କନକ ବ୍ୟୁରୋ: ରାଜ୍ୟରୁ ବାଂଲାଦେଶୀଙ୍କୁ ତଡ଼ିବା ପାଇଁ ଦାବି ବଢୁଥିବାବେଳେ ତୃଣମୂଳସ୍ତରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଲାଣି । କିଏ କିଏ ଶରଣାର୍ଥୀ ଓ କିଏ ଅନୁପ୍ରବେଶୀ, ଜଣାପଡୁନଥିବାରୁ ସୃଷ୍ଟି ହେଲାଣି ଦ୍ୱନ୍ଦ୍ବ  ।

Advertisment
  • ବାଂଲାଦେଶୀଙ୍କୁ ନେଇ ଦ୍ବନ୍ଦ୍ବ
  • ତୃଣମୂଳସ୍ତରରେ ମୁହାଁମୁହିଁ 

ଶରଣାର୍ଥୀ ଓ ଅନୁପ୍ରବେଶକାରୀଙ୍କୁ ନେଇ ଦ୍ବନ୍ଦ୍ବ ଭିତରେ ମାଲକାନଗିରିରୁ ଆସିଛି ସାଂଘାତିକ ଖବର । ମାଲକାନଗିରି ଏମଭି-୪ର ଲୋକମାନେ ୪ଜଣ ସନ୍ଦିଗ୍ଧଙ୍କୁ ଧରି ପୁଲିସର ଜିମା ଦେଇଥିଲେ । ତେବେ ପ୍ରାୟ ଗୋଟିଏ ଦିନ ଥାନାରେ ରଖି ପଚରାଉଚରା କରିବା ପରେ ସେମାନେ ପଶ୍ଚିମବଙ୍ଗର ଓ କାମ କରିବାକୁ ଓଡ଼ିଶା ଆସିଥିବା ପରିଚୟ ପତ୍ର ଯାଞ୍ଚରୁ ଜଣାପଡ଼ିଥିଲା । ତା’ ପରେ ସେମାନଙ୍କୁ ପୁଲିସ ଛାଡ଼ିଦେଇଛି । 

୧୯୬୫ ଓ ୧୯୭୧ରେ ବାଂଲାଦେଶରେ ସାମ୍ପ୍ରଦାୟିକ ହିଂସା ଦେଖାଦେଇଥିଲା । ଲକ୍ଷ ଲକ୍ଷ ବାଂଲାଦେଶୀ ହିନ୍ଦୁ ଭାରତର ବିଭିନ୍ନ ରାଜ୍ୟରେ ଶରଣ ନେଇଥିଲେ । ମାଲକାନଗିରି ଜିଲ୍ଲାରେ ୨ ଲକ୍ଷରୁ ଅଧିକ ବାଂଲାଦେଶୀଙ୍କୁ ଥଇଥାନ କରି ନାଗରିକତା ପ୍ରଦାନ କରାଯାଇଥିଲା । ପରେ ୬୮୬ ବାଂଲାଦେଶୀ ଅନୁପ୍ରବେଶ କରିଥିବା ଗୁଇନ୍ଦା ସୂଚନା ମିଳିଛି । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଅନୁପ୍ରବେଶୀଙ୍କୁ ଦେଶାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି ।  ଏହି କ୍ରମରେ ଓଡ଼ିଶାରେ ଆରମ୍ଭ ହୋଇଛି ଚିହ୍ନଟ ପ୍ରକ୍ରିୟା । 

୨୦୧୪ ପୂର୍ବରୁ ଭାରତ ଆସିଥିବା ବାଂଲାଦେଶୀ ହିନ୍ଦୁଙ୍କୁ ଆଇନ ଅନୁଯାୟୀ ଥଇଥାନ ପ୍ରକ୍ରିୟା ଜାରି ରହିଛି ।  ତଥାପି କୌଣସି ଅଘଟଣ ଆଶଙ୍କାରେ ଲୋକ ଆତଙ୍କିତ ହୋଇପଡ଼ିଛନ୍ତି । ଅନୁପ୍ରବେଶ ନେଇ ମାଲକାନଗିରି ଜିଲ୍ଲା ବଙ୍ଗାଳି ସମାଜ ଆଶ୍ଚର୍ଯ୍ୟ ପ୍ରକାଶ କରିଛି । ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ଅନୁପ୍ରବେଶୀଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରୁଛନ୍ତି । ଅନୁସନ୍ଧାନ ପରେ ଅନୁପ୍ରବେଶୀଙ୍କୁ ଦେଶାନ୍ତର କରାଯିବ ।

ସୂଚନାଯୋଗ୍ୟ ଯେ, ପହଲଗାମରେ ଆତଙ୍କୀ ଆକ୍ରମଣ ଓ ଭାରତ- ପାକିସ୍ତାନ ଉତ୍ତେଜନା ପରେ ଦେଶରେ ବିଦେଶୀ ଅନୁପ୍ରବେଶୀଙ୍କ ଉପରେ ଧରପଗଡ଼ ଓ ଦେଶାନ୍ତର ପ୍ରକ୍ରିୟା ଜୋରଦାର ହୋଇଛି ।