କନକ ବ୍ୟୁରୋ : ଆଜିର ଆଧୁନିକ ଯୁଗରେ ବି ମଣିଷ ଅନ୍ଧବିଶ୍ବାସର ମାୟାଜାଲରୁ ବାହାରି ପାରୁନାହିଁ । ଏହାର ବଶବର୍ତ୍ତି ହୋଇ ଅନେକ ଅପରାଧ ଘଟାଉଛି ମଣିଷ । ଯାହାର ଜ୍ବଳନ୍ତ ଉଦାହରଣ ଦେଖତବାକୁ ମିଳିଛି ଭଦ୍ରକ ଜିଲ୍ଲା ଜୁଣିଆପାଲ ଗାଁରେ । ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କର ଘର ଭାଙ୍ଗି ଦେଇଛନ୍ତି ଗାଁ ଲୋକ ।
ଲୁହା ଶାବଳ ଧରି ଜଣେ ବ୍ୟକ୍ତି ଆଉଜଣଙ୍କ ଘରକୁ ଭାଙ୍ଗୁଛନ୍ତି । ଘର ଭାଙ୍ଗିବାର କାରଣ ଅନ୍ଧବିଶ୍ୱାସ । ଗୁଣିଗାରେଡ଼ି ସନ୍ଦେହରେ ଆଇନ୍ ହାତକୁ ନେଇଛନ୍ତି ଗାଁଲୋକ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କୁରକୋରା ପଞ୍ଚାୟତ ଜୁଣିଆପାଳ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁର ପ୍ରତାପ ଜେନା, ଗୁଣିଗାରେଡ଼ି କରି ୫ ବର୍ଷରେ ୪ ଜଣଙ୍କୁ ମାରିଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଜୁଣିଆପାଳ ମଶାଣି ନିକଟରେ ପ୍ରତାପ ଏକ ଶିବ ଦୁର୍ଗା ମନ୍ଦିର ଗଢ଼ିଛନ୍ତି । ମନ୍ଦିର ପାଖରେ ଚାଳଘର କରି ରୁହନ୍ତି ପ୍ରତାପ ଓ ତାଙ୍କ ପରିବାର । ସେଇଠି ସେ ତନ୍ତ୍ରମନ୍ତ୍ର କରୁଥିବା ଅଭିଯୋଗ ହୋଇଛି । ଗାଁ ଲୋକ ଏକାଠି ହୋଇ ପ୍ରତାପଙ୍କୁ ଏନେଇ ପଚରାଉଚରା କରିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତକ୍ତ୍ୟ ଲୋକେ ତାଙ୍କ ଘର ଭାଙ୍ଗିବା ସହ ପ୍ରତାପ ଓ ତାଙ୍କ ପୁଅ ସୁଶାନ୍ତ ଜେନାଙ୍କୁ ପୁଲିସର ଜିମା ଦେଇଛନ୍ତି । ଗାଁ ଲୋକଙ୍କ ଅଭିଯୋଗେ ଅନୁଯାୟୀ ପୁଲିସ ବାପ ପୁଅ ୨ ଜଣଙ୍କୁ ଥାନାକୁ ନେଇ ତଦନ୍ତ ଜାରି ରଖିଛି । ମଶାଣିରୁ ପ୍ରତାପଙ୍କ ସମସ୍ତ ଘର ଉଚ୍ଛେଦ ଲାଗି ଦାବି କରିଛନ୍ତି ଗ୍ରାମବାସୀ ।