କନକ ବ୍ୟୁରୋ : ଏବେ ବି ବଞ୍ଚିଛି ଜାତିପ୍ରଥା, ବାସନ୍ଦ ଭଳି ବ୍ୟାଧିରେ ପୀଡ଼ିତ ପରିବାର। ଅନ୍ୟଜାତିରେ ବିବାହ କରିଥିବାରୁ ମୃତଦେହ ପାଖ ମାଡ଼ିଲେ ନାହିଁ ସମ୍ପର୍କୀୟ । କେଉଁଠି ୧୫ ଘଣ୍ଟା ତ ଆଉ କେଉଁଠି ୫ ଘଣ୍ଟା କାଳ ଘରେ ପଡ଼ିରହିଲା ମୃତଦେହ । ସୁନ୍ଦରଗଡ଼ରେ ସ୍ୱାମୀଙ୍କ ମୃତଦେହ ସତ୍କାର ପାଇଁ ରକ୍ତ ସମ୍ପର୍କୀୟ ଓ ଜ୍ଞାତି କୁଟୁମ୍ବଙ୍କୁ ଅପେକ୍ଷା କଲେ ସ୍ତ୍ରୀ। କେହି ଆସିଲେ ନାହିଁ, ବରଂ ଭାଇର ମୃତ୍ୟୁ ଖବର ପାଇ ମୋବାଇଲ୍ ସୁଇଚ୍ ଅଫ୍‌ କରିଦେଲେ ବଡ଼ଭାଇ । ସେପଟେ ବଲାଙ୍ଗୀର ଦେଓଗାଁରୁ ମଧ୍ୟ ଆସିଛି ସମାନ କାହାଣୀ ।

Advertisment

ଭିନ୍ନଜାତିରେ ବିବାହ କରିବାରୁ ଗୃହରକ୍ଷୀଙ୍କୁ ପର କରିଦେଲା ପରିବାର । ସ୍ତ୍ରୀ ଓ ଏକ ମାତ୍ର ଝିଅ ସହ ଡେଙ୍ଗିଭାଡ଼ିରେ ଭଡ଼ା ଘରେ ରହୁଥିଲେ । ବୁଧବାର ଅପରାହ୍ଣରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ୱାମୀଙ୍କ ମୃତଦେହକୁ ଧରି ସୁନ୍ଦରଗଡ଼ ଭଡା ଘରେ ପହଞ୍ଚିଥିଲେ ସ୍ତ୍ରୀ । ଶେଖରଙ୍କ ମୃତ୍ୟୁ ଖବର ଶାଶୁଘର ଲୋକଙ୍କୁ ଜଣାଇଥିଲେ। ୧୫ ଘଣ୍ଟା ଧରି ଅପେକ୍ଷା କଲେ । ହେଲେ କେହି ଆସିଲେ ନାହିଁ। ଶେଷରେ ପଡ଼ୋଶୀ, ସୁନ୍ଦରଗଡ଼ର ଶ୍ମଶାନ ବନ୍ଧୁ ଓ ଘର ମାଲିକଙ୍କ ସହଯୋଗରେ ଶେଖରଙ୍କ ଶବ ମଶାଣିରେ ପହଞ୍ଚିଥିଲା । ଜାତିବାଦ ବୋଲି କିଛି ବୁଝିନଥିବା  ଏହି ୪ ବର୍ଷର ଝିଅ ବାପାଙ୍କ ମୁହଁରେ ଶେଷରେ ମୁଖାଗ୍ନୀ ଦେଇଥିଲା ।

ଦେଓଗାଁ ବ୍ଳକ ନାଇକେନସିରା ଗାଁରୁ ଆସିଥିବା ଖବର ଜାତିବାଦ ବିଷର ଆଉ ଏକ ନଗ୍ନ ଉଦାହରଣ। ଦୀର୍ଘ ଦିନରୁ ଯକ୍ଷ୍ମା ଓ କ୍ୟାନ୍ସରରେ ପୀଡିତ ଥିଲେ ଶ୍ୟାମସୁନ୍ଦର କାଳସାଏଙ୍କ ସ୍ତ୍ରୀ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର  ମୃତ୍ୟୁ ଘଟିଛି ।  ଏପଟେ ଅନ୍ୟ ଜାତିରେ ପ୍ରେମ ବିବାହ କରିଥିବାରୁ ସାମାଜିକ ବାସନ୍ଦ ଦଣ୍ଡ ଭୋଗୁଛନ୍ତି ଶ୍ୟାମସୁନ୍ଦର । ସ୍ତ୍ରୀଙ୍କ ମୃତ୍ୟୁ ପରେ ବି କେହି ସାଥ ଦେଲେ ନାହିଁ । ଶବ ପ୍ରାୟ ୫ ଘଂଟା ପଡ଼ି ରହିବା ପରେ ସ୍ବେଚ୍ଛାସେବୀଙ୍କ ସହଯୋଗରେ ଶବଦାହ ହୋଇଛି ।