କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ବହୁ ପ୍ରତୀକ୍ଷିତ ଜୟପୁର ମାଲକାନଗିରି ରେଳ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ଆରମ୍ଭ ହୋଇଛି । ପ୍ରଥମଥର କରି ଆଜି ଜିଲ୍ଲାର ଦୁଇଟି ତହସିଲର ଜମି ହରା ହିତାଧିକାରୀଙ୍କୁ କ୍ଷତିପୂରଣ ଟଙ୍କା ପ୍ରଦାନ ଆରମ୍ଭ କରିଛି ପ୍ରଶାସନ । ପ୍ରାୟ ୧୨୮ କିମି ଲମ୍ବ ରେଳ ପ୍ରକଳ୍ପ ଲାଗି ୨ହଜାର ଏକର ଜମି ଅଧିଗ୍ରହଣ ଲକ୍ଷ୍ୟ ରଖାଯାଇଥିବା ବେଳେ ସମସ୍ତ ସରକାରୀ ଜମି ରେଳ ବିଭାଗକୁ ହସ୍ତାନ୍ତର କରାଯାଇସାରିଥିବା ବେଳେ ଆଗାମୀ ୬ ମାସ ମଧ୍ୟରେ ସମସ୍ତ ଘରୋଇ ଓ ଜଙ୍ଗଲ ଜମି ସମ୍ପୂର୍ଣ୍ଣ ଅଧିଗ୍ରହଣ ଲକ୍ଷ୍ୟ ରଖିଛି ପ୍ରଶାସନ ।
ପୂରଣ ହେବ ମାଲକାନଗିରି ଜିଲ୍ଲାବାସୀଙ୍କ ରେଳ ସ୍ୱପ୍ନ । ବହୁ ପ୍ରତିକ୍ଷୀତ ଜୟପୁର ମାଲକାନଗିରି ରେଳ ପ୍ରକଳ୍ପ କାମ ଲାଗି ଜମି ଅଧିଗ୍ରହଣ କାମ କାରମ୍ଭ କରିଛି ପ୍ରଶାସନ। ଏହି କ୍ରମରେ ପ୍ରଥମଥର ଖଇରପୁଟ ଓ ମାଥିଲି ତହସିଲର ଜମିହରା ହିତାଧିକାରୀଙ୍କୁ କ୍ଷତିପୂରଣ ଟଙ୍କା ପ୍ରଦାନ ଆରମ୍ଭ କରିଛି ପ୍ରଶାସନ । ପ୍ରଥମ ପର୍ଯ୍ୟାୟରେ ମାଥିଲି ତହସିଲର ୩୪ ଓ ଖଇରପୁଟ ତହସିଲର ୪ଜଣ ହିତାଧିକାରୀଙ୍କ ୧୨.୬୭ ଏକର ଜମି ଲାଗି ୨ କୋଟି ୪୪ ଲକ୍ଷ ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରିଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ମାଲକାନଗିରି ଜିଲ୍ଲାପାଳ । ଆଦିବାସୀ ବହୁଳ ଅଞ୍ଚଳରେ ଜନଜାତିଙ୍କ ଜମିର ବେଞ୍ଚମାର୍କ ଭ୍ୟାଲୁ ଅତି କମ ଥିବାରୁ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ସର୍ବନିମ୍ନ ୧୦ ଲକ୍ଷ ପ୍ରତି ଏକର ମୂଲ୍ୟରେ କ୍ଷତିପୂରଣ ଟଙ୍କା ପ୍ରଦାନ କରାଯାଇଛି ।
ମାଲକାନଗିରି ଜିଲ୍ଲାରେ ରେଳ ସେବା ଯୋଗାଇଦେବା ପାଇଁ ଦୀର୍ଘଦିନ ହେବ ଦାବି ହୋଇଆସୁଛି । ୧୨୮ କିମି ଲମ୍ବ ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପର ୮୦କିଲୋମିଟର ରେଳ ଲାଇନ୍ ମାଲକାନଗିରି ଜିଲ୍ଲା ଦେଇ ଗତି କରିବ । ଏଥିପାଇଁ ୧୯୪୬ ଏକର ଜମି ଅଧିଗ୍ରହଣ ସ୍ଥିର ହୋଇଥିବା ବେଳେ ୨୩୧ ଏକର ସରକାରୀ ଜମି ରେଳ ବିଭାଗକୁ ହସ୍ତାନ୍ତର ହୋଇଛି । ପ୍ରକଳ୍ପ ଲାଗି ୭୧୪ ଏକର ଘରୋଇ ଜମି ଚିହ୍ନଟ ହୋଇଥିବା ବେଳେ ମାଥିଲି, ଖଇରପୁଟ ଓ ମାଲକାନଗିରି ତହସିଲର ମୋଟ ୮୪୪ ହିତାଧିକାରୀଙ୍କ ଜମି ଅଧିଗ୍ରହଣ ଆରମ୍ଭ ହୋଇଛି । ଏଥିପାଇଁ ୪୭୬ କୋଟି ବ୍ୟୟବରାଦ ହୋଇଥିବା ବେଳେ ୧୫୦ କୋଟି ଟଙ୍କା ରେଳ ବିଭାଗ ପ୍ରଦାନ କରିଥିବା ଜିଲ୍ଲାପାଳ କହିଛନ୍ତି । ଡିସେମ୍ବର ସୁଦ୍ଧା ପୂରା ଜମି ଅଧିଗ୍ରହଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପକୁ ୨୦୧୬ରେ ମଞ୍ଜୁରି ମିଳିବା ପରେ ୨୦୧୮ରେ ଡିପିଆର ପ୍ରସ୍ତୁତ କରାଯାଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା। ତେବେ ଦୀର୍ଘ ଦିନ ପରେ ଜମି ଅଧିଗ୍ରହଣ ପରେ ପ୍ରକଳ୍ପ କାମ ଆଗେଇବା ନେଇ ଆଶା ସଞ୍ଚାର ହୋଇଛି।