କନକ ବ୍ୟୁରୋ: କାଲିଠାରୁ ଆରମ୍ଭ ହେବ ମାଞ୍ଚେଷ୍ଟରରେ ଚତୁର୍ଥ ଟେଷ୍ଟ । ହେଲେ ଏହାପୂର୍ବରୁ ଟିମ୍ ଇଣ୍ଡିଆର ପ୍ଲେଇଂ ଏକାଦଶ ବିଷୟରେ ଚିତ୍ର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପେସ୍ ବୋଲର ଆକାଶ ଦୀପ୍ ସମ୍ପୂର୍ଣ୍ଣ ଫିଟ୍ ନାହାଁନ୍ତି, ତେଣୁ ଅଂଶୁଲ କାମ୍ବୋଜଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିପାରେ । ଅଲରାଉଣ୍ଡର ନୀତିଶ ରେଡ୍ଡୀ ସମଗ୍ର ଗସ୍ତରୁ ବାହାରେ ଅଛନ୍ତି, ଆଉ ଅର୍ଶଦୀପ ସିଂହ ମଧ୍ୟ ଫିଟନେସ୍ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି । କରୁଣ ନାୟାର ତାଙ୍କ ସ୍ଥାନ ବଜାୟ ରଖିବେ କି ସାଇ ସୁଦର୍ଶନଙ୍କୁ ସୁଯୋଗ ମିଳିବ ସେ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇ ନାହିଁ ।

Advertisment

ଚତୁର୍ଥ ଟେଷ୍ଟ ପୂର୍ବରୁ ସୋମବାର ଦିନ ଟିମ୍ ଇଣ୍ଡିଆ ପ୍ରଥମ ପ୍ରାକ୍ଟିସ ଆରମ୍ଭ କରିଥିଲା । ଏହି ସମୟରେ ଦ୍ରୁତ ବୋଲର ଆକାଶ ଦୀପ ହାଲୁକା ବୋଲିଂ କରିଥିଲେ, କିନ୍ତୁ ସମ୍ପୂର୍ଣ୍ଣ ଫିଟ୍ ଦେଖାଯାଉ ନଥିଲେ । ଲର୍ଡସ୍ ଟେଷ୍ଟ ପରଠାରୁ ସେ ଜଙ୍ଘ ଆଘାତରେ ପୀଡିତ ଅଛନ୍ତି । ସେ ପ୍ରଶିକ୍ଷକ ମୋର୍ନେ ମୋର୍କେଲଙ୍କ ତତ୍ତ୍ୱାବଧାନରେ ବୋଲିଂ କରିଥିଲେ । 

ଏହା ପରେ, ଆକାଶ ଦୀପ କେବଳ ଦର୍ଶକ ପରି ସାଇଡ ଲାଇନ ଠିଆ ହୋଇଥିଲେ, ତାଙ୍କ ସହିତ ଅର୍ଶଦୀପ ସିଂହଙ୍କୁ ମଧ୍ୟ ଦେଖାଯାଇଥିଲା, ଯିଏ ହାତରେ ଆଘାତ ଯୋଗୁଁ ପୂର୍ବରୁ ବାଦ୍ ପଡ଼ିସାରିଛନ୍ତି । ଯଦି ଆକାଶ ଦୀପ ମଧ୍ୟ ଫିଟ୍ ନହୁଅନ୍ତି, ତେବେ ଦଳକୁ ଯଶପ୍ରିତ ବୁମରାହ ଏବଂ ମହମ୍ମଦ ସିରାଜଙ୍କ ସହିତ ତୃତୀୟ ଦ୍ରୁତ ବୋଲର ଭାବରେ ପ୍ରସିଦ୍ଧ କୃଷ୍ଣ କିମ୍ବା ଅଂଶୁଲ କମ୍ବୋଜଙ୍କୁ ବାଛିବାକୁ ପଡିବ  ।

କରୁଣ ନାୟାରଙ୍କ ସ୍ଥାନ ବିଷୟରେ ମଧ୍ୟ ଆଲୋଚନା ହେଉଛି। ତଥାପି, ସେ ପ୍ରାକ୍ଟିସରେ ଭଲ ବ୍ୟାଟିଂ କରିଥିଲେ । ସାଇ ସୁଦର୍ଶନ ନେଟ୍ସରେ ମଧ୍ୟ ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ଖେଳିଥିଲେ ଏବଂ ସ୍ଲିପରେ କ୍ୟାଚ୍ ଅଭ୍ୟାସ ମଧ୍ୟ କରିଥିଲେ । ବିଶ୍ୱାସ କରାଯାଉଛି ଯେ ସେ ନାୟାରଙ୍କ ସ୍ଥାନ ନେଇପାରିବେ । ନୀତିଶ ରେଡ୍ଡି ଭାରତ ଫେରିବା ପରେ, ଯଶସ୍ୱୀ ଜୟସ୍ୱାଲଙ୍କୁ ମଧ୍ୟ ସ୍ଲିପରେ କ୍ୟାଚ୍ ଅଭ୍ୟାସ କରୁଥିବାର ଦେଖାଯାଇଥିଲା ।