କନକ ବ୍ୟୁରୋ: ଗରିବଙ୍କ ପାଇଁ ହଜାରେ ଯୋଜନା । ହେଲେ ଆଜି ବି ସେମାନେ ଅବହେଳିତ । ଖଣି ପାଇଁ ଜମି ଦେଇଥିବା ଆଦିବାସୀଙ୍କ ଦୁଃଖ ତ କହିଲେ ନ ସରେ । ଆଜି ବି ସେମାନେ ଯୁଝି ହେଉଛନ୍ତି ଗରିବୀ ଓ ଅବହେଳାର ସଂଗ୍ରାମରେ ।
ଭାରାକ୍ରାନ୍ତ କରି ପକାଉଥିବା ଏ ଘଟଣା ଖଣିଖାଦାନ ଭରା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳର । ଯେଉଁଠୁ ବାହାରୁଥିବା ଲୁହା ପଥର ସାରା ଦେଶର ଅର୍ଥନୀତିକୁ ସମୃଦ୍ଧ କରେ । ସେହି କୋଇଡ଼ାର ଶିଶୁମାନଙ୍କୁ ମାଡ଼ି ବସିଛି ଅପପୁଷ୍ଟି । ନା ପେଟକୁ ଦାନା ଅଛି, ନା ଦେହକୁ କନା । ପେଟ ବାହାରି ଆସିଛି । ଶିର ଦୁଇଁ ହୋଇ ଯାଇଛି । ଆଉ ଗଣି ହୋଇ ଯାଉଛି କଙ୍କାଳ ହାଡ଼ । ଭୋକ ଓ ଭେକର ଏ ଯୁଗଳବନ୍ଦୀ କେଉଁ ଉପନ୍ୟାସର କାହାଣୀ ନୁହେଁ ବରଂ ଶିଳ୍ପ ଅଂଚଳରେ ଅନାହାର ଓ ହତାଦରର ବାସ୍ତବ ଚିତ୍ର ।
ଯେଉଁମାନଙ୍କ ଜମିରେ ଛିଡ଼ା ହୋଇଛି କମ୍ପାନି, ସେମାନଙ୍କ ପେଟକୁ ଆଜି ଦାନା ନାହିଁ । ଏ ଘଟଣା କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳର । ସ୍ବାଧୀନତାର ୭୦ବର୍ଷ ପରେ ବି ଗାଁରେ ପହଞ୍ଚୁନି ବିକାଶ । ସରକାରୀ ଯୋଜନା ତ ଦୂରର ପେଟକୁ ମୁଠାଏ ଦାନା ଯୋଗାଡ଼ିବା ବି ଏମାନଙ୍କ ପାଇଁ କଷ୍ଟକର । ଓଳିଏ ଖାଇଲେ, ଆର ଓଳିକୁ ପେଟ ପୁରିବ କି ନାହିଁ ସନ୍ଦେହ । କୁଶଳୀ ହୋଇନଥିବାରୁ ଖଣିରେ କାମ ମିଳୁନି । ପିଲା, ପରିବାର ଛାଡ଼ି ଦାଦନ ଖଟିବାକୁ କିଏ ଯାଉଛି ତ, କିଏ ପଡ଼ି ରହୁଛି ଭିଟାମାଟିରେ ଭୋକ ଉପାସରେ ।
ସରକାର ପରେ ବଦଳୁଛି ସରକାର । ହେଲେ ବଦଳୁନି ଖଣି ପାଖ ଗାଁଗଣ୍ଡାର ଚିତ୍ର । ପାହାଡ଼ ଚଢ଼ି ପାଠ ପଢ଼ିବା କାଠିକର ପାଠ । ଅଙ୍ଗନବାଡ଼ିରେ ମିଳି ପାରୁନି ସୁଷମ ଖାଇବା । ଅପପୁଷ୍ଟି ଓ ରକ୍ତଶିକୁଳିରେ ବନ୍ଧା ଏ ଲୋକଙ୍କ ପାଖେ କେବେ ପହଞ୍ଚିବେ ସରକାର, ତାହାକୁ ଅପେକ୍ଷା ।