କନକ ବ୍ୟୁରୋ : ସବୁ ଚାଷୀଙ୍କ ଧାନ କିଣିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ବି ସ୍ବାଭାବିକ ହେଉନି ମଣ୍ଡି । ଧାନ ଅମଳ କରିବା ପରେ ବିକ୍ରି କରିବାକୁ ସଂଘର୍ଷ କରୁଛନ୍ତି। କେଉଁଠି ଟୋକନ ମିଳିନି ତ କେଉଁଠି ଟାର୍ଗେଟ ଶେଷ ହୋଇଯିବାରୁ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ। ଯିଏ ବିକ୍ରି କରୁଛନ୍ତି ସେମାନେ କଟନିଛଟନିର ଶିକାର ହେଉଛନ୍ତି । 

Advertisment

ଚାଷ ଜମିରେ ଝାଳ ବୁହାଇ ଧାନ ଅମଳ କରିବା ପରେ ଏବେ ବିକ୍ରି କରିବାକୁ ସଂଘର୍ଷ କରୁଛି ଅନ୍ନଦାତା। ମିଲର୍ସଙ୍କ ମନମାନି ଯୋଗୁଁ ଗଦା ହୋଇଛି ଶହ ଶହ ଧାନ ବସ୍ତା। କିନ୍ତୁ ଟାର୍ଗେଟ ପୂରଣ ହୋଇଯାଇଥିବା ଆଳରେ ଧାନ ଉଠାଉ ଯାଉନି। ଯେଉଁଠି ଧାନ ଉଠୁଛି ସେଠି କୁଇଣ୍ଟାଲ ପିଛା ୪ରୁ ୫କିଲୋ କଟନିଛଟନି ହେଉଛି। ଅଖା ଓଜନ ବାବଦକୁ ବି ୫ଶହରୁ ୬ଶହ ଗ୍ରାମ୍‌ କଟାଯାଉଛି। ଅଖା ପଇସା ବି ମିଳୁନି। ଅନ୍ୟପଟେ କିଛି ଚାଷୀଙ୍କ ଟୋକନ ଅବଧି ସରି ସରି ଆସୁଥିବାବେଳେ ଆଉ କେତେ ଜଣ ଚାଷୀଙ୍କୁ ଏପର୍ଯ୍ୟନ୍ତ  ଟୋକନ ମିଳିନି। ମାଲକାନଗିରି, ଜୟପୁର, ପଦ୍ମପୁର, ପିପିଲି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡି ଅବ୍ୟବସ୍ଥା ଲାଗି ରହିଥିବାରୁ ବଢ଼ୁଛି ଚାଷୀ ଅସନ୍ତୋଷ। 

ଅଧିକ ପଢ଼ନ୍ତୁ : ସରକାର ଓ ମିଲର୍ସ କଳି ତୁଟିବା ପରେ ବି ସ୍ୱାଭାବିକ ହେଉନି ମଣ୍ଡି, କଟନି ଛଟନି ଓ ଟୋକନ ସମସ୍ୟାକୁ ନେଇ ଘାଣ୍ଟି ହେଉଛନ୍ତି ଚାଷୀ

କଟନିଛଟନି, ଟୋକନ ଟେନସନ, ମିଲର୍ସଙ୍କ ମନମାନି ବିରୋଧରେ ଚାଷୀ ଅସନ୍ତୋଷ ବଢ଼ୁଥିବାବେଳେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ସଙ୍ଗଠନ । ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ବରଗଡରେ ବିଶାଳ ସମାବେଶ କରି ଗର୍ଜିଛି ବିଜେଡି।  ଢ଼େଙ୍କାନାଳରେ ଧାନ କିଣାରେ ହେରଫେର ଅଭିଯୋଗ ଆଣି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧାନ ବସ୍ତା ରଖି ପ୍ରତିବାଦ କରାଯାଇଛି। ତେବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କହିଛନ୍ତି ସ୍ବତନ୍ତ୍ର ଟିମ୍‌ ଗଠନ ହୋଇ ମଣ୍ଡିଗୁଡ଼ିକର ଯାଞ୍ଚ କରାଯିବ କ୍ଷ 

 ସବୁଠୁ ବଡ କଥା ହେଉଛି, ହନ୍ତସନ୍ତ ହେଉଥିଲେ ବି ଭୟରେ ମୁହଁ ଖୋଲି କହିପାରୁନାହାନ୍ତି ଚାଷୀ। ପ୍ରଶ୍ନ ଉଠୁଛି, ମିଲର୍ସଙ୍କ ମନମୁଖୀ ଶାସନ, ସରକାର କାହିଁକି ଚୁପ୍‌?