କନକ ବ୍ୟୁରୋ: ରାଜଧାନୀରେ ଚାଞ୍ଚଲ୍ୟ, ଦେଢ଼ଶହ ଟଙ୍କା ପାଇଁ ମହିଳା ଚା' ଦୋକାନୀ ଓ ତାଙ୍କ ପୁଅ ଦେହରେ ଗ୍ରାହକ ଲଗାଇଦେଲା ନିଆଁ । ଭୁବନେଶ୍ୱର ୟୁନିଟ୍ -୬ ଅଞ୍ଚଳରେ ଏଭଳି ଜଘନ୍ୟ କାଣ୍ଡ ଘଟିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଅଭିଯୁକ୍ତକୁ ଖୋଜୁଛି କ୍ୟାପିଟାଲ ଥାନା ପୁଲିସ ।  

Advertisment

କ୍ୟାପିଟାଲ ହସ୍ପିଟାଲରେ ଛଟପଟ ହେଉଥିବା ପୀଡ଼ିତାଙ୍କ କାହାଣୀ ଶୁଣିଲେ ପାଦତଳୁ ମାଟି ଖସିଯିବ । ଏକ ଚା' ଦୋକାନ କରିଥିବା ସରୋଜିନୀ ପ୍ରଧାନ ନାମକ ଜଣେ ମହିଳା ବାକି ଟଙ୍କା ମାଗିବାରୁ ଜଣେ ଗ୍ରାହକ ତାଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି । ରାତିରେ ସରୋଜିନୀ ନିଜ ଦୋକାନରେ ଶୋଇଥିବା ବେଳେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ଅଭିଯୁକ୍ତ । ମହିଳାଙ୍କ ପୁଅ ସୂର୍ଯ୍ୟକାନ୍ତଙ୍କ ଉପରେ ବି ପେଟ୍ରୋଲ ଢାଳି ନିଆଁ ଲଗାଇ ଫେରାର ହୋଇଯାଇଛି ।  
 
ସରୋଜିନୀଙ୍କ ମୁହଁ ଫାଳେ ପୋଡ଼ି ଯାଇଛି । ଗୋଟିଏ ପଟ ହାତ ସହ ଦେହ ଓ ଗୋଡ଼  ଜଳିଯାଇଛି । ମୁଣ୍ଡର ଚୁଟିଠାରୁ ଆଖି ପତାରେ ମଧ୍ୟ ନିଆଁ ଲାଗିଯାଇଥିଲା । ଏବେ ସରୋଜିନୀ ଭଲ ଭାବେ କଥା କହି ପାରୁନାହାନ୍ତି । ଫେରାର ହୋଇଯାଇଥିବା ଅଭିଯୁକ୍ତକୁ ପୁଲିସ ଚିହ୍ନଟ କରି ସାରିଥିବା ବେଳେ ତାକୁ ଧରିବାକୁ ଚେଷ୍ଟା କରୁଛି। ସରୋଜିନୀଙ୍କ ପରିବାର ନ୍ୟାୟ ମାଗୁଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଆଇନଶୃଙ୍ଖଳାର ସ୍ଥିତି ବିପର୍ଯ୍ୟସ୍ତ ହେଲାଣି । ଦେଢ଼ଶହ ଟଙ୍କା ପାଇଁ ସୈତାନ ପାଲଟିଗଲା ଯୁବକ । କେବେ ମିଳିବ ନିରୀହ ମହିଳାଙ୍କୁ ନ୍ୟାୟ ?