କନକ ବ୍ୟୁରୋ: ଶିକ୍ଷା ବର୍ତ୍ତମାନ ଶରୀରର ଏକ ଅଙ୍ଗ ପରି କାମ କରୁଛି । ଅର୍ଥାତ୍‌ ବିନା ଶିକ୍ଷାରେ ଦୁନିଆରେ କିଛି କରିବା ସମ୍ଭବ ହେଉନି । ତେଣୁ ପିଲାଟିଏ ଜନ୍ମ ହେବା ପରେ ପରିବାରର ସବୁଠୁ ବଡ଼ ଏବେ ଟେନସନ୍‌ ପିଲା କେମିତି ଉଚ୍ଚଶିକ୍ଷିତ ହେବ । ହେଲେ ଦେଶରେ ଏମିତି ଅନେକ ମେଧାବୀ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନଙ୍କର ପାଠ ପଢିବାକୁ ଇଚ୍ଛା ଥିଲେ ବି ସେମାନେ ପାଠ ପଢିପାରୁନାହାନ୍ତି । ଆର୍ଥିକ ଅବ୍ୟବସ୍ଥା ସେମାନଙ୍କୁ ପାଠ ପଢିବାରେ ଅଟକାଉଛି । ଅବଶ୍ୟ ଏବେ ଅନେକ ଅନୁଷ୍ଠାନ ଓ ସ୍ବେଚ୍ଛାସେବୀ ସଂଗଠନ ପିଲାଙ୍କୁ ମାଗଣାରେ ପାଠ ପଢାଉଥିବା ଦେଖାଯାଉଛି । ହେଲେ ସବୁ ମେଧାବୀ ପିଲାଙ୍କ ପାଖରେ ଯେ ଏମାନେ ପହଞ୍ଚୁଛନ୍ତି ତାହା କହିବା ଅସମ୍ଭବ । କିଛି ଏମିତି ଘଟଣାର ତର୍ଜମା କରିବା ପରେ ପିଲାଙ୍କୁ ମାଗଣାରେ ପାଠ ପଢାଇବା ଲାଗି ଫ୍ରି କୋଚିଂ ସେଣ୍ଟର ଖୋଲାଯାଇଛି । ଯେଉଁଠାରେ ପିଲାଙ୍କୁ ମାଗଣାରେ ପଠାଯିବ ପାଠ ।

Advertisment

The Auspicious One Shiva Classes and Library । ଏହି ଅନୁଷ୍ଠାନରେ ପିଲାଙ୍କୁ ମାଗଣାରେ ପାଠ ପଢାଯିବା ନେଇ ବ୍ୟବସ୍ଥା ହୋଇଛି । ଏଠାରେ ପିଲାଙ୍କୁ କେବଳ ମାଗଣାରେ ଶିକ୍ଷା ଦିଆଯାଉଛି ତାହା ନୁହେଁ ବରଂ ଉନ୍ନତମାନର ଲାଇବ୍ରେରୀ ତିଆରି କରାଯାଇ ପିଲାଙ୍କୁ ଶିକ୍ଷା ବି ଦିଆଯାଉଛି । ସଂସ୍ଥା ପକ୍ଷରୁ କୁହାଯାଇଛି କି, ଗରିବ ପିଲାଙ୍କ ଲାଗି ଏଠାରେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ସଂପୂର୍ଣ୍ଣ ମାଗଣାରେ ସେମାନେ ପାଠ ପଢିବେ । ଏହି କୋଚିଂ ସେଣ୍ଟରରେ ପଢୁଥିବା ପିଲାଙ୍କୁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସାମିଲ କରାଯାଉଛି । ତେଣୁ ସର୍ବଭାରତୀୟ ସ୍ତରରେ ହେଉଥିବା ପରୀକ୍ଷାରେ ପିଲାମାନେ ଭଲ ନମ୍ବର ରଖି କୃତକାର୍ଯ୍ୟ ବି ହୋଇପାରିବେ । ସଂସ୍ଥାର ସଂଚାଳକ କହିଛନ୍ତି, ଯେଉଁ ଗରିବ ପିଲାମାନେ ପାଠ ପଢିବାକୁ ଚାହୁଁଥିବେ ହେଲେ ଆର୍ଥିକ କ୍ଷେତ୍ରରେ ସେମାନେ ସ୍ବଚ୍ଛଳ ନଥିବେ ସେମାନଙ୍କୁ ଆମେ ସଂପୂର୍ଣ୍ଣ ସହଯୋଗ କରିବୁ । କେମିତି ପିଲାମାନେ ଭଲରେ ପାଠ ପଢିବେ ସେନେଇ ବି ଧ୍ୟାନ ଦେବୁ । ଅବଶ୍ୟ ସଂସ୍ଥା ସ୍ପଷ୍ଟ କରିଛି ଯେ ୧୦ ପ୍ରତିଶତ ସିଟ୍‌ ସଂରକ୍ଷଣ ରହିଛି କିନ୍ତୁ ଗରିବ ପିଲାଙ୍କୁ କୌଣସି ପ୍ରକାର ଅସୁବିଧାର ସାମ୍ନା କରିବାକୁ ଦିଆଯିବ ନାହିଁ ।

ସଫଳତା ନପାଇବା ପର୍ଯ୍ୟନ୍ତ ମାଗଣା କୋଚିଂ

ନିଶୁଳ୍କ କୋଚିଂ ବ୍ୟବସ୍ଥା ପାଇଁ ବିଭିନ୍ନ ଅଂଚଳକୁ ଗସ୍ତ କରୁଛନ୍ତି ସଂସ୍ଥାର ଦୁଇ କର୍ମଚାରୀ । ଯେଉଁ ଗରିବ ପରିବାରରେ ପିଲା ଆଗକୁ ପଢିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ସହାୟତା ଦିଆଯାଉଛି । ଏମିତିକି କୋଚିଂରେ ପ୍ରବେଶ କରିବାକୁ ସେମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ସଂସ୍ଥା କହିଛି । ଖାଲି ଏତିକି ନୁହେଁ ବରଂ ଯେ ପର୍ଯ୍ୟନ୍ତ ପିଲା ପରୀକ୍ଷାରେ କୃତକାର୍ଯ୍ୟ ହୋଇନାହାନ୍ତି ସେପର୍ଯ୍ୟନ୍ତ ପିଲାଙ୍କୁ ମାଗଣାରେ କୋଚିଂ ଦିଆଯିବ । 

ଲାଇବ୍ରେରୀରେ ମିଳୁଛି ମାଗଣା ୱାଇଫାଇ

ଯେଉଁ ଗରିବ ପିଲାମାନେ ଏହି କୋଚିଂ ସେଣ୍ଟରରେ ପାଠ ପଢିବେ ସେମାନଙ୍କୁ ମାଗଣାରେ ୱାଇଫାଇ ବି ମିଳୁଛି । ଖାଲି ଏତିକି ନୁହେଁ ବରଂ ପିଲାମାନେ ଯେଉଁ ବହି ପଢିବାକୁ ଚାହୁଁଛନ୍ତି ଯଦି ସେହି ବହି ଲାଇବ୍ରେରୀରେ ନାହିଁ ସେନେଇ ବି ବିକଳ୍ପ ବ୍ୟବସ୍ଥା କରାଯିବା ସହ ପିଲାଙ୍କୁ ଇଚ୍ଛା ମୁତାବକ ବହି ପଢିବାର ସୁଯୋଗ ଦିଆଯାଉଛି । ସତରେ ପିଲାଙ୍କୁ ମାଗଣାରେ କୋଚିଂ ଦେବାର ଯେଉଁ ଲକ୍ଷ୍ୟ ଏମାନେ ରଖିଛନ୍ତି ତାହା ନିଶ୍ଚୟ ଫଳପ୍ରଦ ହେବ ବୋଲି ଅନେକ କହୁଛନ୍ତି ।