କନକ ବ୍ୟୁରୋ: ମନ୍ତ୍ରୀ ଓ ଅଫିସରଙ୍କ ମଧ୍ୟରେ ବିବାଦ ଯୋଗୁ ଢେଙ୍କାନାଳ ଜିଲ୍ଲାରେ ଧାନ କିଣା ଠପ୍ ହୋଇଯାଇଛି। ଧାନକିଣା ପ୍ରକ୍ରିୟାରୁ ମିଲରମାନେ ଓହରି ଯାଇ ଏଫଏକ୍ୟୁ ଧାନ ନଦେଲେ ନେବୁ ନାହିଁ ବୋଲି କହିଛନ୍ତି। ସେପଟେ ଧାନ ବିକା ନେଇ ଟୋକନ ତାରିଖ ସରିଯାଉଥିବା ବେଳେ ଚାଷୀ ଚିନ୍ତାରେ ପଡ଼ିଛନ୍ତି l ଢେଙ୍କାନାଳ ଜିଲ୍ଲାରେ ଆରମ୍ଭ ହୋଇଛି ଚାଷୀ ଆନ୍ଦୋଳନ।
- ମନ୍ତ୍ରୀଙ୍କ ଜିଲ୍ଲାରେ ମିଲରଙ୍କ ମନମାନି
- ଖୋଲୁନି ମଣ୍ଡି, ଉଠୁନି ଧାନ
- ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ
ମିଲରଙ୍କ ମନ ମାନି ଯୋଗୁଁ ମଣ୍ଡି ନଖୋଲୁନି କି ଚାଷୀ ଧାନ ବିକ୍ରି କରିପାରୁନି। ଖୋଦ ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲାରେ ୫ଦିନ ହେଲା ଏଭଳି ଅଚଳାବସ୍ଥା ଲାଗି ରହିବା ପରେ ତାତିଛନ୍ତି ଚାଷୀ। କାମାକ୍ଷାନଗର ସମବାୟ ସମିତିରେ ଧାନ କିଣା ଯାଉନଥିବାରୁ ଚାଷୀ ଧାରଣାରେ ବସିଛନ୍ତି l ସେପଟେ ଓଡ଼ାପଡ଼ା ବ୍ଲକ ଗଦାଶିଳା ପଞ୍ଚାୟତରେ ଆଜି ଚାଷୀଙ୍କ ଧାନ ଉଠିବା କଥା। ମାତ୍ର ମଣ୍ଡିରେ ତାଲା ଝୁଲୁଛି l ଚାଷୀମାନେ ବସ୍ତାବସ୍ତା ଧାନ ରଖି ରାତି ଅନିଦ୍ରା ହୋଇ ଚୋର ଓ ହାତୀଙ୍କଠାରୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି l କିନ୍ତ ବିଳମ୍ବ ହେଉଥିବାରୁ କରଜ ଶୁଝିବା ଚିନ୍ତାରେ ପଡ଼ି ଚାଷୀ କଟନି ଛଟନି ପାଇଁ ମଧ୍ୟ ରାଜି ହୋଇଛନ୍ତି।
ମିଲର ଧାନ ନେଉ ନଥିବାରୁ ଆଜି ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଠକ ବସିଥିଲା। କିନ୍ତୁ କିଛି ନିଷ୍କର୍ସ ବାହାରି ପାରିନାହିଁ। ମିଲର କହିଛନ୍ତି, ଆମେ କଟନି ଛଟନି ଚାହୁ ନାହୁଁ । କିନ୍ତୁ ପ୍ୟାକ୍ସ ଏଫଏକ୍ୟୁ ଧାନ କିଣି ଆମକୁ ଦେବା ଦରକାର। ନହେଲେ ଧାନ ନେବୁନି। ତେବେ ମିଲର ଶୀଘ୍ର ଧାନ କିଣାରେ ସାମିଲ ହେବେ ବୋଲି ଜିଲାପାଳ ଆଶା ପ୍ରକାଶ କରିଛନ୍ତି। ତେବେ କେବଳ ଢ଼େଙ୍କାନାଳ ନୁହେଁ ଅନ୍ୟ ଜିଲ୍ଲାମାନଙ୍କରେ ବି ସମାନ ଅବସ୍ଥା।