କନକବ୍ୟୁରୋ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବୁଧବାର ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। ଶ୍ରୀମନ୍ଦିର ସ୍ନାନବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀରୁ ସ୍ନାନବେଦୀକୁ ଆସି ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ । ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ସାରିବା ପରେ ବଡ଼ଠାକୁର ପ୍ରଭୁ ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରାଙ୍କୁ ଭକ୍ତମାନେ ହାତୀବେଶରେ ଦର୍ଶନ କରିବେ ।
ଏହି ଅପୂର୍ବ ବେଶକୁ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିବେ। ଏହି ସମୟ ପାଖେଇ ଆସୁଥିବାରୁ ଭକ୍ତମାନଙ୍କ ମନରେ ଉତ୍କଣ୍ଠା ଭରି ଉଠୁଛି। ଶ୍ରୀକ୍ଷେତ୍ରରେ ପ୍ରବଳ ଜନଗହଳି ଦେଖାଯାଇଥିବା ବେଳେ ବଡ଼ଦାଣ୍ଡ ଆଧ୍ୟାତ୍ମିକ ପରିବେଶରେ ଉଛୁଳି ପଡୁଛି । ଆଜି ମହାପ୍ରଭୁଙ୍କ ଆବିର୍ଭାବର ଦିବସ । ଆଜି କେତେ ଫୁଲ ପତ୍ରରେ ସଜେଇ ହେଉଛନ୍ତି ଠାକୁରେ । ଯେତେ ଯାହା ଦେଲେ ବି ତାକୁ ନିଅଣ୍ଟ ପଡ଼େ । ହେଲେ ଗୋଟିଏ ଫୁଲରେ ବି ସେ ସନ୍ତୁଷ୍ଟ ହୁଅନ୍ତି । ସେ କେତେବେଳେ ବିଶ୍ବର ହେବା ପାଇଁ କଣ୍ଟିଲୋର ସେ ବଣ ପାହାଡ଼ ଘେରା ଗୁମ୍ଫାରୁ ବାହାରି ଆସନ୍ତି ପୁଣି ଜଣେ ଭକ୍ତର ହେବା ପାଇଁ କେବେ ଗୋଟେ ପର୍ଣ୍ଣ କୁଡ଼ିଆରେ ଆବିର୍ଭାବ ହୁଅନ୍ତି ।
ଦେଖିବାକୁ ସାଧାରଣ ହୋଇପାରେ, କିନ୍ତୁ ସେ ସାଧାରଣ ମଣିଷ ଭିତରେ ଅମାପ ଶ୍ରଦ୍ଧା, ନିଜକୁ ତାଙ୍କ ପାଖରେ ଅନାୟାସରେ ବାଢ଼ିଦେବାର ଇଚ୍ଛା ଏହା ହିଁ ତ ସମର୍ପଣ । ଏହି ଶ୍ରଦ୍ଧାରୁ ପ୍ରେମର ଜାତ । ଏହି ପ୍ରେମରୁ ସୃଷ୍ଟି ଆସକ୍ତି । ଏ ଆସକ୍ତି କିନ୍ତୁ ବନ୍ଧନର ନୁହେଁ ବରଂ ମୁକ୍ତିର । ଭକ୍ତ ମୁକ୍ତି ଚାହେନା କିନ୍ତୁ ଅଜାଣତରେ ସବୁ କାର୍ମିକ, ସାଂସରିକ ବନ୍ଧନରୁ ମୁକ୍ତ ହୋଇ ଦିବ୍ୟ ବନ୍ଧନରେ ବାନ୍ଧି ହୋଇଯାଏ । ଏଇ ତ ଭକ୍ତି , ବିଷ୍ଣୁ ଯିଏ ବଦ୍ରିକାରେ ସ୍ନାନ କରନ୍ତି, ଦ୍ବାରକାରେ ବେଶ ହୁଅନ୍ତି ପୁଣି ରାମେଶ୍ବରମ୍ ଧାମରେ ଶୟନ କରନ୍ତି କିନ୍ତୁ ଏ ହେଉଛି ଏକ ମାତ୍ର କ୍ଷେତ୍ର ଯାହା ମହାପ୍ରଭୁଙ୍କ ଐଶ୍ବର୍ଯ୍ୟର କ୍ଷେତ୍ର , ଭୋଗର କ୍ଷେତ୍ର, କର୍ମର କ୍ଷେତ୍ର । ଏଠି ଭୋଗ କହିଲେ ଯାହା କେହି ଗ୍ରହଣ କରେ । ଏଠି ମହାପ୍ରଭୁ ଭକ୍ତର ସବୁ ଭାବ, ଭୋଗ ଗ୍ରହଣ କରନ୍ତି । ସେଇଥିପାଇଁ ତ ଏ କ୍ଷେତ୍ର ହେଉଛି ପରମପାବନ ପୁରୁଷୋତ୍ତମ ଶ୍ରୀକ୍ଷେତ୍ର ।
ଏଥିସହ ଆଜିର ଦିନରେ ଏଥିସହ ଆଜି ବିଭିନ୍ନ ଉପଚାର ବିଧି ସ୍ନାନବେଦିରେ କରାଯିବ ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସାଧାରଣ ଦିନପରି ଶ୍ରୀମନ୍ଦିରରେ କବାଟଫିଟା, ପାହାନ୍ତିଆ ଅବକାଶ, ଗୋପାଳବଲ୍ଲଭ,ସକାଳଧୂପ, ଦ୍ୱିପ୍ରହରଧୂପ ଆଦି ସମସ୍ତ ନୀତିର ସମାପନ ପରେ ସ୍ୱଳ୍ପସମୟ ପାଇଁ ପହୁଡ଼ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ । ଏହିଦିନ କୋଠ ସିଆଁସିଆ ମନ୍ଦିରରେ ପ୍ରବେଶ କରନ୍ତି ଓ ପହଣ୍ଡି ପାଇଁ ଚାରମାଳ ବାନ୍ଧନ୍ତି l ପ୍ରଭୁଙ୍କର ସେନାପଟା ଓ ବାହୁଟିନାଗି ହୁଏ । ରତ୍ନ ସିଂହାସନ ଉପରେ ମଙ୍ଗଳାର୍ପଣ କରାଯାଏ ।
ଆଜିର ଦିନରେ ପ୍ରଭୁଙ୍କ ପାଖରେ ସମସ୍ତ ଭୋଗ ଲାଗି କରାଯାଏ , ଏ ସମସ୍ତ ଭୋଗ ପ୍ରସ୍ତୁତ ହୋଇସାରିବା ପରେ ସ୍ନାନ ମଣ୍ତପକୁ ଅଣାଯାଏ , ଏ ସମସ୍ତ ଭୋଗ ର ନାମ ବଡ଼କାନ୍ତି , ସାନକାନ୍ତି , ଏଣ୍ଡୁରି , ପିଠା ପୁଳି , ମିଠା ପୁଳି , ଦହି ଅମାଲୁ , ହଂସକେଳି , କାକପୁଆ ଝିଲ୍ଲି , ଅଦା ପାଚେଡ଼ି , ବୁନ୍ଦିଆ , ବଡ଼ କଣିଆ ସାନ କଣିଆ , ତଥା ଖେଚୁଡ଼ି , ନୁଖୁରା ଖେଚୁଡ଼ି , ସାନ ଖେଚୁଡ଼ି , ଶ୍ରୀ ବଳଭଦ୍ର ଖେଚୁଡ଼ି , ତୈଳ ଖେଚୁଡ଼ି , ମେଣ୍ଢା ମୁଣ୍ଡିଆ , ଶାଗ , ପୂଜାପଣ୍ଡାଙ୍କ ପାଇଁ ଚଣ୍ଡ , ମଧ୍ୟାହ୍ନ ଧୂପ ବା ଦିପହର ଧୂପ , (ମଧ୍ୟାହ୍ନ ୧୨.୩୦ରୁ ୧.୦୦) ଷୋଡ଼ଶପଚାର ବିଧିରେ ନୈବେଦ୍ୟ ଅର୍ପଣ କରାଯାଏ । ତୃତୀୟ ଅବକାଶ ପରେ ‘ଦିପହର ଧୂପ’ ନୈବେଦ୍ୟ ଅର୍ପଣ; ଦିପହର ଧୂପ ପରେ ଦିନ-ପହଡ଼ ।
ଏଥିସହ ବଡ଼ପିଠା ବଡ଼ କାକରା , ସାନକାକରା , ବଡ଼ ପୁଷ୍ପାଳକ ଆରିସା , ବଡ଼ ଆରିସା , ସାନ ଆରିସା ପାଗ ଆରିସା , ବୋକ ଆରିସା , ମଥା ପୁଳି , ବଡ଼ ବଡ଼ , ଚଢ଼େଇ ନଦା , ଚଢ଼େଇନଦା ଗୁଳା , ସୁଆର ମନୋହର , ମନୋହର , ବଡ଼ ଖଇରଚୁଳ ସାନ ଖଇରଚୁଳ , ଗଜା , ବିରି ବଡ଼ି , ଥାଳି ଅନ୍ନ (ବଳଭଦ୍ରଙ୍କ ନିମନ୍ତେ): ୯ କୁଡୁଆ , ଥାଳି ଅନ୍ନ (ଜଗନ୍ନାଥଙ୍କ ନିମନ୍ତେ): ୪ କୁଡୁଆ , ଥାଳି ଅନ୍ନ (ସୁଭଦ୍ରାଙ୍କ ନିମନ୍ତେ): ୨ କୁଡୁଆ , ଥାଳି ଅନ୍ନ (ସୁଦର୍ଶନ ଚକ୍ରଙ୍କ ନିମନ୍ତେ): ୨ କୁଡୁଆ , ସାନ ଓଳି ଓରିଆ (ଅନ୍ନ): ୪ ଓଳି , ଭୋଗ ଓଡ଼ିଆ ବଡ଼: ୧୦ ଓଳି , ପୀତ ଅନ୍ନ: ୪ଓଳି , ମୁଗ ଡାଲି: ୪ ଓଳି , ସାନ ଓଳି ମରିଚି ପାଣି , ବଡ଼ ଓଳି ମରିଚି ପାଣି , ସାନମ୍ବ , ବଡ଼ ଖିରିସା , ଓଳି ବଡ଼ ଖିରିସା , ସୁବାସ ପଖାଳ , ଛେନା ପିଠା , ଶାକର , ପନକ , କଦମ୍ବ ହାଣ୍ଡି , ଝଣ୍ଡା ତଡ଼ା , ମରିଚୀ ଲଡ଼ୁ: ୫୦ , ଥାଳି ପକା ଢଉଳ , ତ୍ରିପୁରି , ସନ୍ଧ୍ୟା ଧୂପ (ତୃତୀୟ ଧୂପ) (ସନ୍ଧ୍ୟା ୭.୦୦ରୁ ୮.୦୦) ଜୟ ମଙ୍ଗଳ ଆରତି (ସନ୍ଧ୍ୟା ଆରତି) ପରେ ଏହା ଅର୍ପଣ କରାଯାଏ । ଚତୁର୍ଥ ଅବକାଶ ପରେ ‘ସଞ୍ଜଧୂପ’ ନୈବେଦ୍ୟ ଅର୍ପଣ ।