କନକ ବ୍ୟୁରୋ: ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ମାଲକାନାଗିରି ମାଙ୍ଗିଗୁଡ଼ାର ଆଦିବାସୀ ପିଲା । ୨୦୦୬ରେ ପିଲାଙ୍କୁ ପ୍ରାଥମିକ ଶିକ୍ଷା ଯୋଗାଇ ଦେବା ପାଇଁ ମାଙ୍ଗିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ୨୦ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ବନ୍ଦ ନିଷ୍ପତିରେ ଏହାକୁ ବନ୍ଦ କରିଦିଆଯାଇଛି । ଗାଁରେ ଅଙ୍ଗନବାଡ଼ି କେନ୍ଦ୍ରଟିଏ ବି ନାହିଁ । ତେଣୁ ୨୦୨୦ରୁ ଆଜି ଯାଏଁ ଛୋଟଛୋଟ ପିଲା ପାଠ ପଢ଼ାରୁ ବଞ୍ଚିତ ହୋଇ ରହିଛନ୍ତି ।
ପାହାଡ଼ ପାଦଦେଶରେ ଗାଁ । ଜଙ୍ଗଲ ଭିତରେ ଜୀବନ। ମାଲକାନାଗିରି କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ୟମକୋଣ୍ଡା ପଞ୍ଚାୟତର ମାଙ୍ଗିଗୁଡ଼ା ଗାଁ । ଅନୁସୂଚିତ ଜନଜାତିର ୩୦ ପରିବାର ରହୁଥିବା ଏହି ଗାଁରେ ପ୍ରାଥମିକ ଶିକ୍ଷାର ଆଲୋକ ବୁଣିବା ପାଇଁ ୨୦୦୬ରେ ରାଜ୍ୟ ସରକାର ମାଙ୍ଗିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ୨ଜଣ ଶିକ୍ଷକଙ୍କୁ ନିଯୁକ୍ତ ମିଳିଥିଲା । କିନ୍ତୁ କମ୍ ଉପସ୍ଥାନ ଦର୍ଶାଇ ୨୦୨୦ରେ ବିଦ୍ୟାଳୟଟିକୁ ବନ୍ଦ କରାଯାଇଛି । ଫଳରେ ଆଦିବାସୀ ଅଞ୍ଚଳର କୁନିକୁନି ପିଲାଙ୍କ ଭବିଷ୍ୟତ ପୁଣି ଅନ୍ଧର ଭିତରକୁ ଠେଲି ହୋଇଯାଇଛି ।
ସ୍କୁଲ ଘର ଧାନଖଳା ପାଲଟିଛି । ସ୍କୁଲ ବନ୍ଦ ହେବା ପରେ ପିଲାଙ୍କ ପାଠପଢା ବି ବନ୍ଦ ହୋଇଯାଇଛି । ପାଠ ଠାରୁ ଦୂରେଇ ଯାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଏ ଦୋଳି ଖେଳୁଛି ତ ଆଉ କିଏ ଜଙ୍ଗଲରେ ଗାଈ, ଛେଳି ଚରାଉଥିବା ଦେଖିବାକୁ ମିଳୁଛି । କାରଣ ଗାଁ ଠାରୁ ପ୍ରାୟ ୩ କିମି ଦୂରରେ ରହିଛି ସିଙ୍ଗରାଜଖୁଣ୍ଟା ପ୍ରାଥମିକ ବିଦ୍ୟାଳୟ ଓ ୪କିମି ଦୂରରେ ରହିଛି ପୋଟେରୁ ପ୍ରାଥମିକ ବିଦ୍ୟାଳୟ । ତେଣୁ ଜଙ୍ଗଲ ରାସ୍ତା ଦେଇ ପିଲାଙ୍କୁ ପଠାଇବା ପାଇଁ ଭୟ କରୁଛନ୍ତି ଅଭିଭାବକ । ହାତ ଗଣତି କିଛି ପିଲା ବିଭିନ୍ନ ଆବାସିକ ବିଦ୍ୟାଳୟରେ ପଢୁଥିବା ବେଳେ ଅଧିକାଂଶ ପିଲା ସ୍କୁଲକୁ ଯାଇପାରୁନଥିବା ଜଣାପଡ଼ିଛି । ତୁରନ୍ତ ବିଦ୍ୟାଳୟକୁ ମରାମତି କରି ପୁଣି ଥରେ ଖୋଲିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।