କନକ ବ୍ୟୁରୋ: ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ନେଇ ଓଡିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଶେଷକରି ଜଗନ୍ନାଥ ଧାମ ଲେଖିବା ଓ ବ୍ରହ୍ମ ସ୍ଥାପନକୁ ସେବାୟତ ତୀବ୍ର ବିରୋଧ କରିଛନ୍ତି । ଏପରିରି ଜଗନ୍ନାଥ ଧାମ ନାମକରଣକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖି ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ସୁଦର୍ଶନ ପଟ୍ଟନାୟକ ।

Advertisment

ପଶ୍ଚିମବଙ୍ଗର ଦୀଘାରେ ପୁରୀ ଜଗନ୍ନାଥ ମନ୍ଦିର ଭଳି ଜଗନ୍ନାଥ ମନ୍ଦିରକୁ ନେଇ ଓଡିଶାରେ ବିବାଦ ଦେଖାଦେଇଛି । ମମତାଙ୍କ ଏହି ନିଷ୍ପତ୍ତି ନେଇ ଓଡିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।  ଚାରିଧାମ ଭିତରେ ଯାଉଛି ପୁରୀର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର । ଏଠାରେ ଦାରୁବ୍ରହ୍ମ ପୂଜା ପାଉଛନ୍ତି । ତେଣୁ ଦୀଘାରେ ଏଭଳି ମନ୍ଦିର କରି, ମମତା ବାନାର୍ଜୀ କି ସନ୍ଦେଶ ଦେବାକୁ ଚାହୁଁଛନ୍ତି ? ପୁରୀର ମର୍ଯ୍ୟାଦା କମାଇବାକୁ ଷଡ଼ଯନ୍ତ୍ର ହେଉଛି କି? ସେ ନେଇ ଜଗନ୍ନାଥ ପ୍ରେମୀ ପ୍ରଶ୍ନ କରିଛନ୍ତି । ଦୀଘାରେ ଜଗନ୍ନାଥ ମନ୍ଦିର ହେବା ଖୁସିର କଥା । କିନ୍ତୁ ଦୀଘା ମନ୍ଦିରରେ ଲେଖାଯାଇଛି ଜଗନ୍ନାଥ ଧାମ । ତେଣୁ ଜଗନ୍ନାଥ ଧାମ ନାମକରଣ କରିବା ଓ ପଥର ମୂର୍ତ୍ତିରେ ବ୍ରହ୍ମ ସ୍ଥାପନକୁ ପୁରୀ ସେବାୟତ ତୀବ୍ର ବିରୋଧ କରିଛନ୍ତି । ପୁରୀର କିଛି ଦଇତାପତି ସେବାୟତ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ବିବାଦକୁ ବଢାଇଛି । 

ଦୀଘା ଜଗନ୍ନାଥ ମନ୍ଦିର ଏବେ ପୁରୀର ପର୍ଯ୍ୟଟନ ପାଇଁ ବଡ ବିପଦ ସୃଷ୍ଟି କରିବାର ଆଶଙ୍କା ପ୍ରକାଶ ପାଇଛି ।  ବଙ୍ଗାଳି ପର୍ଯ୍ୟଟକଙ୍କ ଉପରେ ନିର୍ଭରଶୀଳ ପୁରୀର ପର୍ଯ୍ୟଟନ ଶିଳ୍ପ ଦୀଘା ଜଗନ୍ନାଥ ମନ୍ଦିର ଯୋଗୁଁ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି । କାରଣ, ଶ୍ରୀକ୍ଷେତ୍ରକୁ ଆସୁଥିବା ଦେଶୀୟ ପର୍ଯ୍ୟଟକଙ୍କ ମଧ୍ୟରେ ବଙ୍ଗାଳିଙ୍କ ସଂଖ୍ୟା ଅଧିକ । ଅନ୍ୟପଟେ ଦୀଘା ଜଗନ୍ନାଥ ମନ୍ଦିର ଏକ ଦର୍ଶନୀୟ ଓ ପର୍ଯ୍ୟଟନସ୍ଥଳୀ ହୋଇପାରେ । କିନ୍ତୁ ଜଗନ୍ନାଥ ଧାମ ହୋଇନପାରେ ବୋଲି ଅନେକ ଜଗନ୍ନାଥ ପ୍ରେମୀ କହିଛନ୍ତି । ଏ ବିବାଦରେ ହସ୍ତକ୍ଷେପ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ସୁଦର୍ଶନ ପଟ୍ଟନାୟକ ସରକାରଙ୍କୁ ଚିଠି ଲେଖିଛନ୍ତି ।

ବିଜେଡି ସରକାର ପୁରୀରେ ଅତିଥି ଭବନ ନିର୍ମାଣ ପାଇଁ ମମତା ବାନାର୍ଜୀଙ୍କୁ ୫ ଏକର ଜମି ଦେଇଥିଲେ । କିନ୍ତୁ ମମତା ଅତିଥି ଭବନ ବଦଳରେ ଦୀଘା ମନ୍ଦିର ନିର୍ମାଣରେ ବ୍ୟସ୍ତ ରହିଲେ । ଏବେ ଦୀଘା ଜଗନ୍ନାଥ ମନ୍ଦିର ସମ୍ପର୍କରେ ପଶ୍ଚିମବଙ୍ଗ ସରକାର ଜୋରଦାର ପ୍ରଚାର ପ୍ରସାର କରୁଛନ୍ତି । ଦୀଘାରେ ମନ୍ଦିର ହେଲେ ପୁରୀ ଉପରେ କି ପ୍ରଭାବ ପଡିବ ତାହା ଆଗାମୀ ସମୟରେ ଜଣାପଡିବ ।