କନକ ବ୍ୟୁରୋ :  ଫୋର୍ବ୍ସ ମାଗାଜିନ୍ ପରେ ଏବେ ଫେମିନା ପତ୍ରିକାରେ ସ୍ଥାନ ପାଇଛନ୍ତି ଆଦିବାସୀ ଯୁବତୀ ଜୟନ୍ତି । ଦେଶର ପ୍ରସିଦ୍ଧ ତଥା ସର୍ବପୁରାତନନ ମହିଳା ସମ୍ପର୍କିତ ଇଂରାଜୀ ମାଗାଜିନ୍ ଫେମିନାରେ ବିଗ୍ ଷ୍ଟୋରୀ ସେଗମେଣ୍ଟରେ ଜୟନ୍ତୀଙ୍କ ପ୍ରେରଣାଦାୟୀ କାହାଣୀ ସ୍ଥାନ ପାଇଛି । କୋମଳମତି ଝିଅଙ୍କୁ ଋତୁସ୍ରାବ ସମ୍ପର୍କରେ ଅବଗତ କରାଇବା ସହ ମାଗଣାରେ ସାନିଟାରି ପ୍ୟାଡ ବାଣ୍ଟିବା, ଆଦିବାସୀଙ୍କୁ ଶିକ୍ଷା ଓ ସାମାଜିକ ଅଧିକାର ପ୍ରଦାନ ଲାଗି ସଙ୍ଘର୍ଷ କରି ଆସୁଛନ୍ତି ଜୟନ୍ତୀ । ଏବେ ତାଙ୍କ କାହାଣୀ ଫେମିନା ମାଗାଜିନରେ ପ୍ରକାଶ ପାଇବା ପରେ ଚାରି ଆଡୁ ଛୁଟିଛି ପ୍ରଶଂସାର ସୁଅ ।

Advertisment


ମାର୍ଚ୍ଚ, ୨୦୨୪ରେ ଜୟନ୍ତୀଙ୍କ ସଙ୍ଘର୍ଷମୟ କାହାଣୀ ଫୋର୍ବସ୍ ପତ୍ରିକାରେ ସ୍ଥାନ ପାଇଥିଲା । ଏବେ ଫେମିନାର ୨୦୨୪ ଡିସେମ୍ବର ସଂସ୍କରଣରେ ତାଙ୍କ ନାଁ ପ୍ରକାଶ ପାଇବା ପରେ ବେଶ ଖୁସି ହୋଇଛନ୍ତି। ଏହା ଆଗକୁ ଆଦିବାସୀଙ୍କ ସେବା କରିବା ଦିଗରେ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ଜୟନ୍ତୀ । ବଡ଼ ଦିଦି ସଙ୍ଗଠନ ସହ ଅଦରକାରୀ ବହି ସଂଗ୍ରହ କରି ପିଲାଙ୍କ ପାଠପଢା ପାଇଁ ଓପନ ଲାଇବ୍ରେରୀ ଚଳାଉଛନ୍ତି ଜୟନ୍ତୀ । ଗାଁକୁ ଗାଁ ଯାଇ ଆଦିବାସୀ ଯୁବକ ଯୁବତୀଙ୍କୁ ମୋବାଇଲ ଓ ଇଣ୍ଟରନେଟ୍ ମାଧ୍ୟମରେ ଲୋକଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ଜୟନ୍ତି । ଜଙ୍ଗଲ ରାଣୀ ସଂଗଠନ ମାଧ୍ୟମରେ ମୋବାଇଲରେ ଭିଡିଓ ପ୍ରସ୍ତୁତ ଲାଗି ତାଲିମ, ଦୁର୍ଗମ ଅଞ୍ଚଳରେ ଡ୍ରପ୍ ଆଉଟ ପିଲାଙ୍କୁ ପୁନର୍ବାର ଶିକ୍ଷା ସହ ଯୋଡିବା ପାଇଁ ନିରନ୍ତର ପ୍ରାୟାସ ଜାରି ରଖିଛନ୍ତି। ଆଦିବାସୀଙ୍କୁ ସାମାଜିକ ଅଧିକାର ପ୍ରଦାନ କରିବା ଏବଂ ଜଙ୍ଗଲ ଜମି ଅଧିକାର ପ୍ରଦାନ କରିବା ଦିଗରେ ମଧ୍ୟ ଜୟନ୍ତୀଙ୍କ ଉଲ୍ଲେଖନୀୟ ଅବଦାନ ରହିଛି  ।