କନକ ବ୍ୟୁରୋ: ସୁନ୍ଦରଗଡର ସଫଳ ଛେଳି ଚାଷୀ । ଗାଁ ଯୁବକଙ୍କ ପାଇଁ ପ୍ରେରଣା ସାଜିଲେ ସୁରତ ପଟେଲ । ୨୦ ହଜାରରୁ ଛେଳି ଚାଷ ଆରମ୍ଭ କରିଥିଲେ ଆଉ ଏବେ ବାର୍ଷିକ ଆୟ କରୁଛନ୍ତି ୧୦ ଲକ୍ଷରୁ ଅଧିକ ଟଙ୍କା । ଛେଳି ଚାଷ କିଭଳି ଜଣେ ଚାଷୀକୁ ଲକ୍ଷପତି ଚାଷୀରେ ରୂପାନ୍ତରିତ କରିଦେଇଥାଏ ।
ସଫଳ ଛେଳି ଚାଷୀ ସୁରତ ପଟେଲ । ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ତୁରୁଙ୍ଗାଗଡ ଗାଁରେ ଚାଷୀ ସୁରତଙ୍କ ଘର । ତାଙ୍କ ଚାଷ ଏବେ ଅନ୍ୟ ଚାଷୀଙ୍କ ପାଇଁ ପାଲଟିଛି ପ୍ରେରଣା । ଛେଳିଚାଷ କରି ସେ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ପୂର୍ବରୁ ସୁରତ ଛତୁ ଚାଷ କରୁଥିଲେ । ସେଥିରୁ କିଛି ଟଙ୍କା ସଂଚୟ କରି ଏହି ଚାଷ ଆରମ୍ଭ କଲେ ।
ତାଙ୍କର ଥିବା ୭ ଏକର ପାହାଡ଼ିଆ ଜମିରେ କେବଳ ଖରିଫ ଋତୁରେ ଧାନ ଚାଷ ବ୍ୟତିତ ଆଉ କିଛି ହେଉନଥିଲା । ଆୟର କୌଣସି ସଠିକ୍ ମାଧ୍ୟମ ନଥିବାରୁ ସେ ମାତ୍ର ୨୫ ହଜାର ଟଙ୍କାରେ ଛତିଶଗଡରୁ ୪ ଟି ଛେଳି ଓ ଗୋଟିଏ ବୋଦା ଆଣି ଆରମ୍ଭ କରିଥିଲେ ଛେଳି ଚାଷ । ଉପଯୁକ୍ତ ଯତ୍ନ, ଟୀକାକରଣ ଓ ଔଷଧ ଦେବା ଫଳରେ ଛେଳି ସଂଖ୍ୟା ୬୦ରେ ପହଂଚିଲାଣି । ପ୍ରଥମ ପର୍ୟ୍ୟାୟରେ ସେ ଅଢ଼େଇ ଲକ୍ଷ ଟଙ୍କାର ଛେଳି ବିକ୍ରି କରିଥିବା ବେଳେ ବର୍ଷକ ଭିତରେ ୧୦ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର ହେବ ବୋଲି ସେ ଆଶା ରଖିଛନ୍ତି । ତାଙ୍କ କହିବା ଅନୁସାରେ ଧାନ ହେଉ କି ପନିପରିବା ଚାଷ ସେଥିରେ ରୋଗପୋକ ସହିତ ମରୁଡିର ସମ୍ଭାବନା ରହିଥାଏ । କିନ୍ତୁ ଛେଳି ଚାଷ କରିବା ଦ୍ବାରା ଜଣେ ଚାଷୀ ଖୁବ୍ କମ୍ ଟଙ୍କା ବିନିଯୋଗ କରି ବର୍ଷକ ଭିତରେ ଲକ୍ଷପତି ହୋଇପାରିବ ।
ଜଙ୍ଗଲ ନିକଟରେ ରହୁଥିବା ଚାଷୀଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବା ପାଇଁ ଓଡିଶା ବନାଚଂଳ ଉନ୍ନୟନ ପ୍ରକଳ୍ପ ସ୍ୱେଚ୍ଛାସେବୀ ସଙ୍ଗଠନ ସେବକ ମାଧ୍ୟମରେ ଚାଷୀଙ୍କୁ ତାଲିମ ପ୍ରଦାନ କରିଥିଲା । ପ୍ରକଳ୍ପର ଆବର୍ତନ ପାଣ୍ଠିରୁ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା । ଏହାଦ୍ବାରା ସୁରତ ଛେଳି ଚାଷ କରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି । ସୁରତ ପଟେଲ ଛେଳି ଚାଷ କରି ଜଣେ ଲକ୍ଷପତି ଚାଷୀ ହେବା ସହ ନିଜର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି । ଅନ୍ୟ ଚାଷୀଙ୍କ ପାଇଁ ତାଙ୍କ ଚାଷ ଉଦାହରଣ ପାଲଟିଛି ।