କନକ ବ୍ୟୁରୋ: ହରିୟାଣାରେ ଭିୱାରୀ ଜିଲ୍ଲାରେ ଏକ ହତ୍ୟାକାଣ୍ଡ ଆଜି ପୁଣି ପ୍ରତ୍ୟେକଙ୍କ ମନରେ ଭୟ ସୃଷ୍ଟି କରିଛି । ଏହା ମିରଟରେ ଘଟିଥିବା ମୁସ୍କାନ ରସ୍ତୋଗୀ ଘଟାଇଥିବା ହତ୍ୟାକାଣ୍ଡ ସହ ମେଳ ଖାଉଛି । କାରଣ ଏଠାରେ ବି ଜଣେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ପତ୍ନୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ଜଣେ ୟୁଟ୍ୟୁବରଙ୍କ ପ୍ରେମରେ ଏଭଳି ଏକ ଜଘନ୍ୟ ଅପରାଧ କରିବାକୁ ପଛାଇ ନାହାନ୍ତି ମହିଳା ଜଣକ ।
କିଛି ବର୍ଷ ପୂର୍ବେ ଭିୱାରୀ ଜିଲ୍ଲା ଢାଣି ବାସିନ୍ଦା ପ୍ରବୀଣ ରବିନାଙ୍କୁ ବିବାହ କରିଥିଲେ । ଉଭୟଙ୍କ ଏକ ୬ ବର୍ଷର ପୁଅ ବି ଅଛି । ଦେଢ଼ ବର୍ଷ ପୂର୍ବେ ଇନ୍ଷ୍ଟାଗ୍ରାମ ଜରିଆରେ ସୁରେଶ ନାମକ ଜଣେ ୟୁଟ୍ୟୁବରଙ୍କ ସହ ରବିନାଙ୍କ ଭେଟ ହୋଇଥିଲା । ଇନ୍ଷ୍ଟାଗ୍ରାମ୍ରେ ରିଲ୍ସ କରିବାକୁ ଭଲ ପାଆନ୍ତି ରବିନା । ତାଙ୍କ ୩୪ହଜାର ଫଲୋର୍ସ ରହିଛନ୍ତି ଓ ୟୁଟ୍ୟୁବ୍ରେ ରହିଛନ୍ତି ୫ ହଜାର ସବ୍ସ୍କ୍ରାଇବର୍ । ଏଣୁ ନିୟମିତ ଏହି ଦୁଇଜଣ ଦେଖା ସାକ୍ଷାତ କରିବାକୁ ଲାଗିଲେ । ଭିଡିଓ ତିଆରି କରୁକରୁ ଧୀରେଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହି ସମ୍ପର୍କ ବିଷୟରେ ପ୍ରବୀଣ ମଧ୍ୟ ସନ୍ଦେହ କରିବାକୁ ଲାଗିଲେ । ହେଲେ ଗତ ମାର୍ଚ୍ଚ ୨୫ ତାରିଖରେ ସବୁ ସୀମା ଟପି ଯାଇଥିଲେ ରବିନା । ସେଦିନ ରବିନା ଓ ସୁରେଶଙ୍କୁ ନିଜ ବେଡ୍ରୁମ୍ରେ ଦେଖିଥିଲେ ପ୍ରବୀଣ । ସୁରେଶଙ୍କ ଓ ପ୍ରବୀଣଙ୍କ ମଧ୍ୟ ହାତାହାତି ଆରମ୍ଭ ହୋଇଯାଇଥିଲା ।
ପ୍ରବଳ ହାତାହାତି ସ୍ଥିତି ମଧ୍ୟରେ ରବିନା ତାଙ୍କ ଚୁନୀରେ ପ୍ରବୀଣଙ୍କ ବେକରେ ଫାସ ପକାଇଥିଲେ । ତାଙ୍କ ନିଶ୍ୱାସ ବନ୍ଦ ହେବା ପର୍ଯ୍ୟନ୍ତ ଚୁନୀକୁ ଟାଣି ଧରିଥିଲେ । ସବୁଠାରୁ ବଡ଼ କଥା ହେଉଛି ଦିନଦ୍ୱିପ୍ରହରରେ ଏହି ଘଟଣା ଘଟିଥିବା ସତ୍ତ୍ୱେ ଆଖପାଖରେ କେହି ଖବର ପାଇ ପାରିନଥିଲେ । ମୃତଦେହକୁ ଘର ଭିତରେ ଲୁଚାଇ ସ୍ୱାଭାବିକ ବ୍ୟବହାର କରିଥିଲେ ରବିନା । ସୁରେଶଙ୍କ ସହ ଦିନ କଟାଇବା ପରେ ରାତି ୨.୩୦ରେ ମୃତଦେହକୁ ନେଇ ବାହାରେ ଫୋପାଡ଼ି ଦେଇ ଆସିଥିଲେ । ଏହାପରେ ପ୍ରବୀଣ ନିଖୋଜ ହୋଇଯାଇଥିବା ପରିବାର ଲୋକଙ୍କୁ ଖବର ଦେଇଥିଲେ ।
ତଦନ୍ତ ବେଳେ ପୁଲିସ ହାତରେ ସୁରେଶ ଓ ରବିନାଙ୍କ ସିସିଟିଭି ଫୁଟେଜ ପୁଲିସ ହାତରେ ଲାଗିଥିଲା । ସୁରେଶ ଧରା ପଡ଼ିବା ପରେ ପୁଲିସ ଆଗରେ ସବୁ ସତ ମାନି ଯାଇଥିଲା । ଏହାପରେ ରବିନାକୁ ପୁଲିସ ଜେଲ୍ ପଠାଇଥିବା ବେଳେ ରିମାଣ୍ଡରେ ରହିଛି ସୁରେଶ । ଏହି ହତ୍ୟାକାଣ୍ଡରେ ଆଉ କେହି ସାମିଲ ଅଛନ୍ତି ନା ନାହିଁ ତାହାର ତଦନ୍ତ ଚଳାଇଛି ପୁଲିସ ।