଅ ଜନ୍ମ ହେଲେ ନାଁ ରଖିଲେ ଭଗତ ସିଂ । ଯିଏ ମାତ୍ର ୨୩ ବର୍ଷ ବୟସରେ ସ୍ଵାଧୀନତା ପାଇଁ ହସି ହସି ଫାଶୀ ଖୁଣ୍ଟରେ ଝୁଲି ଯାଇଥିଲେ । ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ଭଗତ ସିଂଙ୍କ ଜୀବନ ଉପରେ ବହୁତ ପ୍ରଭାବ ପକାଇଥିଲା । ଏହାପରେ ସେ ଲାହୋରର ନ୍ୟାସନାଲ୍ କଲେଜରେ ପାଠପଢ଼ା ଛାଡ଼ି ନୌଜୱାନ ଭାରତ ସଭା ଆରମ୍ଭ କଲେ ଏବଂ ସ୍ଵାଧୀନତାର ଲଢେଇରେ ଡେଇଁ ପଡ଼ିଲେ । ୧୯୨୨ ଚୌରୀଚୌରା କାଣ୍ଡରେ ଯେତେବେଳେ ମହାତ୍ମା ଗାନ୍ଧୀ ଗ୍ରାମବାସୀଙ୍କ ସହଯୋଗ କଲେ ନାହିଁ ସେତେବେଳେ ଭଗତ ସିଂ ନିରାଶ ହୋଇଗଲେ ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ଗଦର ଦଳରେ ସାମିଲ ହୋଇ ଲଢ଼େଇ କଲେ । ଏହାପରେ କାକୋରୀ କାଣ୍ଡରେ ରାମ ପ୍ରସାଦ ବିସ୍ମିଲ ସମେତ ଚାରି ଜଣ କ୍ରାନ୍ତିକାରୀଙ୍କୁ ଫାଶୀ ଏବଂ ୧୬ ଜଣଙ୍କୁ ଆଜୀବନ କାରାଦଣ୍ଡ ମିଳିବା ପରେ ଭଗତ ସିଂ ଆହୁରି ରାଗିଗଲେ । ଏହାପରେ ସେ ଚନ୍ଦ୍ରଶେଖର ଆଜାଦଙ୍କ ହିନ୍ଦୁସ୍ତାନ ରିପବ୍ଲିକାନ ଆସୋସିଏସନକୁ ହିନ୍ଦୁସ୍ତାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ ରୂପେ ବଦଳାଇ ଦେଲେ । ଏହାର ଉଦ୍ଦେଶ୍ୟ ସ୍ଵାଧୀନତା ପାଇଁ ନୂଆ ଯୁବକମାନଙ୍କୁ ପ୍ରସ୍ତୁତ କରିବା ଥିଲା । ସେ ରାଜଗୁରୁଙ୍କ ସହିତ ମିଶି ୧୯୨୮ରେ ଲାହୋରରେ ସହାୟକ ପୁଲିସ ଅଧିକ୍ଷକ ରହିଥିବା ଇଂରେଜ ଅଧିକାରୀ ଜେପି ସାଣ୍ଡର୍ସଙ୍କୁ ମାରି ଥିଲେ । ଏହାପରେ ଭଗତ ସିଂ କ୍ରାନ୍ତିକାରୀ ବଟୁକେଶ୍ୱର ଦତ୍ତଙ୍କ ସହିତ ମିଶି ନୂଆ ଦିଲ୍ଲୀ ସ୍ଥିତ ବ୍ରିଟିଶ ଭାରତର ତତ୍କାଳୀନ ସେଣ୍ଟ୍ରାଲ ଆସେମ୍ବଲିର ସଭାଗୃହରେ ବୋମା ଫିଙ୍ଗିବା ସହିତ କ୍ରାନ୍ତିକାରୀ ନାରା ଲଗାଇ ସ୍ଵାଧୀନତାର କାଗଜ ଉଡ଼ାଇଥିଲେ । ଏହାକୁ ସଫଳ କରିବା ପରେ ଭଗତ ସିଂ ଦୌଡ଼ି ନଥିଲେ ବରଂ ଗିରଫ ହୋଇଥିଲେ । ତାଙ୍କ ଉପରେ ‘ଲାହୋର ଷଡଯନ୍ତ୍ର’ର ମକଦ୍ଦମା ଚାଲିଲା ଏବଂ ୨୩ ମାର୍ଚ୍ଚ, ୧୯୩୧ ରାତିରେ ତାଙ୍କୁ ଇଂରେଜ ସରକାର ଫାଶୀ ଦେଇଦେଲେ । ସେତେବେଳେ ତାଙ୍କୁ ମାତ୍ର ୨୩ ବର୍ଷ ହୋଇଥିଲା ।
/filters:format(webp)/kanak/media/media_files/2025/08/10/chandra-sekhar-azad-2025-08-10-10-54-45.jpg)
ଚନ୍ଦ୍ରଶେଖର ଆଜାଦ : ୧୯୦୬ ମସିହା ଜୁଲାଇ ୨୩ ତାରିଖରେ ମଧ୍ୟପ୍ରଦେଶର ଅଲିରାଜପୁର ସ୍ଥିତ ଭାବରାରେ ଚନ୍ଦ୍ରଶେଖର ଆଜାଦଙ୍କର ଜନ୍ମ ହୋଇଥିଲା । ଯାହାଙ୍କ ପୂରା ନାମ ଥିଲା ଚନ୍ଦ୍ରଶେଖର ତିୱାରୀ , କେହି କେହି ତାଙ୍କୁ ଆଜାଦ ବୋଲି ମଧ୍ୟ ଡାକୁଥିଲେ । ୧୪ ବର୍ଷ ବୟସରେ ସେ ମଧ୍ୟପ୍ରଦେଶରୁ ବନାରସ ଆସି ସଂସ୍କୃତ ପାଠଶାଳାରେ ଶିକ୍ଷାଗ୍ରହଣ କରିଥିଲେ । ଏହିଠାରୁ ହିଁ ସେ ଆଇନ ଭଙ୍ଗ ଆନ୍ଦୋଳନରେ ମିଶିଥିଲେ । ୧୯୨୦-୨୧ରେ ଆଜାଦ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନରେ ଯୋଡ଼ି ହୋଇ ପରେ କ୍ରାନ୍ତିକାରୀ ନିଷ୍ପତ୍ତି ନେଲେ । ୧୯୨୬ରେ କାକୋରୀ ଟ୍ରେନ କାଣ୍ଡ, ତା’ପରେ ଭାଇସରାୟଙ୍କ ଟ୍ରେନକୁ ଉଡ଼ାଇବାର ପ୍ରୟାସ, ୧୯୨୮ରେ ଲାଲା ଲଜପତ ରାୟଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସାଣ୍ଡର୍ସଙ୍କ ଉପରେ ସେ ଗୁଳି ଚଳାଇଥିଲେ । ଯେତେବେଳେ ସେ ଜେଲ ଯାଇଥିଲେ ସେଠାରେ ସେ ନିଜର ନାମ ‘ଆଜାଦ’, ପିତାଙ୍କ ନାମ ‘ସ୍ଵତନ୍ତ୍ରତା’ ଏବଂ ‘ଜେଲ’କୁ ତାଙ୍କର ନିବାସ ବୋଲି କହିଥିଲେ । ୨୭ ଫେବୃଆରୀ ୧୯୩୧ରେ ପ୍ରୟାଗରାଜର ଆଲଫ୍ରେଡ ପାର୍କରେ ସେ ନିଜର କ୍ରାନ୍ତିକାରୀ ସାଥୀଙ୍କ ସହ କଥାବାର୍ତ୍ତା ହେଉଥିବା ସମୟରେ ଗୁପ୍ତ ଖବର ପାଇ ସିଆଇଡିର ଏସଏସପି ନଟ ବାବର ଜିପରେ ଆସି ପହଞ୍ଚିଗଲେ । ଆଜାଦଙ୍କୁ ଚାରିଆଡୁ ଘେରି ତାଙ୍କ ଉପରେ ଗୁଳିବର୍ଷା ଆରମ୍ଭ କରିଦେଲେ । ଏହି ଗୁଳିକାଣ୍ଡରେ ୩ ଜଣ ପୁଲିସଙ୍କ ଜୀବନ ଯାଇଥିଲା । ଲଢ଼େଇ କରି କରି ଆଜାଦଙ୍କ ପାଖରେ ଯେତେବେଳେ ଗୋଟିଏ ଗୁଳି ବଞ୍ଚିଲା ସେ ନିଜ ଗୁଳିରେ ନିଜେ ମରିବା ଶ୍ରେୟସ୍କର ଭାବି ଗୁଳି କଲେ ଏବଂ ୨୫ ବର୍ଷ ବୟସରେ ସହିଦ ହେଲେ ।
/filters:format(webp)/kanak/media/media_files/2025/08/10/rajguru-2025-08-10-10-55-45.jpg)
ରାଜଗୁରୁ : ହସି ହସି ଫାଶୀ ଖୁଣ୍ଟରେ ଚଢ଼ିଯିବା ଯୁବ କ୍ରାନ୍ତିକାରୀମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ରାଜଗୁରୁ । ୧୯୦୮ ଅଗଷ୍ଟ ୨୪ ରେ ପୁଣେର ଖେଡା ଗାଁରେ ଜନ୍ମିତ ରାଜଗୁରୁଙ୍କ ପୂରା ନାଁ ଶିବରାମ ହରି ରାଜଗୁରୁ ଥିଲା । ବାରାଣସୀରେ ପାଠ ପଢ଼ିବା ସମୟରେ ସେ ଚନ୍ଦ୍ରଶେଖର ଆଜାଦଙ୍କ ହିନ୍ଦୁସ୍ତାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ ସହିତ ଯୋଡ଼ି ହୋଇଗଲେ । ଇଂରେଜ ଅଫିସର ସଣ୍ଡର୍ସଙ୍କ ହତ୍ୟାରେ ରାଜଗୁରୁ ମଧ୍ୟ ସାମିଲ ଥିଲେ । ଆସେମ୍ବଲିରେ ବୋମା ଫୁଟାଇବାରେ ମଧ୍ୟ ତାଙ୍କର ହାତ ଥିଲା । ମାତ୍ର ୨୩ ବର୍ଷ ବୟସରେ ୧୯୩୧ ମସିହାରେ ଭଗତ ସିଂ ଏବଂ ସୁଖଦେବଙ୍କ ସହିତ ରାଜଗୁରୁଙ୍କୁ ମଧ୍ୟ ଫାଶୀ ଦିଆଗଲା ।
/filters:format(webp)/kanak/media/media_files/2025/08/10/sukhdev-thapar-2025-08-10-10-56-22.jpg)
ସୁଖଦେବ : ୧୯୦୭ ମେ ୧୫ ରେ ପଞ୍ଜାବର ଲୁଧିଆନା ସହରରେ ସୁଖଦେବ ଥାପରଙ୍କ ଜନ୍ମ ହୋଇଥିଲା । ଲାଲା ଲଜପତ ରାୟଙ୍କ ଦ୍ଵାରା ପ୍ରଭାବିତ ସୁଖଦେବ ଚନ୍ଦ୍ରଶେଖର ଆଜାଦଙ୍କ ଦଳରେ ସାମିଲ ହୋଇଥିଲେ । ଲାଲାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ଏହି ଦଳର ଉଦ୍ଦେଶ୍ୟ ଥିଲା । ଜେଲରେ ରହି ମଧ୍ୟ ସୁଖଦେବ ରାଜନୈତିକ ବନ୍ଦୀମାନଙ୍କ ସହିତ କରାଯାଉଥିବା ବ୍ୟବହାର ବିରୁଦ୍ଧରେ ଆନ୍ଦୋଳନ କରିଥିଲେ । ୨୩ ମାର୍ଚ୍ଚ ୧୯୩୧ରେ ଭଗତ ସିଂ, ରାଜଗୁରୁଙ୍କ ସହିତ ସୁଖଦେବଙ୍କୁ ମଧ୍ୟ ଫାଶୀ ଦିଆଗଲା । ଫାଶୀ ବେଳକୁ ସୁଖଦେବଙ୍କ ବୟସ ମଧ୍ୟ ମାତ୍ର ୨୩ ବର୍ଷ ଥିଲା ।