କନକ ବ୍ୟୁରୋ: ଆଉ ମାତ୍ର କିଛି ଦିନ ପରେ ଝାଡଖଣ୍ଡରେ ପଡିବାକୁ ଯାଉଛି ଭୋଟ୍ । ଆଉ ଏହା ପୂର୍ବରୁ ଆରମ୍ଭ ହେଇଯାଇଛି ଆରୋପ ପ୍ରତ୍ୟାରୋପର ରାଜନୀତି । ଏହାରି ଭିତରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ବାଣ୍ଟିହେବ ତ କଟିବ’ ବୟାନ ଉପରେ ପ୍ରତି ଆକ୍ରମଣ କରିଛନ୍ତି । ଯୋଗୀଙ୍କୁ ଖଡଗେ କହିଛନ୍ତି ଯେ, ବାଣ୍ଟୁଛ ବି ତମେ, ଆଉ କାଟୁଛି ବି ତମେ ।
ଖାଲି ସେତିକି ନୁହେଁ, ପିଏମ୍ ମୋଦୀ ଆଉ ଅମିତ ଶାହାଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଖଡଗେ । ରାଞ୍ଚିର ଏକ ରାଲିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସିଧା ସିଧା ଟାର୍ଗେଟ କରିଛନ୍ତି ଖଡଗେ । ଲୋକମାନେ କାହିଁକି ବାରମ୍ବାର ସେ ମିଛ କହୁଥିବା ଲୋକଙ୍କୁ ଭୋଟ୍ ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପି ଲୋକଙ୍କୁ ବାଣ୍ଟିବାକୁ ଚାହୁଁଛି ବୋଲି ଖଡଗେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ ଜୁମଲା ଅଟେ । ତାଙ୍କ ଗୃହମନ୍ତ୍ରୀ କହିଥିଲେ ଯେ, ୨ କୋଟି ଯୁବକଙ୍କୁ ରୋଜଗାର ଦେବେ, ହେଲେ ଏ ନିର୍ବାଚନୀ ପ୍ରତିଶ୍ରୁତି ଜୁମଲା ଅଟେ । ଏହା ପୂର୍ବରୁ ମଧ୍ୟ ସେ ଲୋକଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଲେଖାଏଁ ଟଙ୍କା ଦେବାକୁ କହିଥିଲେ, ହେଲେ ଏ କଥା ମଧ୍ୟ ମିଛ ଥିଲା ବୋଲି ଖଡଗେ କହିଛନ୍ତି ।