କନକ ବ୍ୟୁରୋ: ରାଉରକେଲାରେ ଚାଞ୍ଚଲ୍ୟ । ଜେଲ୍ ଫେରନ୍ତା ଆବେଶ ରାୟଙ୍କୁ ଦିନ ଦ୍ୱିପ୍ରହରରେ ଗୁଳି କରି ହତ୍ୟା କରିବାକୁ ଉଦ୍ୟମ । ଗୁଳିଟି ଶରୀରର ଏପଟ ସେପଟ ହୋଇଯାଇଥିଲେ ମଧ୍ୟ ବଞ୍ଚିଯାଇଛି ଆବେଶଙ୍କ ଜୀବନ । ଗୁରୁତର ଅବସ୍ଥାରରେ ଆବେଶଙ୍କର ଚିକିତ୍ସା ଚାଲିଥିବା ବେଳେ ପୋଲିସ ଯାଞ୍ଚରେ ସାମ୍ନାକୁ ଆସିଛି ୨୨ ବର୍ଷ ତଳର ପ୍ରତିଶୋଧର କାହାଣୀ  । 

Advertisment

ଓଲଟିଛି ପ୍ରତିଶୋଧର ପୁରୁଣା ପୃଷ୍ଠା । ପୂର୍ବ ଶତ୍ରୁତାକୁ ନେଇ ରାଉରକେଲାରେ ଫୁଟିଛି ଗୁଳି । ବିଶ୍ରା ଛକରେ ଜେଲ୍ ଫେରନ୍ତା ଆବେଶ ରାୟଙ୍କୁ ବାଇକରେ ଆସି ପଛ ପଟୁ ଗୁଳି ମାରିଛନ୍ତି ୨ ଦୁର୍ବୃତ୍ତ । ଅତି ନିକଟରୁ ଗୁଳିମାଡ ହୋଇଥିବାରୁ ଗୁଳିଟି ପିଠିରେ ବାଜି ଛାତି ପଟରେ ବାହାରିଛି । ଗୁରୁତର ଅବସ୍ଥାରେ ଆବେଶ ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ପୋଲିସ ଘଟଣାର ଯାଞ୍ଚ କରିବା ସହ ୧୯୯୭ ମସିହାର ହତ୍ୟାକାଣ୍ଡର ଲିଙ୍କ୍ ପାଇଛି ।


ହସ୍ପିଟାଲ ବେଡରୁ ଆବେଶ ନେଉଥିବା ନାଁ ସାଗର ସାହୁ କିଏ ? ଯାହାର ସମ୍ପୃକ୍ତି ଗୁଳିମାଡରେ ରହିଥିବା କହୁଛି ଆବେଶ । ଏହା ପଛରେ ଏକ ଚାଞ୍ଚଲ୍ୟକର ସତ ରହିଛି । ପ୍ଲାଣ୍ଟ ସାଇଟ ଥାନା ଗଞ୍ଜାମ ବସ୍ତିରେ ରହୁଥିବା ଆବେଶର ପରିବାର ଉପରକୁ ୧୯୯୭ରେ ମାଡି ଆସିଥିଲା କାଳଝଡ଼ ।  ୧୯୯୭ରେ ଆବେଶର ମା’ଙ୍କୁ ହତ୍ୟା କରିଥିଲେ ସାଗରଙ୍କ ବାପା । 

ପ୍ରତିଶୋଧ ପରାୟଣ ହୋଇ ୨୦୦୨ରେ ସାଗରଙ୍କ ବାପାଙ୍କୁ ମାରି ଜେଲ ଯାଇଥିଲେ ଆବେଶ । ୨୦୧୮ରେ ଜେଲରୁ ମୁକୁଳିବା ପରେ ଆବେଶଙ୍କୁ ରାସ୍ତାରୁ ହଟାଇବାକୁ ହୋଇଥିଲା ବ୍ଲୁ-ପ୍ରିଣ୍ଟ । କିନ୍ତୁ ସୁଯୋଗ ମିଳୁନଥିଲା । ଆଜି ସକାଳେ ଆବେଶ ଏକା ଥିବା ଦେଖି ହୋଇଥିଲା ଗୁଳିମାଡ । ପୋଲିସ ଦୁର୍ବୃତ୍ତଙ୍କୁ ଚିହ୍ନଟ କରି ସାରିଥିବା ବେଳେ ଧରିବାକୁ ଜାଲ ବିଛାଇଛି ।