କନକ ବ୍ୟୁରୋ : ବର୍ତ୍ତମାନ ସୋସିଆଲ୍ ମିଡ଼ିଆର ବିଭିନ୍ନ ପ୍ଲାଟଫର୍ମରେ ଅନେକ କଥାବାଚକଙ୍କ ଭିଡ଼ିଓ ଭାଇରାଲ୍ ହେଉଛି । ମାନସିକ ସ୍ତରରେ ଅଶାନ୍ତ ଲୋକ ଏହି କଥାବାଚକଙ୍କ ପାଖକୁ ଯାଇ ନିଜ ଦୁଃଖ ଜଣାନ୍ତି । ହଜାର ହଜାର ସଂଖ୍ୟାରେ ଲୋକ ଏହାଦ୍ବାରା ବିଭିନ୍ନ ସମସ୍ୟାର ସମାଧାନ ମଧ୍ୟ କରିଥା’ନ୍ତି । ସେମିତି ହିଁ ଜଣେ କଥାବାଚକ ହେଉଛନ୍ତି ଅନିରୁଦ୍ଧାଚାର୍ଯ୍ୟ ଯାହାଙ୍କ କଥାରେ ଅନେକ ଶ୍ରଦ୍ଧାଳୁ ସାମିଲ ହୋଇଥା’ନ୍ତି । ଏହି କଥାବାଚକଙ୍କ ମଜାଳିଆ କଥା ବେଳେବେଳେ ସୋସିଆଲ୍ ମିଡ଼ିଆରେ ମଧ୍ୟ ଭାଇରାଲ୍ ହୁଏ ଯାହାଙ୍କୁ ଯୁବପିଢ଼ି ‘ପୁକି ବାବା’ ବୋଲି ମଧ୍ୟ ସମ୍ବୋଧନ କରନ୍ତି । ତେବେ ବର୍ତ୍ତମାନ କଥାବାଚକଙ୍କ ଏକ ଭିଡ଼ିଓ ଖୁବ୍ ଭାଇରାଲ୍ ହେଉଛି । ଯାହାର କାରଣ ହେଉଛି ପ୍ରଶ୍ନ ପଚାରୁଥିବା ଉକ୍ତ ଶ୍ରଦ୍ଧାଳୁଙ୍କର ନିର୍ମମ ଭାବେ ହତ୍ୟା କରାଯାଇଛି । 

Advertisment
baba
baba Photograph: (google)

ଘଟଣାଟି କିଛି ଏମିତି ମଧ୍ୟପ୍ରଦେଶର ଇନ୍ଦ୍ରକୁମାର ତିୱାରୀ ନାମକ ଜଣେ ଶ୍ରଦ୍ଧାଳୁ ଅନିରୁଦ୍ଧାଚାର୍ଯ୍ୟଙ୍କ ପ୍ରବଚନରେ ସାମିଲ ହୋଇଥିଲେ । ୪୫ ବର୍ଷ ହେବା ପରେ ମଧ୍ୟ ତାଙ୍କର ବିବାହ ହୋଇପାରୁନଥିବା ନେଇ ସେ କଥାବାଚକଙ୍କୁ କହିଥିଲେ । ୧୮ ଏକର ଜମି ଥିବା ସତ୍ତ୍ବେ ତାଙ୍କୁ କନ୍ୟାପାତ୍ର ମିଳୁନଥିବା ନେଇ ସେ ଚିନ୍ତିତ ଥିବା କଥା କହିଥିଲେ । ଯାହାର ଉତ୍ତରରେ ଅନିରୁଦ୍ଧାଚାର୍ଯ୍ୟ କହିଥିଲେ ଯେ ଏବେ ତ ୪୫ ବର୍ଷ ହୋଇଗଲାଣି ବିବାହ କାହିଁକି କରିବ ସାଧୁ ହୋଇଯାଅ । କିନ୍ତୁ ଇନ୍ଦ୍ରକୁମାର ବଂଶ ଆଗକୁ ବଢ଼ାଇବା ପାଇଁ ବିବାହ କରିବା କଥା କହିଥିଲେ ଏବଂ କଥାବାଚକଙ୍କ ଆଶିର୍ବାଦ ମାଗିଥିଲେ । 

ତେବେ ଏ ତ ଗଲା କଥାବାଚକଙ୍କ ସହ ବାର୍ତ୍ତାଳାପ ସମୟର କଥା । ଏହି ଭିଡ଼ିଓଟି ଯେତେବେଳେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଉତ୍ତରପ୍ରଦେଶର କୁଶିନଗରରେ ରହୁଥିବା ସାହିବା ବାନୋ (ଖୁସି) ଇନ୍ଦ୍ରକୁମାରଙ୍କ ଭିଡିଓଟିକୁ ଦେଖିଥିଲେ ଏବଂ ଏହିଠାରୁ ଆରମ୍ଭ ହୋଇଥିଲା ଷଡ଼ଯନ୍ତ୍ରର ଜାଲବୁଣା । ୧୮ ଏକର ଜମି ଏବଂ ସମ୍ପତ୍ତି ପାଇଁ ସୋସିଆଲ୍ ମିଡିଆରେ ଇନ୍ଦ୍ରକୁମାରଙ୍କ ସହ କଥାବାର୍ତ୍ତା ହୋଇ ଖୁସି ତାଙ୍କୁ ଗୋରଖପୁର ବିବାହ ପାଇଁ ଡାକିଲେ । ମନମୁତାବକ କନ୍ୟା ପାଇ ଇନ୍ଦ୍ରକୁମାର ମଧ୍ୟ ଆଗପଛ ନ ଦେଖି ଅଧା ଜମି ବିକି ଖୁସିଙ୍କ ପାଇଁ ଗହଣା କିଣିଲେ ଏବଂ କିଛି ଟଙ୍କା ନେଇ ଗୋରଖପୁର ଚାଲିଗଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଇନ୍ଦ୍ରକୁମାରଙ୍କୁ ମିଛରେ ବିବାହ କରି ତାଙ୍କ ଠାରୁ ଗହଣା ଏବଂ ଟଙ୍କା ନେଇଗଲେ ଖୁସି । ଅଧିକ ସମ୍ପତ୍ତି ପାଇଁ ଘରକୁ ଫୋନ୍ କରିବାକୁ ମନା କରିବାରୁ ଇନ୍ଦ୍ରଙ୍କୁ ମାରି ନାଳରେ ଫୋପାଡ଼ି ଫେରାର୍ ହୋଇଗଲେ ଖୁସି ଏବଂ ତାଙ୍କ ପରିବାର । ତେବେ ବର୍ତ୍ତମାନ ଅଭିଯୋଗ ଆଧାରରେ ଖୁସିଙ୍କୁ ଗିରଫ କରାଯାଇଛି ଏବଂ ବର୍ତ୍ତମାନ ପରିବାର ଲୋକ ଫେରାର୍ ଅଛନ୍ତି ।