କନକ ବ୍ୟୁରୋ :  ମାଲକାନଗିରି ସ୍ୱାଭିମାନ ଅଂଚଳର ଶିକ୍ଷାର ବିକାଶ ଲାଗି ଏଡୁକେଶନ କମ୍ପ୍ଲେକ୍ସର ପରିକଳ୍ପନା କରାଯାଇଥିଲା ।  ପୂର୍ବତନ ଜିଲ୍ଲାପାଳ ଭିନିଲ କ୍ରୀଷ୍ଣା ଏହାକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ଫାଇଭ-ଟି ଅଧିନରେ କାମ ହୋଇଛି । ନିର୍ବାଚନ ପୂର୍ବରୁ ଉଦଘାଟନ ମଧ୍ୟ କରାଯାଇଥିଲା । ଉଦଘାଟନର ମାସ କେଇଟାରେ ନବ ନିର୍ମିତ ବିଦ୍ୟାଳୟରୁ ପାଣି ଗଳୁଛି । କାନ୍ଥ ଫାଟିଲାଣି । ପ୍ଲାଷ୍ଟର ଛାଡ଼ି ଯାଉଛି । ଶୌଚାଳୟ ଅବସ୍ଥା ନକହିବା ଭଲ ।  ପିଇବା ପାଣିର ଘୋର ଅଭାବ ।  ଏସବୁ ଦେଖି ବିରକ୍ତି ପ୍ରକାଶ କରିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।  କାମ ଅତ୍ୟନ୍ତ ନିମ୍ନମାନର ହୋଇଛି । ପ୍ରକଳ୍ପ ଦାୟିତ୍ୱରେ ଥିବା ଅଧିକାରୀ ଦୁର୍ନିତୀରେ ବୁଡ଼ିଥିବା ଅନୁଭବ କରିଛନ୍ତି ମନ୍ତ୍ରୀ ।

Advertisment

ବଡପଡା ଏଜୁକେଶନ  କମ୍ପ୍ଲେକ୍ସ କୋଠା ପାଇଁ ପ୍ରାୟ ୧୨ କୋଟି ଟଙ୍କାର ଟେଣ୍ଡର ଡକା ଯାଇଥିଲା।  ବିଦ୍ୟୁତକରଣ, ସୌନ୍ଦର୍ୟ୍ୟକରଣ, ଆସବାବପତ୍ର, କମ୍ପ୍ୟୁଟର, ଜିମ ଓ ଖେଳ ସାମଗ୍ରୀ, ରାସ୍ତା ନିର୍ମାଣ ସହ ଅନେକ କାମ ବିନା ଟେଣ୍ଡର ବେଆଇନ୍ ଭାବେ କରାଯାଇଛି ।  ଜିଲ୍ଲାପାଳଙ୍କ ବିନା ଅନୁମତିରେ ଅଧିକାଂଶ କାମ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ମିଳିମିଶି କରିଛନ୍ତି !  କିଛି ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖା ଯାଇଥିବା ଅଭିଯୋଗ ହୋଇଛି । ଆଉ ବଦଳି ହେଉଥିବା ଯନ୍ତ୍ରୀ ଓ ପ୍ରଶାସନିକ ବାବୁ ବଦଳି ବାତିଲ କରି ଗୋଟିଏ ସ୍ଥାନରେ ଗାଦି ମାଡ଼ି ବସିଛନ୍ତି । ଏହି ମହାଦୁର୍ନୀତିର ତଦନ୍ତ ନିର୍ଦେଶ ଦେବା ସହ ବିଲ୍ ନକରିବାକୁ ନିର୍ଦେଶ ଦେଇଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।