କନକ ବ୍ୟୁରୋ:  ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ପୁଣିଥରେ ଚର୍ଚ୍ଚାକୁ ଫେରିଛି। ମମିତାଙ୍କ ହତ୍ୟାକାଣ୍ଡ ଫାଇଲ ପୁଣି ଥରେ ଖୋଲିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।   ମୁଖ୍ୟ ଅଭିଯୁକ୍ତ ମୃତ ଗୋବିନ୍ଦ ସାହୁଙ୍କ ପରିବାର ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ । ଆଜି ମମିତାଙ୍କ ପରିବାର ସାମନାକୁ ଆସିଛନ୍ତି । ମମିତାଙ୍କ ବାପା କହିଛନ୍ତି, ପୂର୍ବରୁ ସିବିଆଇ ତଦନ୍ତ ଦାବି କରିଥିଲୁ। କିନ୍ତୁ ଏପର୍ଯ୍ୟନ୍ତ ଝିଅ ହତ୍ୟାକାଣ୍ଡର ନ୍ୟାୟ ମିଳିପାରିନି । ଏବେ ନୂଆ ସରକାର ଆସିଛି, ନ୍ୟାୟ ମିଳିବ ବୋଲି ବିଶ୍ବାସ ରହିଛି । 

Advertisment

ଗତକାଲି ଗୋବିନ୍ଦଙ୍କ ଝିଅ ଓ ପତ୍ନୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଗୋବିନ୍ଦଙ୍କ ମୃତ୍ୟୁ ପଛରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ହାତ ଥିବା ଅଭିଯୋଗ ଆଣି ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ । ଏଥିସହ ଧମକ ମିଳୁଥିବାରୁ ସୁରକ୍ଷା ଲୋଡିଛନ୍ତି। ପରିବାର ସହ କିଛି ବି ହୋଇପାରେ ବୋଲି ଆଶଙ୍କା କରିଛନ୍ତି ।   ୨୦୨୧ ଅକ୍ଟୋବରରେ କଳାହାଣ୍ଡି ମହାଲିଙ୍ଗ ସ୍ଥିତ ସନସାଇନ ଇଂରାଜୀ ମିଡିୟମ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା କରାଯାଇଥିଲା ।

ନିଖୋଜ ହେବାର କିଛି ଦିନ ପରେ ସ୍କୁଲ ନିକଟ ଖେଳପଡ଼ିଆରୁ ମାଟିତଳୁ ମମିତାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ଏହାପଛରେ ସ୍କୁଲର ପ୍ରମୋଟର ଗୋବିନ୍ଦ ସାହୁ ଥିଲେ ବୋଲି ଅଭିଯୋଗ ପରେ ତାଙ୍କୁ ଗିରଫ କରି ଜେଲ ପଠାଇ ଦିଆଯାଇଥିଲା । କିନ୍ତୁ ୨୦୨୨ ଡିସେମ୍ବର ମାସରେ ଜେଲ୍‌ରେ ଗୋବିନ୍ଦ ସାହୁଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା ।