କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ରବିବାର ଦିନ ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀଙ୍କୁ ହଟେଇବାକୁ କେନ୍ଦ୍ର ସରକାର ଆଣିଥିବା ବିଲକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ସେ ଅଭିଯୋଗ କରିଛନ୍ତି କି, ଭୋଟ ଚୋରି ପରେ ବିଜେପି ଏବେ କ୍ଷମତା ଚୋରି କରିବାକୁ ସମ୍ବିଧାନ ସଂଶୋଧନର ସାହାରା ନେଇଛି । ବିଜେପି ୩୦ ଦିନ ଭିତରେ ବିରୋଧୀ ସରକାରକୁ ଭାଙ୍ଗିବା ଓ ବିରୋଧୀ ନେତାଙ୍କୁ ଗିରଫ କରିବାକୁ ଏହି ସଂଶୋଧନ ବିଲ ଆଣିଛି । ଏହା ଲୋକତନ୍ତ୍ରକୁ ଅସ୍ଥିର କରିବା ବିଲ୍ ବୋଲି ଖଡଗେ କହିଛନ୍ତି ।
ଇନ୍ଦୀରା ଭବନରେ ହରିଆଣା ଓ ମଧ୍ୟପ୍ର;ଦେଶ ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲାଧ୍ୟକ୍ଷ ବୈଠକରେ ଖଡଗେ ଦାବି କରିଛନ୍ତି କି, ଏହି ବିଲ ନାଗରିକଙ୍କ ଦ୍ୱାରା ନିର୍ବାଚିତ ସରକାରକୁ ଭାଙ୍ଗିବା ଓ ନାଗରିକଙ୍କ ଅଧିକାର ଛଡ଼ାଇନେବାକୁ ଏଭଳି ବିଲ୍ ଆଣିଛି ବିଜେପି । ନାଗରିକଙ୍କ ଅଧିକାର ଛଡ଼ାଇ ନେଇ ବିଜେପି ଇଡି ଓ ସିବିଆଇ ହାତରେ କ୍ଷମତା ଦେବାକୁ ବିଜେପି ଷଡଯନ୍ତ୍ର କରୁଛି । ଏହା ଲୋକତନ୍ତ୍ର ଉପରେ ବୁଲଡୋଜର ଚଢାଇବା ଭଳି ।
କେବଳ ବିଜେପି ଓ କେନ୍ଦ୍ର ସରକାର ନୁହେଁ, ଖଡଗେ ଇଡିକୁ ଟାର୍ଗେଟ୍ କରି ଏକ ତଥ୍ୟ ଦେଇଛନ୍ତି । ଏହି ତଥ୍ୟର ସତ୍ୟତା ଯଦି ପ୍ରମାଣିତ ହୁଏ ତେବେ ଇଡି ଦ୍ୱାରା ନିଆଯାଉଥିବା କାର୍ୟ୍ୟାନୁଷ୍ଠାନ ବିଜେପି ପ୍ରାୟୋଜିତ ବୋଲି ସ୍ପଷ୍ଟ । ସେ କହିଛନ୍ତି କି, ଇଡି ଦ୍ୱାରା ବିରୋଧୀ ନେତାଙ୍କ ବିରୋଧରେ ୧୯୩ ଟି ମାମଲା ରୁଜୁ କରାଯାଇଛି । ଏହି ୧୯୩ ମାମଲା ମଧ୍ୟରୁ କେବଳ ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ କରିବାରେ ଇଡି ସଫଳ ହୋଇଛି । ବିରୋଧୀ ଦଳର ଅନେକ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନଙ୍କୁ ଇଡି ଗିରଫ କରିଛି । ସେମାନଙ୍କୁ ମାସ ମାସ ଜେଲରେ ରଖିଛି । ହେଲେ ଶେଷରେ ଇଡି କହୁଛି କି, ସେମାନଙ୍କ ବିରୋଧରେ ପ୍ରମାଣ ମିଳୁନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ନୀତିକୁ ନେଇ ବଡ଼ ବଡ଼ ଭାଷଣ ଦେଉଛନ୍ତି । ହେଲେ ଯେଉଁମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସୁଛି ବା ପ୍ରାୟୋଜିତ ଭାବେ ଅଣାଯାଉଛି ସେମାନଙ୍କ ବିଜେପି ତୁରନ୍ତ ଦଳରେ ସାମିଲ କରିନେଉଛି ।