କନକ ବ୍ୟୁରୋ: ଆଳୁ,ପିଆଜ ଅଣ୍ଡା, ମାଛ ଓ କୁକୁଡ଼ା ମାଂସ ପାଇଁ ଓଡ଼ିଶା ପଡ଼ୋଶୀ ରାଜ୍ୟ ଉପରେ ନିର୍ଭରଶୀଳ । ପଡ଼ୋଶୀ ରାଜ୍ୟରୁ ଦୈନିକ ଓଡ଼ିଶାକୁ ଏହି ସବୁ ଜିନିଷପତ୍ର ଠିକ୍ରେ ନଆସିଲେ ଦରଦାମ ବୃଦ୍ଧି ହେବା ଥୟ । କିନ୍ତୁ ରାଜ୍ୟ ସରକାର ଏବେ ଏହି ସବୁ ଜିନିଷପତ୍ର ଆମଦାନୀ ପାଇଁ ଆଉ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭରଶୀଳ ହେବେ ନାହିଁ ବୋଲି ନେତା ଓ ମନ୍ତ୍ରୀ ବାରମ୍ବାର ଗଣମାଧ୍ୟମ ଆଗରେ ବୟାନ ରଖିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କାଲିମେଳା ବ୍ଳକର ଉପାଧ୍ୟକ୍ଷ ଏବେ ଏକ ବ୍ରଏଲର କୁକୁଡ଼ା ଫାର୍ମ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ୫ ଜଣଙ୍କୁ ରୋଜଗାର ଦେବାରେ ସଫଳ ହୋଇଛନ୍ତି । 

Advertisment

ଅତ୍ୟାଧୁନିକ ପ୍ରଣାଳିରେ କୁକୁଡ଼ା ଚାଷ । ମାଲକାନଗିରି କାଲିମେଳା ଉପାଧକ୍ଷ ଲକ୍ଷ୍ମୀଧର ମାଡ଼କାମୀ କୁକୁଡ଼ା ଫାର୍ମ କରି ଭଲ ରୋଜଗାର କରୁଛନ୍ତି । ସେ ତାଙ୍କର ୩ ଏକର ଜମିରେ  ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୧୦ ହଜାର କ୍ଷମତା ବିଶିଷ୍ଟ ଲକ୍ଷ୍ମୀଦୁର୍ଗା ବ୍ରଏଲର କୁକୁଡ଼ା ଫାର୍ମ କରିଛନ୍ତି । ନିଜେ କିଛି ରୋଜଗାର କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଫଳରେ ଆଉ ଆନ୍ଧ୍ର ଉପରେ କୁକୁଡ଼ା ମାଂସ ପାଇଁ କାଲିମେଳାବାସୀ ନିର୍ଭର କରିବେ ନାହିଁ ବୋଲି ସେ କହିଛନ୍ତି । 

କୁକୁଡ଼ା ଫାର୍ମ ପାଇଁ ସେ ୪ଟି ଘର ନିର୍ମାଣ କରିଛନ୍ତି । ୧୪୦ଫୁଟ ଲମ୍ବ ଓ ୨୪ଫୁଟ ଓସାର ବିଶିଷ୍ଟ ୪ଟି ଘର ନିର୍ମାଣ କରି ପାଣି, ବିଦ୍ୟୁତ୍ ସଂଯୋଗ କରାଯାଇଛି । କୁକୁଡ଼ା ମାନଙ୍କ ପାଇଁ ସ୍ୱଂୟଚାଳିତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ଏଥିରେ ସୋଲାର ବିଦ୍ୟୁତ୍ ଶକ୍ତିକୁ ଉପଯୋଗ କରାଯାଇଛି । ସେହିପରି କୁକୁଡ଼ା ଘର ଚାରିପଟେ ଛାଇ ଓ ଶୀତଳାତା ପାଇଁ ବାଦାମ ଗଛ ମଧ୍ୟ ଲଗାଯାଇଛି । ଖରାଦିନେ ଏହି ଗଛଗୁଡ଼ିକ କୁକୁଡ଼ା ଫାର୍ମକୁ ଶୀତଳତା ପ୍ରଦାନ କରିବା ସହିତ ଥଣ୍ଡା ରଖିବ । ଏଥି ପାଇଁ ସେ ଆନ୍ଧ୍ରର କାକିନାଡ଼ା ଅଂଚଳରୁ ୩ ଜଣ ଓ ସ୍ଥାନୀୟ ଅଂଚଳରୁ ୨ ଜଣଙ୍କୁ କୁକୁଡ଼ା ଫାର୍ମରେ ନିୟୋଜିତ କରିଛନ୍ତି । 

ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଳକ ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ଲାଗିରହିଛି । ଏଥି ସହିତ କାଲିମେଳା ବ୍ଳକ ଦେଇ ୩୨୬ ନଂ ଜାତୀୟ ରାଜପଥ ଦକ୍ଷିଣ ଭାରତ ସହିତ ସଂଯୋଗ କରୁଥିବାରୁ ଆନ୍ଧ୍ରପ୍ରଦେଶରୁ ଜିଲ୍ଲାକୁ ଦୈନିକ ଏହି ରାସ୍ତା ଦେଇ ଟ୍ରକ ଟ୍ରକ କୁକୁଡ଼ା, ଅଣ୍ଡା, ସହିତ ମାଛ ଓ ପନିପରିବା ଆସୁଛି । ତେଣୁ ସ୍ଥାନୀୟ ଅଂଚଳରେ ମାଛ ଓ କୁକୁଡ଼ା ଉତ୍ପାଦନ ହେଲେ ଆଉ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ।