କନକ ବ୍ୟୁରୋ: ହିମାଚଳପ୍ରଦେଶର ଚୌହାରଘାଟିରେ ଭୀଷଣ ବନ୍ୟା ଓ ଭୂସ୍ଖଳନ ଭିତରେ ଜଣେ ସ୍ବାସ୍ଥ୍ର୍ୟକର୍ମୀଙ୍କ ସାହାସ ତାଙ୍କୁ ସାରା ଦେଶରେ ଚର୍ଚ୍ଚାକୁ ଆଣିଛି । ପୂରା ଦେଶର ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ସେ ସାଜିଛନ୍ତି ପ୍ରେରଣା , ସେବା ଦୂତ ।

Advertisment


ଏବେ ହିମାଚଳରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । କେଉଁଠି ବନ୍ୟାରେ ଘର ଭାସିଗଲାଣି କେଉଁଠି ଭୂସ୍ଖଳନରେ ମାଟି ତଳେ ଜୀବନ ପୋତିହୋଇଯାଇଛି । ତା ସାଙ୍ଗକୁ ବର୍ଷା ଗାଳୁଛି ।  ଘର ଭିତରୁ ବାହାରିବାକୁ ଡରୁଛନ୍ତି ଲୋକେ । କିନ୍ତୁ କର୍ମ ପାଇଁ ଘରୁ ଗୋଡ଼ କାଢିଛନ୍ତି ମହିଳା ସ୍ବାସ୍ଥ୍ୟକର୍ମୀ କମଳା ଦେବୀ ।  ବନ୍ୟାରେ ନଦୀ, ଝରଣା ଉଛୁଳୁଥିବାବେଳେ ତାକୁ ଡେଇଁ ପାର୍ ହୋଇଥିଲେ କମଳା ଦେବୀ  । ଆଉ ପ୍ରତିକୂଳ ପାଗରେ ବି ଯାଇ ପହଞ୍ଚିଥିଲେ ଶିଶୁ ପାଖରେ । ଏକ ଜରୁରି ଟିକା ଦେଇ ପିଲାଟିର ଜୀବନ ବଞ୍ଚାଇଦେଇଥିଲେ । ଖାଲି ଏତିକି ନୁହେଁ ଅତି ଦୟନୀୟ ଅବସ୍ଥାରେ ଥିବା ରୋଗୀଙ୍କ ପାଖରେ ଆବଶ୍ୟକ ମେଡିସିନ ପହଞ୍ଚାଇଥିଲେ ।

ପରିସ୍ଥତି ଯେତେ ଖରାପ ହେଉ ନା କାହିଁକି କର୍ମ ହିଁ ସର୍ବମାନ୍ୟ । କର୍ମରେ ନିଷ୍ଠା ଥିଲେ , ମନରେ ଦମ୍ଭ ଥିଲେ ଯେକୌଣସି ଖରାପ ସ୍ଥିତିକୁ ପାର୍ ହେବାକୁ ବାଟ କାଢ଼ି ହୋଇଯିବ, ଏକଥାକୁ ଅକ୍ଷରେ ଅକ୍ଷରେ ପ୍ରମାଣ କରିଛନ୍ତି କମଳା ଦେବୀ । ବିଏମଓ ପଦ୍ଦର ଡାକ୍ତର ସଞ୍ଜଚୟ ଗୁପ୍ତାଙ୍କ କହିବା ଅନୁସାରେ, ଅଗଷ୍ଟ ୧୮ ତାରିଖରେ କୋରତଙ୍ଗ ଓ କୁଙ୍ଗଡିରେ ହଠାତ୍ ବନ୍ୟା ଆସିଥିଲା । ଏହି ସମୟରେ ହୁରଙ୍ଗ ଗାଁର ଦୁଇ ମାସର ଶିଶୁକୁ ଟିକାକରଣ କରିବା ନିହାତି ଜରୁରି ଥିଲା । ସ୍ଥିତି ଭାରି ଗମ୍ଭୀର ଥିଲା । ସାହାସ ଦେଖାଇଲେ କମଳା ଦେବୀ । ଟିକା ବାକ୍ସ କାନ୍ଧରେ ପକାଇ ବାହାରିପଡ଼ିଲେ । ନିଜ ଜୀବନକୁ ଖାତିର ନକରି ଭରା ନାଳକୁ ଡେଇଁ ପାରି ହୋଇଥିଲେ । ଠିକଣା ଜାଗାରେ ପହଞ୍ଚି ଶିଶୁକୁ ଦେଇଥିଲେ ଟିକା । ବଞ୍ଚିଯାଇଥିଲା କୁନି ଜୀବନ ।

 ଏ କେବଳ ଗୋଟିଏ ଜୀବନ ବଞ୍ଚିଲାନି ବରଂ ସାରା ଦେଶର ସ୍ବାସ୍ଥ୍ୟକର୍ମୀ ହୁଅନ୍ତୁ ବା ସମଗ୍ର ଦେଶବାସୀ ସମସ୍ତଙ୍କ କର୍ମନିଷ୍ଠାର ପାଠ ପଢାଇଥିଲେ । କର୍ମ ଆଗରେ  ଅନ୍ୟ ସବୁ ପଛ ବୋଲି ବାର୍ତ୍ତା ଦେଇଥିଲେ କମଳା ଦେବୀ । ତାଙ୍କ ସେବା ଭୁଲି ହେବନି ବୋଲି ସ୍ଥାନୀୟ ବାସିନ୍ଦା କହୁଥିବାବେଳେ ଏମିତି କର୍ତ୍ତବ୍ୟ ପରାୟଣ ସ୍ବାସ୍ଥ୍ୟକର୍ମୀଙ୍କୁ ଶତ ସଲାମ କରୁଛି ପୂରା ଦେଶ ।