କନକ ବ୍ୟୁରୋ: ଆଜିକାଲି ଚାକିରି ଅପେକ୍ଷା ନିଜସ୍ବ ଉଦ୍ୟମରେ ରୋଜଗାର କରିବା ପାଇଁ ପ୍ରାୟ ସମସ୍ତେ ପସନ୍ଦ କରୁଛନ୍ତି । ଆନ୍ୟପାଖରେ ରହି କାମ କରିବା ଅପେକ୍ଷା ସ୍ବାଭିମାନର ବଂଚିବା ପାଇଁ ଅନେକ ଲୋକ ଚାହାନ୍ତି । ନିଜର ସ୍ବପ୍ନକୁ ପୂରଣ କରିବା ପାଇଁ ନୂଆ ନୂଆ ବାଟ ବାଛନ୍ତି । ବିଶେଷକରି ବର୍ତ୍ତମାନ ସମୟରେ ଚାକିରି ଅପେକ୍ଷା ଚାଷ କରିବାକୁ ଯୁବପିଢ଼ିମାନେ ଆଗ୍ରହ ପ୍ରକାଶ କରୁଛନ୍ତି ।  ସେହିଭଳି ଜଣେ ସଫଳ ଚାଷୀ ହେଉଛନ୍ତି କଟକ ଜିଲ୍ଲା ନିଆଳି ବ୍ଲକ ନୂଆଗାଁର ବିଭୁତି ଭୂଷଣ ସ୍ବାଇଁ ।  ଯିଏ କି ପନିପରିବା ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି ।   

Advertisment

ଉନ୍ନତ ଜ୍ଞାନ କୌଶଳରେ ପନିପରିବା ଚାଷ କରି ଲାଭବାନ ହେଉଛନ୍ତି ନିଆଳି ବ୍ଲକ ନୂଆଗାଁର ଯୁବଚାଷୀ ବିଭୁତି ଭୁଷଣ ସ୍ୱାଇଁ । ବିଏ ପାସ କରିବା ପରେ ପ୍ରଥମେ ଫଳ ଦୋକାନ କରିଥିଲେ । ବ୍ୟବସାୟ ଭଲ ନହେବାରୁ ପୂଜା ସାମଗ୍ରୀ ଦୋକାନ କଲେ । ଏବେ ସେ ଉନ୍ନତ ମାନର ଚାଷ କରି ବେଶ ଲାଭବାନ ହେଉଛନ୍ତି । ଅନ୍ୟଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । 

ସେ ଉଦ୍ୟାନ ବିଭାଗ ସହାୟତାରେ ୧୦ ଏକର ଜମିରେ ସୁନାର ଫସଲ ଫଳାଇଛନ୍ତି । ନିଜେ ରୋଜଗାର କରିବା ସହ ୩୦ଟି ପରିବାରକୁ ରୋଜଗାର ଦେଇଛନ୍ତି । ଚାକିରି ନକରି ଚାଷ କାମରୁ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ।  ସବୁଠାରୁ ବଡ଼ କଥା ହେଉଛି ଏହି ଚାଷ କାମରେ ରସୟନିକ କୀଟନାଶକ ବ୍ୟବହାର କରୁନାହାନ୍ତି । ସମ୍ପୂର୍ଣ୍ଣ ଜୈବୀକ ପ୍ରଣାଳୀରେ ଚାଷ କରୁଛନ୍ତି । ଏଥିରୁ ତାଙ୍କୁ ବର୍ଷକୁ ୨୪ ଲକ୍ଷ ଟଙ୍କା ରୋଜଗାର ମିଳୁଛି ।  

ବିଭୁତି ତାଙ୍କ ଜମିରେ ଗ୍ରୀନଲେଡି ଅମୃତଭଣ୍ଡା, ଗୟା ପୋଟଳ, ପେଣ୍ଡିଜହ୍ନି, ଫୁଲକୋବି, ଭେଣ୍ଡି ଚାଷ କରିଛନ୍ତି । ସେହିପରି ମୋହିତ ନଗର କିସମର ଗୁଆ, ଭିଏନଆର ପିଜୁଳି ଚାଷ କରିଛନ୍ତି । ବୁନ୍ଦା ଜଳସେଚନ ପ୍ରାଣାଳୀ ଚାଷ କରୁଛନ୍ତି ବିଭୁତି । ଫସଲକୁ ସୁରକ୍ଷା ଦେବା ପାଇଁ ସୋଲାର ତାର ବାଡ଼ କରିଛନ୍ତି । ଫସଲକୁ ଘାସ ଦାଉରୁ ରକ୍ଷା କରିବା ସହ ମାଟିରୁ ଜଳିୟ ଅଂଶ ସୁସ୍କ ନହେବା ପାଇଁ ମଲଚିଙ୍ଗ ପ୍ରଣାଳୀରେ ଚାଷ କରୁଛନ୍ତି । 

ସେହିପରି ୩୦ ଜଣ ପୁରୁଷ ମହିଳା ଆସି ପ୍ରତିଦିନ କ୍ଷେତରେ କାମ କରନ୍ତି । ମାସିକ ଦରମା ନେଇ ପରିବାର ଚଳାଇଥାନ୍ତି । କିଏ ପରିବା ତୋଳନ୍ତି ତ ଆଉ କିଏ ଚାରା ଲଗାନ୍ତି । ନିଜ ଚାରା ପ୍ରସ୍ତୁତ କରି କ୍ଷେତରେ ଲାଗାଉଛନ୍ତି । ପ୍ରତିଦିନ ତାଙ୍କ କ୍ଷେତରୁ ପରିବା ସଂଗ୍ରହ କରି ନିଜ ଗାଡି ଦ୍ୱାରା ଭୁବନେଶ୍ୱରକୁ ପଠାଉଛନ୍ତି । ତାଙ୍କ ବାଡିରୁ ବାହାରୁଥିବା ପନିପରିବା ସ୍ଥାନୀୟ ଅଂଚଳର ଲୋକଙ୍କ ଆବଶ୍ୟକ ପୁରଣ କରିପାରୁଛି । ଚାଷକାମରେ ଏଭଳି ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।