କନକ ବ୍ୟୁରୋ :ଖୋଲୁଛି ବ୍ରିଜ ଆଣ୍ଡ ରୁଫ କମ୍ପାନି ଗୁମର । ମାଲକାନଗିରିରେ ବହୁମୁଖୀ ସ୍ୱଧାର ଗୃହ ବା ଆଇଆଇସି ବିଲ୍ଡିଂ ନିର୍ମାଣ ଦାୟିତ୍ୱ ନେଇଥିବା କମ୍ପାନି କାମ ନସାରି ପ୍ରାୟ ୯୦% ଟଙ୍କା ଉଠାଇ ନେଇଥିବା ଜଣାପଡ଼ିଛି । ମାଲକାନଗିରିର ସ୍ୱଧାର ଗୃହ ଟଙ୍କା ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ନିର୍ମାଣରେ ଲଗାଇ ଥିବା ଚାଞ୍ଚଲ୍ୟକର ତଥ୍ୟ ଏବେ ସାମନାକୁ ଆସୁଛି । ତେବେ ପ୍ରଶ୍ନ ଉଠୁଛି ଏହି ବ୍ରିଜ ଆଣ୍ଡ ରୁଫ୍ କମ୍ପାନିକୁ ଅନୁକମ୍ପା ଦେଖାଉଥିଲା କିଏ ?
ପାଣିରେ ବୁଡ଼ି ରହିଥିବା ଅଧପନ୍ତରିଆ କୋଠା । ଅଙ୍କାବଙ୍କା କଂକ୍ରିଟ୍ ପିଲର, ଚଟ୍ଟାଣ ଉପରେ ଗଛ ଉଠିଲାଣି, ଛାତରୁ ପାଣି ଗଳୁଛି । ମାଲକାନଗିରି ସହରରୁ ପ୍ରାୟ ୧୫କିମି ଦୂର କୋରୁକୋଣ୍ଡା ରାସ୍ତାକଡରେ ୨୫ ଏକର ଜମିରେ ରହିଛି ବହୁମୁଖୀ ସ୍ୱଧାର ଗୃହ ବା ଆଇଆଇସି ବିଲ୍ଡିଂ । ଅସହାୟ ମହିଳା, ପୁରୁଷ, ବୃଦ୍ଧବୃଦ୍ଧା, ଅନାଥ ପିଲା ଗୋଟିଏ କ୍ୟାମ୍ପସରେ ରହିବେ । ସେଥିପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୨୦୧୭ରେ ପ୍ରାୟ ୩୬ କୋଟି ବ୍ୟୟ ଅଟକଳରେ କୋଠା ନିର୍ମାଣ ଦାୟିତ୍ୱ ନେଇଥିଲା ବ୍ରିଜ ଆଣ୍ଡ ରୁଫ ଇଣ୍ଡିଆ କମ୍ପାନି । ଅଧପନ୍ତରିଆ କାମ କରି ଠିକା ସଂସ୍ଥା ୩୩ କୋଟି ଟଙ୍କା ଉଠାଇ ନେଇଛି । ସବୁ ଟଙ୍କା ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଲଗାଇଥିବା ତଥ୍ୟ ସାମନାକୁ ଆସିଛି ।
ଏହି କମ୍ପାନି ସହ ପୂର୍ବ ସରକାରଙ୍କ ସମୟରେ ସଚିବ ସ୍ତରରେ ଅଧିକାରୀଙ୍କ ସମ୍ପୃକ୍ତ ଥିବା ଅଭିଯୋଗରେ ତମ୍ବିତୋଫାନ ହୋଇଥିଲା । ବର୍ତ୍ତମାନ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଦେଖି, ତରବର ହୋଇ ପୁଣି କାମ କରୁଛି । ସବ-ଲେଟ୍ ମାଧ୍ୟମରେ ୩ଟି ବୃହତ କୋଠାରୁ ଗୋଟିଏ ନିର୍ମାଣ କାମ କରିଛି । ସେପଟେ କାମ ବାତିଲ କରି କଳା ତାଲିକା ଭୁକ୍ତ କରିବା ଲାଗି କମ୍ପାନିକୁ ନୋଟିସ୍ ଜାରି କରିଛି ଏସ୍ଏସ୍ଇପିଡି ବିଭାଗ ।