କନକ ବ୍ୟୁରୋ : ସୁପ୍ରିମକୋର୍ଟ ପଶ୍ଚିମବଙ୍ଗର ୨୫ହଜାର ଶିକ୍ଷକଙ୍କ ନିଯୁକ୍ତିକୁ ରଦ୍ଦ କରିବା ପରେ ଆଜି ସାମ୍ନାକୁ ଆସିଛି ନିଆରା ଦୃଶ୍ୟ । ଦୀର୍ଘ କିଲୋମିଟର ଲମ୍ବା ଇାଇନରେ ଛିଡା ହୋଇଛନ୍ତି ଶହ ଶହ ସଂଖ୍ୟକ ଶିକ୍ଷକ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଓ ନିଜ ସମସ୍ୟାର ସମାଧନ ପାଇଁ ଅନୁରୋଧ କରିଛନ୍ତି ।
ସେପଟେ ମମତା ବାନାର୍ଜୀ ଚାକିରି ହରାଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଭେଟି ସେମାନଙ୍କୁ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସରକାରଙ୍କ ଉପରେ ଲଗାଯାଇଥିବା ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମମତା । ଚାକିରି ହରାଇଥିବା ଶିକ୍ଷକଙ୍କୁ ନ୍ୟାୟ ଦେବାକୁ ଯଦି ଜେଲ ଯିବାକୁ ପଡେ ସେ ଜେଲ ଯିବାକୁ ରାଜି ବୋଲି ମମତା କହିଛନ୍ତି ।
ସେପଟେ ରାଜ୍ୟରେ ବିକ୍ଷୋଭ ଆରମ୍ଭ କରିଛି ବିଜେପି । ଅଧ୍ୟକ୍ଷ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ବରେ କୋଲାକାତାରେ ବିଜେପି ସ୍ଲୋଗାନ ଦେଇ ବଡ ଧରଣର ବିକ୍ଷୋଭ କରିଛି । ଦଳ କହିଛି ବଡ ଦୁର୍ନୀତି ପାଇଁ ମମତାଙ୍କୁ ଜେଲ ଦଣ୍ଡ ମିଳିବା ଉଚିତ । ଗୁରୁବାର ସୁପ୍ରିମକୋର୍ଟ ଶୁଣାଣି କରି କୋଲକାତା ହାଇକୋର୍ଟଙ୍କ ଫଇସଲାକୁ କାୟମ ରଖିଥିଲେ । ୨୦୧୬ରେ ପଶ୍ଚିମବଙ୍ଗ ଏସ୍ଏସ୍ସି ଦ୍ବାରା ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ପ୍ରକିୟାରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ରହିଛି । ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା ଏବଂ ବିଚାରପତି ପିଭି ସଞ୍ଜୟ କୁମାରଙ୍କ ଗଠିତ ଖଣ୍ଡପୀଠଙ୍କ କହିଛନ୍ତି, ନିଯୁକ୍ତି ବାତିଲ ହୋଇଥିବା କର୍ମଚାରୀଙ୍କ ଦରମା ଏବଂ ଅନ୍ୟାନ୍ୟ ଭତ୍ତା ଫେରସ୍ତ କରିବା ଆବଶ୍ୟକ ନାହିଁ ବୋଲି କହିଥିଲେ । ଚୟନ ପ୍ରକ୍ରିୟାକୁ ପୁଣିଥରେ ଆରମ୍ଭ କରିବା ସହ ତିନି ମାସ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ନୀତିର ସିବିଆଇ ତଦନ୍ତ ଏବଂ ନିଯୁକ୍ତି ରଦ୍ଦ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟ ଯାଇଥିଲେ । କିନ୍ତୁ ସେଠାରୁ ମଧ୍ୟ ନିରାଶ ହେବାକୁ ପଡିଛି ।