କନକ ବ୍ୟୁରୋ:  ଉତ୍ତରପ୍ରଦେଶ ବେହରାଇଚରେ ଥମୁନି ମଣିଷଖିଆ ଗଧିଆ ଆତଙ୍କ। ଆକ୍ରମଣ ଭୟରେ ଲୋକମାନେ ଘରୁ ବାହାରିବାକୁ ମଧ୍ୟ ଡରୁଛନ୍ତି । ଏସବୁ ମଧ୍ୟରେ ବନ ବିଭାଗ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଉଛି । ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ବନ ବିଭାଗ ଅଧିକାରୀ । ସେପଟେ ହିଂସ୍ର ଗଧିଆଙ୍କୁ ଧରିବାକୁ ବନ ବିଭାଗ ପକ୍ଷରୁ ଅପରେସନ ଆରମ୍ଭ କରାଯାଇଛି । ବିଭିନ୍ନ ସ୍ଥାନରେ ଯନ୍ତା ବସାଇବା ସହ ଥର୍ମାଲ ଡ୍ରୋନ ଜରିଆରେ ଗଧିଆମାନଙ୍କ ଗତିବିଧି ଉପରେ ନଜର ରଖିଛି ବନ ବିଭାଗ ।

ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ବନ ବିଭାଗର ବରିଷ୍ଠ ଅଧିକାରୀ । ସେପଟେ ପ୍ରଶାସନ ନୁହେଁ ଏବେ ଇଶ୍ବର ଭରଷାରେ ବହରାଇଚବାସୀ । ଉତ୍ତରପ୍ରଦେଶ ଗତ ଏକ ମାସ ହେବ ମାତିଛନ୍ତି ମଣିଷଖିଆ ଗଧିଆ । ୟୁପି ବହରାଇଚର ୩୫ଟି ଗାଁରେ ଗଧିଆ ଆତଙ୍କରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଆହତ ହେଲେଣି । ଗଧିଆଙ୍କୁ କାବୁ କରିବାରେ ପ୍ରଶାସନ ବିଫଳ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

ଏବେ ପ୍ରଶାସନ ନୁହେଁ ବରଂ ଇଶ୍ୱରଙ୍କ ଭରସାରେ ପୂଜାର୍ଚ୍ଚନା ଆରମ୍ଭ କରିଦେଇଛନ୍ତି ଗ୍ରାମବାସୀ । ବହରାଇଚର ପାନ୍ଧୋଇଆ ଗ୍ରାମର ଲୋକମାନଙ୍କୁ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଛି । ଗାଁରେ ଥିବା ମନ୍ଦିରରେ ରାମାୟଣର ସୁନ୍ଦରାକାଣ୍ଡ ପାଠ କରିଛନ୍ତି ଗ୍ରାମବାସୀ । ସେମାନଙ୍କ ବିଶ୍ବାସ ଯେ ଏବେ କେବଳ ଇଶ୍ବରୀୟ ଶକ୍ତି ହିଁ ସେମାନଙ୍କୁ ମଣିଷଖିଆ ଗଧିଆଙ୍କ ଦାଉରୁ ରକ୍ଷା କରିପାରିବେ । ସେପଟେ ଏବେ ବି ବହରାଇଚରେ ଗଧିଆ ଆତଙ୍କ ଜାରି ରହିଛି । ଯାହାର ଭୟରରେ ଗାଁର ମହିଳାମାନେ କବାଟ ତାଲା ପକାଇ ଘରେ ନିଜ ପିଲାଛୁଆଙ୍କୁ ଧରି ଜଗି ରହିଛନ୍ତି । ଅନ୍ୟପଟେ ପ୍ରଶାସନ ମାତ୍ର ୪ଟି ଗଧିଆଙ୍କୁ ଧରିବାରେ ସକ୍ଷମ ହୋଇଛି ।