କନକ ବ୍ୟୁରୋ : ହସ ଖୁସିରେ ଚାଲିଥିବା ସଂସାର ଆଜି ଲୁହ ଦରିଆରେ ଭାସୁଛି । ସ୍ୱାମୀ ରୋଜଗାର କରୁଥୁଲେ, ପରିବାର ଚଳୁଥିଲା । ହେଲେ ଆଜି ସ୍ତ୍ରୀ ରୋଜାଗାର ଉପରେ ନିର୍ଭର କରୁଛି ପୁରା ପରିବାର । ସ୍ୱାମୀ କ୍ୟାନ୍ସର ରୋଗରେ ପୀଡ଼ିତ ହେବା ପରେ ପର ଘରେ ମୁଲ ଲାଗି ଚାରି ପ୍ରାଣୀଙ୍କ ପେଟକୁ ଦାନା ଯୋଗାଉଛନ୍ତି ସ୍ତ୍ରୀ । ପିଲାଙ୍କୁ ଦେଖିଵେ ନା ସ୍ୱାମୀଙ୍କ ଚିକିତ୍ସା କରାଇବେ । ଏମିତି ଚିନ୍ତା କରୁକରୁ ଥକି ପଡ଼ିଛନ୍ତି ବାଲେଶ୍ୱର ଭୋଗରାଇ ବ୍ଳକ ମାନକୁଣ୍ଡା ଗାଁର ଜୟନ୍ତୀ ଜେନା ।
ଖଟିଆରେ ଶୋଇଛନ୍ତି ବାପା । ଖୁଆଇ ଦେଉଛି କୁନି ଝିଅ । ଦେହକୁ ପୋଛି ମୁଣ୍ଡ କୁଣ୍ଡାଇ ଦେଉଛନ୍ତି ସ୍ତ୍ରୀ । ସାତ ବର୍ଷ ହେବ କ୍ୟାନ୍ସରରେ ପୀଡ଼ିତ ହୋଇ ବିଛଣାରେ ପଡ଼ିଛନ୍ତି ଭୋଗରାଇ ବ୍ଲକ ମାନକୁଣ୍ଡା ଗାଁର ଶ୍ରୀକାନ୍ତ ଜେନା । ଶ୍ରୀକାନ୍ତ କାମଧନ୍ଦା କରି ସ୍ତ୍ରୀ ପିଲା ଛୁଆଙ୍କୁ ପୋଷୁଥିଲେ । ହେଲେ ଏବେ ସେ ଆଉ କାମକୁ ଯାଇ ପାରୁନାହାନ୍ତି କି ଘରେ ଶାନ୍ତିରେ ନିଶ୍ୱାସ ନେଇ ପାରୁନାହାନ୍ତି । ଓଠର ହସ, ଆଖିର ଲୁହରେ ବଦଳି ଯାଇଛି । ୭ ବର୍ଷ ହେଲା ଜୀବନକୁ ବଳିପଡ଼ିଛି ଯନ୍ତ୍ରଣା । ସ୍ୱାମୀ ରୋଗ ସହ ଲଢୁଥିବା ବେଳେ ତାଙ୍କୁ ବଂଚାଇ ରଖିବା ପାଇଁ ଅଭାବ ସହ ଲଢୁଛନ୍ତି ସ୍ତ୍ରୀ ଜୟନ୍ତି ଜେନା ।
ସ୍ୱାମୀଙ୍କ ଚିକିତ୍ସା ପାଇଁ ଯାହା ସମ୍ପତି ଥିଲା ତାକୁ ବିକି ସାରିଛନ୍ତି । କଟକର ଆଚାର୍ଯ୍ୟ ହରିହରି କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସା ପାଇଁ ବ୍ୟବସ୍ଥା ହୋଇଛି । ସ୍ୱାସ୍ଥ୍ୟବୀମାରେ ମାଗଣା ଅପରେସନ ହେବ । ହେଲେ ତା ପରେ ଔଷଧ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ମାସିକ ଆବଶ୍ୟକ ୫ରୁ ୭ ହଜାର ଟଙ୍କା ଖର୍ଚ୍ଚ ହେବ । ସେଥିପାଇଁ ଅର୍ଥ ନଥିବାରୁ ଅପରେସନ୍ ମଧ୍ୟ ହୋଇପାରୁନାହିଁ । ସ୍ୱାମୀଙ୍କ ଚିକିତ୍ସା ଓ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ସଂଘର୍ଷ କରିକରି ଅଣନିଶ୍ୱାସୀ ହୋଇପଡିଲେଣି ଜୟନ୍ତୀ । ଯାହା ରୋଜଗାର କରୁଛନ୍ତି ସେଥିରେ ନା ପେଟ ପୁରୁଛି ନା ଶ୍ରୀକାନ୍ତଙ୍କ ଔଷଧ ଖର୍ଚ୍ଚ ତୁଲାଇ ପାରୁଛନ୍ତି ।
ସରକାରୀ ସହାୟତା କହିଲେ ପରିବାରର ୩ ଜଣ ସଦସ୍ୟଙ୍କୁ ରାସନ କାର୍ଡରେ ତିନ ଜଣଙ୍କ ନାଁରେ ୧୫ କେଜି ଚାଉଳ ମିଳୁଛି। ତାହା ସମୁଦ୍ରକୁ ଶଂଖେ । ସ୍ୱାମୀର ଚିକିତ୍ସା ପାଇଁ ନିଜର ସବୁ ସମ୍ୱଳ ସରିଯିବା ପରେ ସରକାର ଓ ବଦାନ୍ୟ ବ୍ୟକ୍ତଙ୍କ ସହାୟତାକୁ ଅପେକ୍ଷା କରିଛନ୍ତି ଶ୍ରୀକାନ୍ତଙ୍କ ପରିବାର ।
ଶ୍ରୀକାନ୍ତ ଜେନା
ଆକାଉଣ୍ଟ ନଂ-୩୪୮୧୦୭୪୭୯୩୬
ଗାଁ- ମାନକୁଣ୍ଡା
ବ୍କକ-ଭୋଗରାଇ
ଜିଲ୍ଲା- ବାଲେଶ୍ବର
ଯୋଗାଯୋଗ ନଂ- ୮୨୬୦୭୫୨୬୭୫