ଚା’ ବିସ୍କୁଟ୍ ଟଙ୍କାଟେ .. ଚା’ ବିସ୍କୁଟ୍ ଟଙ୍କାଟେ

Advertisment

ଆସ ଚା’ ନିଅ ଟଙ୍କାଟେ ଦିଅ ..

ଜମା ଅଧିକ ଟଙ୍କା ନେବିନି , ମାତ୍ର ଟଙ୍କାଟେ ଦିଅ ଚା’ପିଅ ..

ରାଜଧାନୀର ନିଶବ୍ଦ ରାତିଟା ଯେତେବେଳେ ଶୂନ୍ ହୋଇ ଶୋଇଯାଏ , ଶୀତରାତିଟା ଆହୁରି ଅଧିକ କଷ୍ଟକର ହୋଇପଡ଼େ । ହସ୍ପିଟାଲ୍ , ଷ୍ଟେସନ୍ , ବସଷ୍ଟପରେ ଲୋକଙ୍କ ଭିଡ଼ ଭିତରେ ବି ଶୀତର ସେ ପ୍ରକୋପ ଜଣାପଡ଼େ । ଅସହାୟ ହୋଇ କିଏ ,କେଉଁଠି ଶୋଇଥାନ୍ତି । ଆଉ ଠିକ୍ ସେତିକିବେଳେ ନିଜର ବଡ଼ ହୃଦୟ ଆଉ ହାତରେ ଗରମ ଗରମ ଚା’ , ବିସ୍କୁଟ୍ ନେଇ ପହଂଚିଯାଆନ୍ତି ପ୍ରେମ ବାଣ୍ଟୁଥିବା ଜଣେ ମଣିଷ ପ୍ରେମ୍ ଭାଇ । 

ଟଙ୍କାକରେ ଏକ କପ୍ ଉଷୁମ ଚା’ ଆଉ ଗୋଟିଏ ପ୍ୟାକେଟ୍ ବିସ୍କୁଟ୍ ଦେଇ ଲୋକଙ୍କ ମୁହଁରେ ଖୁସି ବାଣ୍ଟନ୍ତି ଭୁବନେଶ୍ବରର ଭଲ ମଣିଷ ପ୍ରେମ୍ । ଖାଲି ସେତିକି ନୁହେଁ ଆଜ୍ଞା ଶାନ୍ତିରେ ଶୋଇବା ପାଇଁ ମସାଧୂପ ଆଉ ପ୍ରତି ସୋମବାରରେ ଭାତ ଏବଂ ଡାଲମା ମଧ୍ୟ ମାତ୍ର ଟଙ୍କାକରେ ଯୋଗାଉଛନ୍ତି ପ୍ରେମ୍ ଭାଇ । ଏ ମହଙ୍ଗା ଜମାନାରେ ଯେଉଁଠି ୫୦୦ ଟଙ୍କା ସାଙ୍ଗରେ ନେଇ ଗଲେ ପରିବା ବ୍ୟାଗ୍ ବି ଫୁଲ୍ ହେଉନି , ଗୋଟିଏ ଚକଲେଟ୍ ବି ଯଦି କିଣିବେ ଟଙ୍କାକରେ ଆସୁନାହିଁ । ସେହି ସମୟରେ ରାଜଧାନୀର ଏ ଯୁବକଙ୍କ ମହତ୍ କାମ ଦେଖି ସତରେ ସାଷ୍ଟାଙ୍ଗ ପ୍ରଣାମ କରିବାକୁ ଇଚ୍ଛା ହେଉଛି । ଶୀତକୁ ଖାତିର୍ ନ କରି ଯୁବକ ଜଣକ ରାତିରେ ସ୍କୁଟି ଧରି ରାଜଧାନୀର ସେହି ସବୁ ସ୍ଥାନକୁ ଯାଆନ୍ତି ଯେଉଁଠି ଅସହାୟ ଲୋକଙ୍କ ଭିଡ଼ ଜମେ । ସେ କାମ କରି ଥକିଯାଇଥିବା ଶ୍ରମିକ ହୁଅନ୍ତୁ କି ଆତ୍ମୀୟଙ୍କୁ ହସ୍ପିଟାଲ୍ ଆଣିଥିବା ପରିବାର ସମସ୍ତଙ୍କୁ ୧ ଟଙ୍କାରେ ପ୍ରେମ୍ ବଢାଇଦିଅନ୍ତି କପେ ଉଷୁମ ଚା’ ଆଉ ବିସ୍କୁଟ୍ । 

Screen Shot

ପ୍ରଭୁ ଜଗନ୍ନାଥଙ୍କ ନାମ ତୁଣ୍ଡରେ ଧରି ପ୍ରେମ୍ କୁହନ୍ତି , ୨୦୧୫ ମସିହାରୁ ମୁଁ ଏ ମହତ୍ କାମ ଜଗନ୍ନାଥଙ୍କ କୃପାରୁ କରିଆସୁଛି । ଲୋକଙ୍କ ମୁହଁରେ ଚା’ ପିଇଲା ପରେ ଯେଉଁ ହସଟିକକ ଦେଖୁଛି ସେଥିରେ ମୋ ପେଟ ପୁରିଯାଉଛି । ମୋ ସାଙ୍ଗ ଏବଂ ମା’ ମଧ୍ୟ ଏଥିପାଇଁ ମତେ ବହୁତ ସାହାଯ୍ୟ କରନ୍ତି । ମାନବ ସେବା ହିଁ ମାଧବ ସେବା ଏତିକି ଭାବି ମୁଁ ଆଗକୁ ବଢିଚାଲିଛି ; ଦେଖିବା ପ୍ରଭୁ ମୋ ଦ୍ବାରା କେତେ ଆଉ ଏ ସେବା ଲୋକଙ୍କୁ ଯୋଗାଇବାର ଶକ୍ତି ଦେଉଛନ୍ତି । 

ପ୍ରେମ୍ ପ୍ରତିଦିନ ରାତି ୧୦ ରୁ ଆରମ୍ଭ କରି ସକାଳ ୫ଟା ପର୍ଯ୍ୟନ୍ତ ଭୁବନେଶ୍ବରର ବିଭିନ୍ନ ଜାଗାରେ ଏହି ସବୁ ସେବା ଯୋଗାଇ ଆସୁଛନ୍ତି । ଯୁବକଜଣଙ୍କର ସେବା ଖାଲି ଏତିକିରେ ସୀମିତ ନୁହଁ ଆଜ୍ଞା ବରଂ ଆବଶ୍ୟକୀୟ ଲୋକଙ୍କ ପାଇଁ ଏକ ଟଙ୍କାରେ ପେଟ୍ରୋଲ , ଡିଜେଲ୍ ଆଉ ରେନକୋର୍ଟ ମଧ୍ୟ ସେ ଉପଲବ୍ଧ କରନ୍ତି। ଜମାଟୋ ବଏଙ୍କ ବାଇକ୍ କିମ୍ବା ଅଟୋ ବାଟରେ ପେଟ୍ରୋଲ୍ ସରିଗଲେ ଟଙ୍କାଟେ ଦେଇ ପେଟ୍ରୋଲ୍ , ଡିଜେଲ୍ ଉପଲବ୍ଧ କରାଇଦିଅନ୍ତି ପ୍ରେମ୍ । ରାଜଧାନୀର ଏହି ଯୁବକଙ୍କ ମହତ୍ କାମରେ ସନ୍ତୁଷ୍ଟ ଅଛନ୍ତି ଲୋକେ । ଆଶିର୍ବାଦ ଦେଉଛନ୍ତି , ଏଭଳି ମାନବ ସେବା ଆଗକୁ ଜାରି ରଖିବା ପାଇଁ ପ୍ରେମ୍ ଙ୍କୁ ପ୍ରଶଂସା ମଧ୍ୟ କରୁଛନ୍ତି । ଆଜିର ସମୟରେ ମଣିଷ ଭିତରୁ ମାନବିକତା ମରି ମରି ଯାଉଥିବା ବେଳେ ରାଜଧାନୀର ପ୍ରେମ୍ ଙ୍କ ଏଭଳି ନିଃସ୍ବାର୍ଥପର ସେବା ଅନେକଙ୍କ ପାଇଁ ପ୍ରେରଣା ପାଲଟିବ ନିଶ୍ଚୟ ।