କନକ ବ୍ୟୁରୋ: ଏଥର ବିବାହ ପୂର୍ବରୁ ବାଧ୍ୟତାମୂଳକ ହୋଇପାରେ HIV ଟେଷ୍ଟ । HIV ମାମଲା ବଢ଼ି ଚାଲିଥିବାରୁ ଏଭଳି ଆଇନ କାର୍ଯ୍ୟକାରୀକୁ ନେଇ ବିଚାର କରାଯାଉଛି । ଏଠାରେ ଏକ ପ୍ରଶ୍ନ ଉଙ୍କି ମାରିବା ସ୍ୱାଭାବିକ... କେବେ ଲାଗୁ ହେବ ଏହି ଆଇନ୍‌... ଆଇନ ଲାଗୁ ହେଲେ ଲାଭ କଣ ? ଇଣ୍ଡିଆନ ଜର୍ଣ୍ଣାଲ୍‌ ଅଫ୍ ଡର୍ମାଟଲୋଜି ରିପୋର୍ଟ ଅନୁଯାୟୀ ବିବାହ ପୂର୍ବରୁ HIV ଟେଷ୍ଟ ବ୍ୟକ୍ତିଗତ ଗୋପନୀୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିପାରେ । କାରଣ ଜଣେ ବ୍ୟକ୍ତିଙ୍କ ସାଧାରଣ ଜୀବନ ଉପରେ ଏଭଳି ନିୟମ ପ୍ରଭାବ ପକାଇପାରେ ବୋଲି ରିପୋର୍ଟରେ କୁହାଯାଇଛି । 

Advertisment

ଦିନକୁ ଦିନ HIV ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି କିଛି ନୂଆ କାର୍ଯ୍ୟକାରୀ କରିବା ଉପରେ ବିଚାର କରୁଛନ୍ତି ସରକାର । ପୂର୍ବୋତ୍ତର ରାଜ୍ୟ ମେଘାଳୟରେ ଏବେ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି । ଏହାକୁ ନେଇ ଗତ ମଙ୍ଗଳବାର ସ୍ୱତନ୍ତ୍ର ବୈଠକ ମଧ୍ୟ କରାଯାଇଥିଲା । ଏଠାରେ ଥିବା ଖାସି ହିଲ୍ସ ଜିଲ୍ଲାରେ HIV ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୦୨୪ରେ ମେଘାଳୟରେ ୩୪୩୨ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହି ସଂକ୍ରମଣକୁ ରୋକିବାକୁ ନୂଆ ଆଇନ ଆଣିବାକୁ ଚିନ୍ତା କରୁଛନ୍ତି ସରକାର । ଏ ସମ୍ପର୍କରେ ଏକ କ୍ୟାବିନେଟ୍‌ ନୋଟ୍‌ ପଠାଇବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାପୂର୍ବରୁ ଗୋଆରେ ବିବାହ ପୂର୍ବରୁ HIV ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଗତ ୨୦୦୬ ମସିହାରୁ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଥିଲେ ବି ଲାଗୁ ହୋଇପାରିନଥିଲା । ପରିଶେଷରେ ଗତ ୨୦୧୯ରେ ଏହାକୁ ବିଧିବଦ୍ଧ ଭାବରେ ଲାଗୁ କରାଯାଇଛି । କିନ୍ତୁ ବ୍ୟକ୍ତିଗତ ଡାଟାକୁ ସ୍ୱାସ୍ଥ୍ୟ ବିଭାଗ ସହ ସେୟାର କରିବା ବାଧ୍ୟତାମୂଳକ କରାଯାଇନାହିଁ । 
ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି କୌଣସି ଆଇନ କାର୍ଯ୍ୟକାରୀ କରାଯାଇନାହିଁ । କିନ୍ତୁ ବାସ୍ତବରେ ଏଭଳି କୌଣସି ଆଇନ୍‌ର ଆବଶ୍ୟକତା ଅଛି କି ? ଉତ୍ତର ହେଉଛି ନା.... କାରଣ ୨୦୧୦ ପରେ ଭାରତରେ HIV ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୦୨୪ରେ ଆସିଥିବା ସରକାରୀ ରିପୋର୍ଟ ମୁତାବକ ୨୦୧୦ ପରଠୁ ଦେଶରେ HIV ସଂକ୍ରମିତଙ୍କ ସଂଖ୍ୟା ୪୪ ପ୍ରତିଶତ ହ୍ରାସ ଘଟିଛି । ୨୦୩୦ ସୁଦ୍ଧା ଏଡ୍‌ସ୍‌ର ମୂଳୋତ୍ପାଟନ ପାଇଁ ୟୁଏନ୍‌ ସହ ପ୍ରତିଶ୍ରୁତିବଦ୍ଧ ରହିଛି ଭାରତ । ଏଣୁ ବର୍ତ୍ତମାନ ଭାରତରେ ଏଭଳି କୌଣସି ଆଇନ୍‌ର ଆବଶ୍ୟକତା ନାହିଁ । ବିଶ୍ୱ ସ୍ତରରେ ୩୯ ପ୍ରତିଶତ HIV ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ମେଘାଳୟ ସ୍ଥିତି ଚିନ୍ତାଜନକ ଥିବାରୁ ନୂଆ ଆଇନ୍‌ ଆଣିବା ଉପରେ ବିଚାର କରାଯାଉଛି ।