କନକ ବ୍ୟୁରୋ: ଆଜିର ବ୍ୟସ୍ତବହୁଳ ଜୀବନରେ କାହା ପାଖରେ ସମୟ ନାହିଁ । ସମ୍ପର୍କ କେବଳ ମୋବାଇଲ୍ ଚାଟିଂ ଓ ସାମାଜିକ ଗଣମାଧ୍ୟମରେ ସୀମିତ । କିନ୍ତୁ ଆଜିର ଏହି ସ୍ବାର୍ଥପର ଦୁନିଆରେ ଏମିତି ଦୁଇ ବନ୍ଧୁଙ୍କ କାହାଣୀ ଆପଣ ପଢ଼ିବେ, ଯାହାଙ୍କ ଚରିତ୍ର ୭୦ ଦଶକ ସୋଲେ ଚଳଚ୍ଚିତ୍ରର ଜୟ ଏବଂ ବିରୁଙ୍କଠାରୁ କୌଣସି ଗୁଣରେ କମ୍ ନାହିଁ । ମାଲକାନଗିରି ଜିଲ୍ଲାରେ ବନ୍ଧୁତ୍ୱର ପରିଭାଷା ବୁଝାଇଲେ ଦୁଇ ବନ୍ଧୁ ।
୭୦ ଦଶକରେ ସିନେ ପରଦାରେ ହଇଚଇ କରିଥିଲା ଚଳଚ୍ଚିତ୍ର ‘ସୋଲେ’ର ଦୁଇ ଚରିତ୍ର ଜୟ ଓ ବିରୁ । ଏକବିଂଶ ଶତାବ୍ଦୀରେ ଜୟ ଓ ବିରୁଙ୍କ ଭଳି ଅବିକଳ କାହାଣୀ ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲାରୁ । ପଡ଼ିଆ ବ୍ଲକ ସଦର ମହକୁମାରେ ରହୁଥିବା ଦୁଇ ଦିବ୍ୟାଙ୍ଗ ସାଙ୍ଗଙ୍କୁ ନେଇ ଏବେ ଚର୍ଚ୍ଚା । ଟେଣ୍ଟୁ ରାଜକିଶୋର ଏବଂ ନାକା ପ୍ରତାପ । ଟ୍ରାଇସାଇକେଲ୍ରେ ବିତୁଛି ଦୁହିଁଙ୍କ ଜୀବନ । ରାତି ପାହିବାଠାରୁ ରାତି ହେବା ପର୍ଯ୍ୟନ୍ତ, ଚାହା ଜଳଖିଆଠାରୁ ସନ୍ଧ୍ୟା ଖଟି ଯାଏଁ, ସବୁବେଳେ ଟିକେ ଫୁରସତ୍ ପାଇଲେ ଏକାଠି ହୋଇଯାଆନ୍ତି ଦୁଇ ସାଙ୍ଗ । ରାଜକିଶୋର ପିଲାଙ୍କୁ ଟ୍ୟୁସନ୍ କରି ଅତି ସମ୍ମାନର ସହ ପରିବାର ପ୍ରତିପୋଷଣ କରନ୍ତି । ଆଉ ପ୍ରତାପ, ଦରଜୀ କାମ କରି ଦୁଇ ଝିଅ ଓ ପୁଅଙ୍କୁ ବାହା ଦେଇ ଏବେ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।
ରାଜକିଶୋର ଓ ପ୍ରତାପ ଏକାଠି ଗୋଟିଏ ସ୍କୁଲ୍ରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ । ଅନ୍ୟ ଏକ ସ୍କୁଲରେ ଦଶମ ଯାଏଁ ପଢିଥିଲେ । ରାଜକିଶୋର ବାଲିମେଳା କଲେଜରେ ପାଠ ପଢି ସ୍ନାତକ ଡିଗ୍ରି ହାସଲ କରିଛନ୍ତି । ନାକା ପ୍ରତାପ ଦିବ୍ୟାଙ୍ଗ ହୋଇଥିବାରୁ ଆଗକୁ ଆଉ ପାଠ ପଢ଼ି ପାରି ନଥିଲେ। ନାକା ପ୍ରତାପ ପିଲାଦିନୁ ଦିବ୍ୟାଙ୍ଗ ହୋଇଥିବା ବେଳେ ବିଧିର ବିଧାନ ଏମିତି ଯେ, ରାଜକିଶୋର ୨୦୦୬ ମସିହାରେ ରୋଗାଗ୍ରସ୍ତ ହୋଇ ଦିବ୍ୟାଙ୍ଗ ହୋଇଥିଲେ । ଆଉ ଦୁହେଁ ନିଜ ଅକ୍ଷମତାକୁ ଅଣଦେଖା କରି ଏମିତି ପରସ୍ପରର ହାତରେ ହାତ ମିଶାଇ ଆଗକୁ ବଢି ଚାଲିଛନ୍ତି ।
ଆଜିକାର ବ୍ୟସ୍ତ ବହୁଳ ଜୀବନରେ ପରସ୍ପରକୁ ସାହାଯ୍ୟ କରିବା ତ ଦୂରେ ଥାଉ, ପରିବାରରେ ଭାଇର ଭାଇ ପାଇଁ ସମୟ ରହୁନି । ଏଭଳି ସ୍ଥିତିରେ ମାଲକାନଗିରି ଜିଲ୍ଲାର ଏହି ଦୁଇ ଦିବ୍ୟାଙ୍ଗଙ୍କ ବନ୍ଧୁତ୍ବର କାହାଣୀ ସମସ୍ତଙ୍କ ପାଇଁ ଉଦାହରଣ ନିଶ୍ଚୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/05/20/GA6VJh8LDdCIQkz6eM91.png)