ବିଦେଶରେ ହଟହଟା ହେଲେ ମମତା ; ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ପ୍ରବଳ ବିରୋଧ

ବିଦେଶରେ ହଟହଟା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ମମତାଙ୍କୁ ପ୍ରବଳ ବିରୋଧ । ଆରଜି କର ଦୁଷ୍କର୍ମ, ମହିଳାଙ୍କ ପ୍ରତି ବଢ଼ୁଥିବା ହିଂସା ପ୍ରସଙ୍ଗ ହଟାଇ ଗୋବ୍ୟାକ ନାରା ୟୁକେର ଷ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ।

Mamata Banerjee__

Mamata Banerjee__ Photograph: (Kanaknews)

କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଂଲଣ୍ଡ ଗସ୍ତରେ ଅଛନ୍ତି । ଏହି ସମୟରେ ମମତାଙ୍କ ଦେଇଥିବା ଏକ ବୟାନ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କେଲୋଗ୍ କଲେଜରେ ଦିଆଯାଇଥିବା ଭାଷଣ ସମୟରେ ମମତାଙ୍କୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏହି ସମୟରେ କିଛି ଛାତ୍ର ମମତାଙ୍କୁ ପ୍ରଶ୍ନ ପଚାରିବା ସହ ଗୋବ୍ୟାକ୍ ମମତା ସ୍ଲୋଗାନ ମଧ୍ୟ ଦେଇଥିଲେ । ମମତା ବାନାର୍ଜୀ ଏହି ପ୍ରତିବାଦର ଜବାବ ଦେଇ ୧୯୯୦ ଦଶକର ଏକ ଫଟୋ ଦେଖାଇଥିଲେ ଏବଂ କହିଥିଲେ ବିରୋଧୀ ଦଳରେ ଥିବା ବେଳେ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା। ମମତା ବାନାର୍ଜୀଙ୍କ ଭାଷଣ ସମୟରେ ପଶ୍ଚିମବଙ୍ଗରେ କୋଟି କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଉପରେ ଜଣେ ଦର୍ଶକ ତାଙ୍କୁ ପ୍ରଶ୍ନ ପଚାରିବାରୁ ବିବାଦ ଆରମ୍ଭ ହୋଇଥିଲା। 

ମମତା ଏହି ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ମଝିରେ ଆଉ ଜଣେ ଦର୍ଶକ ଆଉ କିଛି ପଚାରିଥିଲେ । ଏହାପରେ କିଛି ଲୋକ ତାଙ୍କୁ କୋଲକାତାର ଆରଜି କର ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପ୍ରଶ୍ନ ମଧ୍ୟ ପଚାରିଥିଲେ । ଏହା ଉପରେ ମମତା କହିଛନ୍ତି, ଏହି ମାମଲା କୋର୍ଟରେ ବିଚାରାଧୀନ ଅଛି । ଏହାକୁ ରାଜନୈତିକ ମଞ୍ଚରେ ପରିଣତ କରନ୍ତୁ ନାହିଁ । ବିକ୍ଷୋଭକାରୀଙ୍କୁ ଟାର୍ଗେଟ କରି ମମତା କହିଛନ୍ତି , ଆପଣ ବଙ୍ଗଳା ଯାଇ ନିଜର ରାଜନୈତିକ ଦଳକୁ ମଜବୁତ କରନ୍ତୁ ଏବଂ ତା'ପରେ ମୋତେ ପ୍ରଶ୍ନ କରନ୍ତୁ । ପ୍ରଥମେ ମୋ ଫଟୋକୁ ଦେଖନ୍ତୁ ଏବଂ ଦେଖନ୍ତୁ କିପରି ମୋତେ ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା । ଏହି ସମୟରେ କିଛି ଦର୍ଶକ ବଙ୍ଗଳାରେ ହିନ୍ଦୁଙ୍କ ପ୍ରତି ହେଉଥିବା ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଥିଲେ, ଯାହାର ଉତ୍ତରରେ ମମତା କହିଥିଲେ,ମୁଁ ସବୁ ଧର୍ମ ପାଇଁ, ହିନ୍ଦୁ ଓ ମୁସଲମାନ ସମସ୍ତେ ମୋ ପାଇଁ ସମାନ। ତେବେ ଏହି ଉତ୍ତର ପରେ କିଛି ଛାତ୍ର ମମତା ବାନାର୍ଜୀଙ୍କୁ ଫେରିଯିବାର ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe