କନକ ବ୍ୟୁରୋ : ଏବେ ଟ୍ରେଣ୍ଡ୍ ପାଲଟିଛି ମାଣ୍ଡିଆ ଖାଦ୍ୟ ସାମଗ୍ରୀ। ବଜାରରେ ମାଣ୍ଡିଆରୁ ପ୍ରସ୍ତୁତ ଚକୋଲେଟ୍, କେକ୍, ବରା, ପକୋଡ଼ି, ଆରିସା, କାକରା, ସେଓ ଏବଂ ଲଡୁ ଆଦି ଭଲ ବିକ୍ରି ହେଉଛି । ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ପାଇଁ ଲୋକଙ୍କ ଆଗ୍ରହ ବଢ଼ୁଛି । ମାଣ୍ଡିଆରେ ରହିଛି ଶରୀର ପାଇଁ ବହୁ ଉପାଦେୟ ଗୁଣ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଛାମୁଣ୍ଡିଆପଲ୍ଲୀ ବାଲୁଙ୍କେଶ୍ୱର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାଣ୍ଡିଆ ସାମଗ୍ରୀ ପ୍ରସ୍ତୁତ କରି ସ୍ବାବଲମ୍ବୀ ହୋଇଛନ୍ତି । ଫୁଲବାଣୀ ଓ କୋରାପୁଟ ଅଞ୍ଚଳରୁ ମାଣ୍ଡିଆ ଆଣି ମହିଳାମାନେ ବନାଉଛନ୍ତି ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ । ଯାହା ବଜାରରେ ବେଶ୍ ଆଦୃତି ଲାଭ କରିଛି ।
ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ମାଣ୍ଡିଆ ଲଡୁ ଦେବା ପାଇଁ ଘୋଷଣା ପରେ ମହିଳାମାନଙ୍କୁ ଆଉ ତର ନାହିଁ । ବିଭିନ୍ନ ବିଦ୍ୟାଳୟରୁ ଆସୁଛି ମାଣ୍ଡିଆ ଲଡୁର ଅର୍ଡର । ଯାହା ମହିଳାଙ୍କ ଆଗ୍ରହକୁ ଦ୍ୱିଗୁଣିତ କରିଛି ।
ମାଣ୍ଡିଆକୁ ଦିନେ ଗରିବ ଲୋକଙ୍କ ଖାଦ୍ୟ କୁହାଯାଉଥିଲା । ଆଦିବାସୀ ଅଞ୍ଚଳରେ ପ୍ରଚୁର ମାଣ୍ଡିଆ ଅମଳ ହେଉଥିବାରୁ ସେହି ଅଞ୍ଚଳର ଲୋକଙ୍କ ଏହା ପ୍ରଧାନ ଖାଦ୍ୟ ବୋଲି କୁହାଯାଉଥିଲା । ଏବେ ମାଣ୍ଡିଆ ପ୍ରାୟ ସମସ୍ତଙ୍କ ପସନ୍ଦର ଖାଦ୍ୟ ପାଲଟିଛି।