ଭାରତରେ ଦୁର୍ନୀତି ଚରମ ସୀମାରେ ପହଞ୍ଚି ଥିବାବେଳେ ଅନେକ ଅପରାଧୀ ଆଇନ କାନୁନ ବ୍ୟବସ୍ଥାରେ ରହିଥିବା ଫାଙ୍କର ସୁବିଧା ନେଇ ଖସି ଯାଉଛନ୍ତି। ତେବେ ମଧ୍ୟପ୍ରଦେଶର ଖରଗୋନ୍‌ ଜିଲ୍ଲାରେ ଜଣେ ବ୍ୟକ୍ତି ୯୦ କେଜି ଗହମ ଚୋରି କରିବା ଅପରାଧରେ ୪୫ ବର୍ଷ ପରେ ଗିରଫ ହେବା ପରି ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ନାବାଳକ ବୟସରେ ଏହି ଚୋରି ଘଟଣାରେ ସମ୍ପୃକ୍ତି ଥିବା ସଲିମ୍‌ ନାମକ ବ୍ୟକ୍ତି ଜଣଙ୍କୁ ଧାର୍‌ ଜିଲ୍ଲାର ବାଗ୍‌ ସହରରୁ ଗିରଫ କରାଯାଇଛି। ୫୯- ବର୍ଷୀୟ ସଲିମ୍‌ ଏଠାରେ ନିଜ ପରିଚୟ ଗୋପନ ରଖି ପୁଅ ସହିତ ମିଶି ତେଜରାତି ଦୋକାନ ଚଳାଇଥିଲେ। ୧୯୮୦ ମସିହାରେ ସଲିମ୍‌ ୯୦ କେଜି ଗହମ ଚୋରି କରିଥିଲେ। ସେତେବେଳେ ଗହମ କେଜିର ମୂଲ୍ୟ ୨ ଟଙ୍କା ୫ ପଇସା ଥିଲା। ଏହି ହିସାବରେ ସେ ଚୋରି କରିଥିବା ଗହମର ମୂଲ୍ୟ ୧୮୪ ଟଙ୍କା ଥିଲା। ପୁଲିସ ସୂଚନା ଅନୁଯାୟୀ, ୧୯୮୦ ମସିହାରେ ଖରଗୋନ୍‌ ଜିଲ୍ଲାଠାରୁ ୮୦ କିମି ଦୂର ବାଲସମୁଦ ଅଞ୍ଚଳରେ ଏକ ପଡ଼ିଆରେ ରହିଥିବା ଗହମ ଚୋରି କରିଥିବା ୭ ଜଣ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ସମସ୍ତ ୭ ଜଣଙ୍କ ନାଁରେ ଗିରଫ ପରୱାନା ଜାରି ହୋଇଥିଲା। କିନ୍ତୁ ୨ ଜଣ ଫେରାର୍‌ ହୋଇଯାଇଥିଲେ। ସମୟ ଗଢ଼ିବା ସହିତ ୭ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ଅନ୍ୟ ଚାରି ଜଣଙ୍କୁ ଜାମିନ ମିଳିଯାଇଥିଲା। କିନ୍ତୁ ସଲିମ୍‌ଙ୍କର ସେବେଠାରୁ କୌଣସି ଖୋଜଖବର ନଥିଲା। ଏସ୍‌ଡିପିଓ ଶ୍ବେତା ଶୁକ୍ଲା କହିଛନ୍ତି, ଦୀର୍ଘ ଦିନ ଧରି ପଳାତକ ଥିବା ୱାରେଣ୍ଟଧାରୀଙ୍କୁ ଠାବ କରିବା ପାଇଁ ଆରମ୍ଭ ହୋଇଥିବା ଏକ ସ୍ୱତନ୍ତ୍ର ଅଭିଯାନ ସମୟରେ ସଲିମ୍‌ଙ୍କୁ ଗିରଫ କରାଯାଇଥିଲା।

Advertisment

ପୁଲିସ ସୂଚନା ଅନୁଯାୟୀ, ସଲିମ ନିଜର ପରିଚୟ ବଦଳାଇ ଅପରାଧ ଘଟାଇଥିବା ସ୍ଥାନଠାରୁ ୯୦ କିଲୋମିଟର ଦୂରରେ ରହୁଥିଲେ। ସେଠାରେ ସେ ଏକ ତେଜରାତି ଦୋକାନ ଚଳାଉଥିଲେ। ଗିରଫ ହେବା ପରେ ସଲିମଙ୍କୁ କସରାୱାଡ କୋର୍ଟରେ ହାଜର କରାଯାଇଥିଲା ଏବଂ ନ୍ୟାୟିକ ହାଜତକୁ ପଠାଯାଇଥିଲା। ଏତେ ବର୍ଷ ପରେ ପୁଲିସ ଏହି ଚୋରି ମାମଲା ସମ୍ପର୍କରେ ଭୁଲି ଯାଇଥିବ ବୋଲି ସଲିମ ମନେକରି ସାଧାରଣ ଭାବେ ଜୀବନଯାପନ କରୁଥିଲା। ତେବେ ସଲିମଙ୍କ ଗିରଫଦାରୀକୁ ନେଇ ତାଙ୍କ ପତ୍ନୀ ତସ୍‌ଲିମ୍‌ ଅନେକ ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ସଲିମ୍‌ ନାବାଳକ ଥିବା ସମୟରେ ଏହି ଅପରାଧ ଘଟାଇଥିଲେ। ତାଙ୍କୁ ସେତେବେଳେ ମାତ୍ର ୧୩ ରୁ ୧୫ ବର୍ଷ ବୟସ ହୋଇଥିଲା। କେମିତି ଜଣେ ନାବାଳକଙ୍କ ବିରୋଧରେ ୪୫ ବର୍ଷ ପରେ ବି ମାମଲା ଚାଲିପାରିବ। ଆମର ପୂରା ପରିବାର ବାଲଖଡରେ ରହୁଛି, କିନ୍ତୁ ପୁଲିସ ଘରକୁ କେବେ ଆସିନଥିଲା। ତସ୍‌ଲିମ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ସଲିମ୍‌ଙ୍କ ଜାମିନ ପାଇଁ ତାଙ୍କୁ ପ୍ରାୟ ୧୫,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା ​​ଏବଂ ଅଭିଯୋଗକାରୀଙ୍କୁ ୬,୦୦୦ ଟଙ୍କା ଦେବାକୁ ବାଧ୍ୟ କରାଯାଇଥିଲା।