ସ୍ବରର ସାଧନାକୁ ସମ୍ମାନ ଜଣାଉଥିବା ମଞ୍ଚ ହେଉଛି ଇଣ୍ଡିଆନ୍ ଆଇଡଲ୍ । ସଂଗୀତର ପ୍ରତିଭାକୁ ବାଛି ଜାତୀୟ ମଞ୍ଚରେ ଛିଡ଼ା କରାଇ ତାଳି ମାରି ବିଜୟର ମୁକୁଟ ପିନ୍ଧାଉଥିବା ଷ୍ଟେଜ୍ ହେଉଛି ଇଣ୍ଡିଆନ୍ ଆଇଡଲ୍ । ଯାହାର ଅନେକ ସଂସ୍କରଣରେ କେତେ ଯେ ପ୍ରତିଯୋଗୀ ଭାଗ ନେଇଛନ୍ତି । କିନ୍ତୁ ଅନେକଙ୍କ ଭିତରୁ ସେହି ଜଣିଏ ବିଜେତାକୁ ବାଛି ସଂଗୀତ ଜଗତରେ ପାଦ ଥୋଇବାକୁ ସୁଯୋଗ ଦିଏ ଏହି ମଞ୍ଚ । ତେବେ ଚଳିତବର୍ଷ ମଧ୍ୟ ସଂଗୀତପ୍ରେମୀଙ୍କ ବେଶ୍ ମନୋରଞ୍ଜନ କଲା ଇଣ୍ଡିଆନ୍ ଆଇଡଲ୍ । ଯାହାର ୧୫ ତମ ସଂସ୍କରଣର ଗ୍ରାଣ୍ଡ ଫିନାଲେ ଏପ୍ରିଲ୍ ୬ ତାରିଖରେ ହୋଇଯାଇଛି । ଏଥିରେ ଟପ୍ ୫ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ନେହା ଶଙ୍କରଙ୍କ ସମେତ ଶୁଭଜିତ୍ ଚକ୍ରବର୍ତ୍ତୀ , ଅନିରୁଦ୍ଧ ସୁସ୍ବରମ୍ , ପ୍ରିୟାଂଶୁ ଦତ୍ତା , ମାନସୀ ଘୋଷ୍ ଏବଂ ଚୈତନ୍ୟ ଦେବଧେ ସାମିଲ୍ ଥିଲେ । ତେବେ ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟର ମୁକୁଟକୁ ନିଜ ନାଁରେ କରିଛନ୍ତି ମାନସୀ ଘୋଷ୍ । ଟ୍ରଫି ସହ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଜିତିଛନ୍ତି ମାନସୀ । ଏହି ସିଜନକୁ ରାପର୍ ବାଦଶାହ , କୋକିଳକଣ୍ଠୀ ଶ୍ରେୟା ଘୋଷାଲ୍ ଏବଂ ସିଙ୍ଗର୍ ବିଶାଲ୍ ଡଡଲାନୀ ଜଜ୍ କରିଛନ୍ତି । ଅଭିନେତା ଆଦିତ୍ୟ ନାରାୟଣ ଶୋ’ର ହୋଷ୍ଟ୍ କରିଛନ୍ତି । ପ୍ରଥମେ ଶୋ’ର ଫିନାଲେ ମାର୍ଚ୍ଚ ୩୦ ରେ ହେବାକୁ ଥିଲା । କିନ୍ତୁ ପରେ ଏହାର ତାରିଖକୁ ବଦଳାଇ ଦିଆଯାଇଥିଲା । ତାରିଖ ବଦଳାଇ ଏହାକୁ ସପ୍ତାହେ ଘୁଞ୍ଚାଇ ଦିଆଯାଇଥିଲା । 

Advertisment
Indian Idol
Indian Idol Photograph: (google)

ବିଜେତା ମାନସୀ ଘୋଷ୍ ଟ୍ରଫି ଜିତି ଏବେ ବହୁତ ଖୁସି ଅଛନ୍ତି । ପଶ୍ଚିମବଙ୍ଗରୁ ଆସୁଥିବା ୨୪ ବର୍ଷୀୟା ଏହି ଗାୟିକା ଜଣକ ନିଜ ୟୁନିକ୍ ଷ୍ଟାଇଲ୍‌ରେ ଗୀତ ଗାଇବାକୁ ନେଇ ବେଶ୍ ଚର୍ଚ୍ଚିତ । ନିଜ ସୁରିଲା କଣ୍ଠ ଏବଂ ଏନର୍ଜେଟିକ୍ ଶୈଳୀରେ ଗୀତ ଗାଇବାକୁ ନେଇ ଜଜଙ୍କ ସହ ସଂଗୀତପ୍ରେମୀଙ୍କ ମନ ଜିତିଛନ୍ତି ମାନସୀ । ଚଳିତଥର ଗ୍ରାଣ୍ଡ ଫିନାଲେ ଅବସରରେ ମୁଖ୍ୟ ଅତିଥି ରୂପେ ପଞ୍ଜାବୀ ଗାୟକ ମିକ୍କା ସିଂହ, ଅଭିନେତ୍ରୀ ଶିଳ୍ପା ସେଟ୍ଟୀ , ରବିନା ଟଣ୍ଡନ୍ ସାମିଲ୍ ଥିଲେ । ସମ୍ପୂର୍ଣ୍ଣ ସେଟରେ ଯେମିତି ୯୦ ଦଶକର ନିଶା ଖେଳେଇ ହୋଇଥିଲା । ପୁରୁଣା ଗୀତର ତାଳେ ତାଳେ ଅଭିନେତ୍ରୀ ନାଚି ଥିବା ବେଳେ ପ୍ରତିଯୋଗୀ ମଧ୍ୟ ୯୦ ଦଶକର ଗୀତ ଗାଇଥିଲେ । ଇତ୍ୟ ଅବସରରେ ସବୁ ପ୍ରତିଯୋଗୀ ଖୁବ୍ ମଜାମସ୍ତି କରିଥିଲେ । 


ତେବେ ଏହି ଶୋ’ରେ ପ୍ରତିଯୋଗୀ ଥିବା ଆଉ ଜଣେ ସିଙ୍ଗର୍ ସ୍ନେହା ଶଙ୍କରଙ୍କୁ ମଧ୍ୟ ବହୁତ ବଡ଼ ଅଫର୍ ମିଳିଛି । ଗ୍ରାଣ୍ଡ୍ ଫିନାଲେ ପୂର୍ବରୁ ଟି-ସିରିଜର ମାଲିକ ଏବଂ ତାଙ୍କ ମ୍ୟାନେଜିଙ୍ଗ୍ ଡାଇରେକ୍ଟର ୧୯ ବର୍ଷୀୟା ସ୍ନେହାଙ୍କୁ ଏକ କଣ୍ଟ୍ରାକ୍ଟ ଅଫର୍ କରିଛନ୍ତି ଯାହା ତାଙ୍କ କ୍ୟାରିୟରରେ ମାଇଲ୍ ଷ୍ଟୋନ୍ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି । ସ୍ନେହା ଟି-ସିରିଜ୍ ପାଇଁ ଗୀତ ଗାଇବାକୁ ନେଇ ବହୁତ ଖୁସି ଅଛନ୍ତି । 

sneha
sneha Photograph: (google)