କନକ ବ୍ୟୁରୋ: ପିଏମ୍ ମୋଦୀଙ୍କ ଉପରେ ବର୍ଷିଲେ କଂଗ୍ରେସ ମୁଖିଆ । କଂଗ୍ରେସର ଅଧ୍ୟକ୍ଷ ଥିବା ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦମଦାର ଆଟାକ୍ କରିଥିବାବେଳେ, ମୋଦୀ ଦେଶକୁ ବିକି ଚାଲିଯିବେ ବୋଲି ବଡ଼ ଅଭିଯୋଗ ଆଣିଛନ୍ତି ।
ସିଧା ସିଧା ମୋଦୀଙ୍କୁ ଟାର୍ଗେଟ୍ କରି ଖଡଗେ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଛନ୍ତି । ଯେତେବେଳେ ସାରା ବିଶ୍ୱ ଇଭିଏମ୍ ଛାଡି ବାଲାଟ୍ ବକ୍ସକୁ ଫେରୁଛି, ସେତେବେଳେ ଆମେ ଇଭିଏମ୍ ଉପରେ ନିର୍ଭର କରୁଛେ । ନିର୍ବାଚନରେ ଫାଇଦା ପାଇବା ପାଇଁ ବିଜେପି ଏହି ଇଭିଏମର ବ୍ୟବହାର କରୁଛି । ଏମିତି ହେଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦେଶକୁ ବିକି ଚାଲିଯିବେ ବୋଲି କହିଛନ୍ତି କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡଗେ ।
ଗୁଜରାଟର ଅହମ୍ମଦାବାଦରେ ଚାଲିଛି ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧିବେଶନ । ବୁଧବାର ଏହି ମିଟିଂରେ ନିଜର ସ୍ପିଚ୍ ଦେଇଥିଲେ କଂଗ୍ରେସ ମୁଖିଆ । ଯେଉଁଥିରେ ସେ ବିଜେପି ଆଉ ମୋଦୀ ସରକାରକୁ ସିଧା ସିଧା ତୀର ମାରିବା ସହିତ, କହିଥିଲେ, ଯଦି ଏମିତି ଚାଲିବ, ତେବେ ମୋଦୀ ଏ ଦେଶକୁ ବିକି ଚାଲିଯିବେ । ଲଗାତାର ଏ ଦେଶରେ ସରକାରୀ ଚାକିରିରେ ସଂରକ୍ଷଣ କମ ହେବାରେ ଲାଗିଛି । ଏସସି, ଏସଟି ଆଉ ଓବିସିଙ୍କ ପାଇଁ ସଂରକ୍ଷଣକୁ କମ କରାଯାଉଛି । ସାରା ଦେଶରେ ଏମିତି ସ୍ଥିତି ଅଛି ଯେ, ଯୁବକମାନେ ଦେଶ ଛାଡି ବିଦେଶ ଯିବା ସହ, ବିଦେଶରେ ଚାକିରି କରୁଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରିବାରେ ଏତିକିରେ ଅଟକିନଥିଲେ ଖଡଗେ । କଂଗ୍ରେସ ମୁଖିଆ କହିଥିଲେ, ମୋଦୀଙ୍କ ଅଧୀନରେ କୌଣସି ବି ସାମ୍ବିଧାନିକ ସଂସ୍ଥା ସୁରକ୍ଷା ନୁହେଁ । ଏମିତି କି ନିର୍ବାଚନ ଆୟୋଗ ମଧ୍ୟ ତାଙ୍କ ଅଧୀନରେ ସୁରକ୍ଷିତ ନୁହେଁ । ଇଭିଏମ୍ ବ୍ୟବସ୍ଥା ବିରୋଧୀଙ୍କୁ ହରାଇବାକୁ ହିଁ ଆରମ୍ଭ ହେଇଛି । ସାରା ବିଶ୍ୱର ବିକଶିତ ଦେଶମାନେ ଇଭିଏମରୁ ବାଲାଟ୍ ବକ୍ସକୁ ଫେରୁଥିବାବେଳେ, ଆମେ କିନ୍ତୁ ସେଇ ଇଭିଏମରେ ଅଟକିଯାଇଛେ ବୋଲି କହିଛନ୍ତି ଖଡଗେ । ଏହାସହ ୨୦୧୪ ପୂର୍ବରୁ ମଧ୍ୟ ବିକାଶ ହେଇଥିଲା, ହେଲେ ବିଜେପି ଆସିବା ପରେ, ବିକାଶ ହେଇଛି ବୋଲି ବାରମ୍ବାର ଯେଉଁ ଦାବି ହେଉଛି ତାକୁ ନେଇ ମୋଦୀଙ୍କୁ ନିଶାନା କରିଛନ୍ତି କଂଗ୍ରେସର ଏ ଦିଗଜ୍ଜ ନେତା ।
ମୋଦୀଙ୍କୁ ଟାର୍ଗେଟ୍ କରିବା ସହିତ ଅଦାନୀ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ଖଡଗେ । ଏୟାରପୋର୍ଟରୁ ଆରମ୍ଭ କରି ବନ୍ଦର ପର୍ଯ୍ୟନ୍ତ ସବୁ ସାର୍ବଜନୀନ ସମ୍ପତ୍ତିକୁ ସରକାର ତାଙ୍କ ଶିଳ୍ପପତି ବନ୍ଧୁଙ୍କୁ ଦେଇ ଦେଉଛନ୍ତି । ଯାହାକି ଦେଶର ସୁରକ୍ଷା ପାଇଁ ବିପଦ ଅଟେ । ବର୍ତ୍ତମାନର ସମୟରେ ଏହାକୁ ରୋକିବା ଦରକାର ବୋଲି କହିବା ସହିତ, ପରୋକ୍ଷରେ ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି ଖଡଗେ ।