କନକବ୍ୟୁରୋ : ନୀତି ଆୟୋଗର ସମ୍ପୂର୍ଣ୍ଣତା କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାର ଉଲ୍ଲେଖନୀୟ ଅବଦାନ । ମାଲକାନଗିରି ଜିଲ୍ଲା ସମେତ ୩ଟି ବ୍ଲକ ୪ଟି ସ୍ୱର୍ଣ୍ଣ ପଦକରେ ପୁରସ୍କୃତ ହୋଇଛି । ଏଥି ସହ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ସମ୍ମାନ ସମାରୋହରେ ସମ୍ମାନିତ କରାଯାଇଛି । ଯାହାକୁ ନେଇ ଜିଲ୍ଲାରେ ଖେଳିଯାଇଛି ଖୁସିର ଲହରୀ ।
ନୀତି ଆୟୋଗ ପକ୍ଷରୁ ସମସ୍ତ ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ ମଧ୍ୟରେ ୬ଟି ପ୍ରମୁଖ ସୂଚକାଙ୍କକୁ ନେଇ ଲକ୍ଷ୍ୟକୁ ହାସଲ କରିଛି ମାଲକାନଗିରି ଜିଲ୍ଲା ଏବଂ ଜିଲ୍ଲାର ୩ଟି ବ୍ଲକ । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଜିଲ୍ଲା ସମେତ ଚିତ୍ରକୋଣ୍ଡା, ଖଇରପୁଟ ଓ ମାଥିଲି ବ୍ଲକ ସ୍ତରର ଅଧିକାରୀଙ୍କୁ ୪ଟି ସ୍ବର୍ଣ୍ଣ ପଦକ ସହ ସମ୍ମାନିତ କରିଛି ଜିଲ୍ଲା ପ୍ରଶାସନ । ରାଜଧାନୀ ପରି ଆକାଂକ୍ଷା ହାଟର ଆୟୋଜନ କରି ଲୋପ ପାଉଥିବା ଆଦିବାସୀଙ୍କ ପାରମ୍ପରିକ ହସ୍ତକଳା, ଖାଦ୍ୟ ସାମଗ୍ରୀକୁ ସ୍ଥାନିତ କରାଯାଇଛି। ଏହାକୁ ଉଚିତ ବଜାର ମୂଲ୍ୟ ଦେବାକୁ ପ୍ରାଶାସନିକ ସ୍ତରରେ ଉଦ୍ୟମ ହୋଇଛି ।
ଗର୍ଭବତୀ ମହିଳାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରଥମ ତ୍ରୈମାସିକ ଚିକିତ୍ସା ଓ ପୁଷ୍ଟିକର ଖାଦ୍ୟ ପ୍ରଦାନ ନାମଲେଖାର ମାସକ ମଧ୍ୟରେ ପିଲାଙ୍କୁ ବହି ପ୍ରଦାନ କ୍ଷେତ୍ରରେ ଲକ୍ଷ୍ୟ ହାସଲ ହୋଇଛି ।
କିନ୍ତୁ ଏବେ ବି ଖଇରପୁଟର ବଣ୍ଡାଘାଟି ଓ ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ଆବାସ ଯୋଜନା, ଗମନାଗମନ, ମୋବାଇଲ ନେଟୱର୍କ, ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଯଥେଷ୍ଟ ପଛୁଆ ରହିଛି । ତେବେ ଏ ଦିଗରେ ସ୍ୱତନ୍ତ୍ର ଫୋକସ ରହିବ ବୋଲି କହିଛନ୍ତି ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ। ଦେଶର ପଛୁଆ ଜିଲ୍ଲାର ସର୍ବାଙ୍ଗିନ ବିକାଶ ପାଇଁ ୨୦୧୮ରୁ ଓଡ଼ିଶାର ୧୦ଟି ପଛୁଆ ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା କରାଯାଇଛି ଏବଂ ୪୦ଟି ବ୍ଲକ ଆକାଂକ୍ଷୀ ବ୍ଲକ ଭାବେ ତାଲିକାଭୁକ୍ତ ହୋଇଛି ।