କନକବ୍ୟୁରୋ : ନୂଆ ଆଳୁ ନ ଆସିବା ଯାଏଁ ସିଧାସଳଖ ଆଳୁ ଦେବାକୁ ମନାକରିଦେଇଛନ୍ତି ଦିଦି । ଫଳରେ ରାଜ୍ୟରେ ପୁଣି ଆଳୁସଙ୍କଟ ଦେଖାଦେବା ଜଳଜଳ ହୋଇ ଦିଶୁଛି । ଦିଦିଙ୍କ ଧମକ ପରେ ପଶ୍ଚିମବଙ୍ଗ-ଓଡିଶା ସୀମାର ସ୍ଥିତି । ଏଠାରେ ପ୍ରାୟ ୨ ଶହରୁ ଅଧିକ ଆଳୁ ଟ୍ରକ ଅଟକି ରହିଛି ।
ଦିଦି ଆଳୁ ଦେବାକୁ ମନା କରିଦେବା ପରେ ଚେକିଂ ସମୟରେ ଅଟକାଯାଇଥିବା ଗାଡି ସୀମାକୁ ଫେରିଯାଇଛି ।
ଦିଦି ଆଳୁ ଦେବାକୁ ମନା କରିବା ପରେ ରାଜ୍ୟରେ ଆଳୁ ସଙ୍କଟ ଦେଖାଯିବା ସହ କଳାବଜାରୀ ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି । ଏଭଳି ସ୍ଥିତିରେ ବିରକ୍ତିଭାବ ପ୍ରକାଶ କରି ସରକାର ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବି କରିଛି ବ୍ୟବସାୟୀ ସଂଘ ।
ଅଗଷ୍ଟରେ ଆଳୁସଙ୍କଟରେ ଘାଂଟି ହୋଇଥିଲେ ରାଜ୍ୟବାସୀ । ସମନ୍ୱୟର ଅଭାବଯୋଗୁଁ ପ୍ରାୟ ଏକମାସ ଧରି ଆଳୁ ୫୦ ଟଙ୍କା ଉପରେ ବିକ୍ରୀ ହୋଇଥିଲା । ଆଉ ଏବେ ପୁଣି ସମାନ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉଛି । ତେବେ ନିଜ ମୁଣ୍ଡରୁ ଦାୟିତ୍ବ ଖସାଇବା ସହ ଏଥିପାଇଁ ନବୀନ ଓ ମମତାଙ୍କ ସମ୍ପର୍କକୁ ଦାୟୀ କରିଛନ୍ତି ଯୋଗାଣ ମନ୍ତ୍ରୀ ।
ଅଗଷ୍ଟରେ ଆଳୁ ସଙ୍କଟ ବେଳେ ୟୁପିରୁ ଆଳୁ ଆଣିବାକୁ ଦମ୍ଭୋକ୍ତି ଦେଖାଇଥିଲେ ନୂଆ ସରକାର । କିନ୍ତୁ ଖର୍ଚ୍ଚ ଅଧିକ ଓ ଲୋକେ ନାପସନ୍ଦ କରିବାରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନଥିଲା । ଏବେ କିଛି ଅସୁବିଧା ହେବନି ବୋଲି କହୁଥିବା ମନ୍ତ୍ରୀ ଖାଉଟିଙ୍କ ପାଇଁ କଣ କରିବେ ତା ଉପରେ ସମସ୍ତଙ୍କ ନଜର ରହିଛି