କନକ ବ୍ୟୁରୋ : ମଣ୍ଡି ସମସ୍ୟା ନେଇ ସପ୍ତାହେ ଧରି ବିଧାନସଭା କମ୍ପିଲା। ବିରୋଧୀଙ୍କ ହଙ୍ଗାମାରେ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଧୋଇଗଲା । ସଡକରେ ହୋହାଲ୍ଳା ହେଲା । ତଥାପି ଯନ୍ତ୍ରଣା ଥମିଲାନି। ଏବେ ବି ରାଜ୍ୟର ଶହ ଶହ ଚାଷୀ ଧାନ ବିକିବା ପାଇଁ ସଂଘର୍ଷ କରୁଛନ୍ତି । ବରଗଡ ଜିଲ୍ଲା ଅତାବିରା ଅଧୀନରେ ଥିବା ସହରାଟିକ୍ରା ଧାନ ମଣ୍ଡିର ଖବର l ପଡ଼ିରହିଛି ହଜାର ହଜାର ଧାନ ବସ୍ତା l ଖରା, ବର୍ଷା, ଶୀତରେ ଧାନକୁ ଜଗି ବସିଛନ୍ତି ଚାଷୀ । ଏତେ ପରିମାଣର ଧାନ କାହିଁକି ଉଠୁନି ଖବର ପାଇ ମଣ୍ଡିରେ ପହଁଚିଥିଲା କନକ ନ୍ୟୁଜ୍ ଟିମ୍। ବୁଝିବାରୁ ଜଣାପଡିଥିଲା, ଖରିଫ୍ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ୩୬୫ ଚାଷୀଙ୍କୁ ଏପର୍ଯ୍ୟନ୍ତ ଟୋକନ୍ ମିଳିନାହିଁ। ଚାଷୀ ବାଧ୍ୟ ହୋଇ ଅମଳ ଧାନକୁ କେଉଁଠି ଖଳାରେ ପକାଇଛି ତ ଆଉ କେଉଁଠି ମଣ୍ଡିରେ ପକାଇ ବିକ୍ରି ଅପେକ୍ଷାରେ ରହିଛି। ହେଲେ, ଚାଷୀଙ୍କ ଗୁହାରି ନା ସରକାର ଶୁଣୁଛନ୍ତି ନା ଧାନ ଉଠୁଛି। ଏହାକୁ ନେଇ ବଢ଼ୁଛି ଅସେନ୍ତାଷ ।
ବର୍ତ୍ତମାନ ସୁଦ୍ଧା ବରଗଡ଼ ଜିଲ୍ଲା ରେ ୧ଲକ୍ଷ ୫୫ ହଜାର ଚାଷୀଙ୍କ ୭୨ଲକ୍ଷ କ୍ୱିଣ୍ଟାଲ ଧାନ ବିକ୍ରୟ ସରିଛି । ଆହୁରି ୧୨ ଲକ୍ଷ ପ୍ୟାକେଟ୍ ଧାନ ବିଭିନ୍ନ ମଣ୍ଡିରେ ପଡ଼ି ରହିଛି । ଅପରପକ୍ଷେ ୨୧୦୦ ଚାଷୀଙ୍କ କାଗଜପତ୍ର ଯାଞ୍ଚ ହୋଇପାରି ନାହିଁ, ଯାହାଫଳରେ ଚାଷୀ ଟୋକନ ପାଇବାରୁ ବଞ୍ଚିତ ହେବା ସହ ଧାନ ବିକ୍ରୟ କରିପାରିନଥିବା ଅଭିଯୋଗ ହୋଇଛି। ଏନେଇ ଆମେ ବରଗଡ଼ ଜିଲ୍ଲାପାଳଙ୍କୁ ପଚାରିବାରୁ ସେ ଟୋକନ ପର୍ଯ୍ୟାୟ କ୍ରମେ ଆସୁଥିବା ଏବଂ ଆଉ ଧାନ ବିକ୍ରୟ ଠିକ୍ ଚାଲିଥିବା କହିଛନ୍ତି। ଯେଉଁ ଚାଷୀଙ୍କ ସମସ୍ୟା ରହିଛି ଲିଖିତ ଅଭିଯୋଗ କଲେ ଏହା ଉପରେ ତଦନ୍ତ କରାଯିବା ସହ ସମସ୍ୟାର ସମାଧାନ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଟୋକନ ବ୍ୟବସ୍ଥାକୁ ନେଇ ଚାଷୀ ଏବେ ଦୋଛକିରେ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ଅବା ରାଜ୍ୟ ସରକାର ଏନେଇ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
Follow Us