କନକ ବ୍ୟୁରୋ: ବିଲରୁ ହାତୀ ଘଉଡ଼ାଇବାକୁ ରାତିରେ ମଞ୍ଚାରେ ଶୋଇଥିଲେ  । କିନ୍ତୁ ମଞ୍ଚାରୁ ଖସିପଡ଼ି ଚାଲିଗଲା ଜୀବନ ।  କେନ୍ଦୁଝର ଜିଲ୍ଲା ବାଂଶପାଳ କାଦଡିହା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । 

Advertisment

ହାତୀ ଦାଉରୁ ଫସଲକୁ ବଞ୍ଚାଇବାକୁ ରାତିରେ ଗଛ ଉପରେ ମଞ୍ଚା କରି ଜଗିଥିଲେ କାଦଡ଼ିହା ଗାଁର ନୁଙ୍ଗୁରୁ ମୁଣ୍ଡା । ହାତୀ ମଞ୍ଚା ନିକଟକୁ ଚାଲି ଆସିବାରୁ ଭୟରେ ମଞ୍ଚା ଉପରୁ ଖସି ପଡ଼ି ୫୫ବର୍ଷୀୟ ନୁଙ୍ଗୁରୁ ମୁଣ୍ଡାଙ୍କ ମୃତ୍ୟୁ ହୋଇଛି । କାଦଡିହା, ସିଂପୁର, କୁଶକଳା, ତରମାକାନ୍ତ ଚା ବଗିଚା ଆଦି ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି । ହାତୀ ପଲ ଫସଲ ନଷ୍ଟ କରିବା ସହ ବହୁ ଧନ ଜୀବନ ନଷ୍ଟ କରୁଛନ୍ତି । ହାତୀ ଉପଦ୍ରବରୁ ଫସଲ ରକ୍ଷା ପାଇଁ ଗାଁଲୋକେ କ୍ଷେତ ନିକଟରେ ଗଛ ଉପରେ ମଞ୍ଚା କରି ଜଗୁଛନ୍ତି  । ଗତକାଲି ରାତିରେ କାଦଡିହା ଗାଁର ନୁଙ୍ଗୁରୁ ମୁଣ୍ଡା ଫସଲ ଜଗିବା ପାଇଁ କ୍ଷେତ ନିକଟରେ ଥିବା ମଞ୍ଚାରେ ଶୋଇଥିଲେ । ତେବେ ଏକୁଟିଆ ଘୁରି ବୁଲୁଥିବା ଦନ୍ତା ନୁଙ୍ଗୁରୁଙ୍କ କ୍ଷେତରେ ଧାନ ଫସଲ ଖାଇଥିଲା । ହାତୀକୁ ଦେଖି ସେ ପାଟି କରିବାରୁ ହାତୀଟି ମଞ୍ଚା ନିକଟକୁ ଚାଲି ଆସିଥିଲା । ଫଳରେ ଭୟରେ ନୁଙ୍ଗୁରୁ ମଞ୍ଚାରୁ ଖସି ପଡ଼ିଥିଲେ । ଗାଁ ଲୋକେ ଖବର ପାଇ ତାଙ୍କୁ ଉଦ୍ଧାର କରି ମେଡିକାଲ ନେବାକୁ ଚେଷ୍ଟା କରିଥିଲେ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ବନ ବିଭାଗ ଟିମ୍ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି ।