କନକ ବ୍ୟୁରୋ : ପଶ୍ଚିମବଙ୍ଗ ଦୀଘାରେ ଅବିକଳ ପୁରୀ ଜଗନ୍ନାଥ ମନ୍ଦିର ଭଳି ମନ୍ଦିର ତିଆରି ହୋଇଛି । ଆଉ ଅକ୍ଷୟ ତୃତୀୟାରେ ଏହାର ଉଦଘାଟନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମନ୍ଦିରର ଉଦଘାଟନ ହୋଇଛି । ପୁରୀ ଜଗନ୍ନାଥ ମନ୍ଦିର ସମତୁଲ ଦିଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିରରେ କାଠ ବଦଳରେ ପଥର ମୂର୍ତ୍ତିରେ ପୂଜା ପାଇଵେ ୩ ଠାକୁର । ପାରମ୍ପରିକ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଏହି ଭବ୍ୟ ମନ୍ଦିର ରାଜସ୍ଥାନର ଉତ୍କୃଷ୍ଟ ଗୋଲାପୀ ବାଲିପଥରରେ ନିର୍ମିତ ହୋଇଛି । ୨୦ ଏକର ଜମିରେ ମନ୍ଦିର ପାଇଁ ପଶ୍ଚିମବଙ୍ଗ ସରକାର ୨୫୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ରାଜସ୍ଥାନର ୮୦୦ ରୁ ଅଧିକ କୁଶଳୀ କାରିଗର ଏହି ମନ୍ଦିର ନିର୍ମାଣ କରିଛନ୍ତି । 

Advertisment

ଦୀଘା ମନ୍ଦିରରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରି  ଭୋଗମଣ୍ଡପ, ନାଟମଣ୍ଡପ, ଜଗମୋହନ ଏବଂ ପବିତ୍ର ଗର୍ଭଗୃହ ଭଳି କାରୁକାର୍ଯ୍ୟ କରାଯାଇଛି । ମନ୍ଦିର ପ୍ରବେଶ ଦ୍ୱାରରେ ଏକ ଉଚ୍ଚ ୩୪ ଫୁଟର ଲମ୍ବା, ୧୮ ମୁଖା ବିଶିଷ୍ଟ ଅରୁଣ ସ୍ତମ୍ଭ ନିର୍ମାଣ କରାଯାଇଛି । ଏଠାରେ କଳା ପଥରରେ  ମୁକୁଟ ପିନ୍ଧିଥିବା ଅରୁଣ ମୂର୍ତ୍ତି ତିଆରି ହୋଇଛି ।  ମନ୍ଦିରରେ ସିଂହଦ୍ୱାର, ବ୍ୟାଘ୍ରଦ୍ୱାର, ହସ୍ତୀଦ୍ୱାର ଏବଂ ଅଶ୍ୱଦ୍ୱାର ପରି ସମାନ ୪ ଦୁଆର କରାଯାଇଛି । ତା ସିହତ ଲକ୍ଷ୍ମୀ ମନ୍ଦିର ଏବଂ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୋଗ ନୈବେଦ୍ୟ ପ୍ରସ୍ତୁତ କରିବା ପାଇଁ ଏକ ପୃଥକ ଭୋଗଶାଳା ମଧ୍ୟ ରହିଛି । ସୁଆର ମହାସୁଆର ନିଯୋଗର ବାରଣ ସତ୍ତ୍ବେ  ପ୍ରତିଷ୍ଠା ଉତ୍ସବରେ ମହାପ୍ରଭୁଙ୍କ ନୀତିକାନ୍ତି ଯୋଗ ଦେଇଥିଲେ ପୁରୀର ପ୍ରାୟ ୭୦ ସେବାୟତ । ତେବେ ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ପୁରୀରେ ତୀବ୍ର ବିରୋଧ କରାଯାଇଛି । 
ପୁରୁଣା ପରମ୍ପରାକୁ ପାଳନ କରି ଦିଘା ମନ୍ଦିରରେ ଦୈନନ୍ଦିନ ପତାକା ପରିବର୍ତ୍ତନ ଭଳି ରୀତିନୀତି କରାଯିବ । ମନ୍ଦିରର ଉଦଘାଟନ ପରେ ମନ୍ଦିର ପରିଚାଳନା ଦାୟିତ୍ୱ ଇସ୍କନକୁ ଦିଆଯାଇଛି । ମନ୍ଦିର ତିଆରି ପାଇ ପ୍ରାୟ ୫ ବର୍ଷ ଲାଗିଥିଲା ।