କନକ ବ୍ୟୁରୋ : ମଶାଣୀରେ କାଠ ଅଭାବ । ଶବ ପୋଡିବାକୁ ହନ୍ତସନ୍ତ ହୋଉଛନ୍ତି ସମ୍ପର୍କୀୟ । ଆମେ କହୁଛୁ ମାଲକାନଗିରି ସଦର ମହକୁମାର କଥା, ଯେଉଁଠି ଜାଲେଣୀ କାଠର ଘୋର ଅଭାବ ଦେଖିବାକୁ ମିଳିଛି । ସେପଟେ ଦୁଇ ବର୍ଷ ଧରି ପୌର ପରିଷଦ ପକ୍ଷରୁ ସ୍ମାର୍ଟ ମାଶାଣି କାମ ଆରମ୍ଭ ହୋଇଥିଲେ ହେଁ କାମ କିନ୍ତୁ ସରିବାର ନାଁ ଧରୁନାହିଁ ।
ମୃତ୍ୟୁ ପରେ ଜଣେ ମଣିଷର ସମ୍ମାନର ସହ ଶେଷକୃତ୍ୟ ସମ୍ପନ୍ନ କରିବା ପରିବାର ଓ ଆତ୍ମୀୟ ସ୍ୱଜନଙ୍କ ପରମଧର୍ମ ହୋଇଥାଏ । ହେବେ ପରିବାର ସେତେବେଳେ ନିଜକୁ ଅସହାୟ ମନେ କରନ୍ତି, ଯେତେବେଳେ ଶବ ସତ୍କାର ପାଇଁ କାଠର ଅଭାବ ପଡ଼େ । ସେମିତି ଅଭାବର ସାମ୍ନା କରୁଛନ୍ତି ମାଲକାନଗିରିବାସୀ । ସଦର ମହକୁମାରେ ଥିବା ବିଭିନ୍ନ ମଶାଣିରେ ଶବ ପୋଡିବା ଲାଗି ଜାଲେଣି କାଠର ଘୋର ଅଭାବ ଦେଖିବାକୁ ମିଳିଛି ।
ବନ ଉନ୍ନୟନ ନିଗମସ କାଠ ଯୋଗାଇବାରେ ବିଫଳ ହୋଇଛି । ପାଖଆଖ ଗାଁରୁ ମଧ୍ୟ କାଠା ମିଳୁନାହିଁ । ତେଣୁ ମଶାଣିକୁ ମୃତଦେହ ଆଣିବା ଆଗରୁ ଦୂର ଦୂରାନ୍ତରୁ କାଠ ବୋହି ଆଣିବା ପାଇଁ ପଡୁଛି । ତେଣୁ ମଶାଣୀ ପରିସରରେ କାଠ ଉପଲବ୍ଧ କରାଇବାକୁ ଦାବି ହୋଇଛି ।
ମଶାଣିରେ ଶବ ପୋଡ଼ିବା ଲାଗି ଓଏଫ୍ଡିସି ବା ଓଡ଼ିଶା ବନ ଉନ୍ନୟନ ନିଗମ ପକ୍ଷରୁ ଜାଳେଣି କାଠ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ସେଠାରେ ମଧ୍ୟ ଶବ ପୋଡିବା ଉପଯୋଗୀ କାଠ ନାହିଁ, କି କାଠ ହାଣିବାକୁ ଶ୍ରମିକ ନାହାନ୍ତି । ସେହିପରି ମାଲକାନଗିରି ମଶାଣିକୁ ସ୍ମାର୍ଟ ମଶାଣିରେ ପରିଣତ କରିବା ପାଇଁ ଅଢ଼େଇ ବର୍ଷ ହେବ କାମ ଚାଲିଛି । ବିଦ୍ୟୁତ ହିଟ୍ର ବ୍ୟବସ୍ଥା ଲାଗି ଯୋଜନା କରାଯାଇଛି । କିନ୍ତୁ ଅନୁଦାନ ଅଭାବରୁ କାମ ଆଗେଇ ପାରୁନାହିଁ । ଏ ସମସ୍ୟାର ତୁରନ୍ତ ସମାଧାନ ସହ ସ୍ମାର୍ଟ ମଶାଣି କାର୍ଯ୍ୟକାରୀ କରାଯିବ ବୋଲି ଅଫ୍ କ୍ୟାମେରାରେ କହିଛନ୍ତି ପୌର ପରିଷଦ ନିର୍ବାହୀ ଅଧିକାରୀ ।
ବନ ଜଙ୍ଗଲ ଭରା ମାଲକାନଗିରି ଜିଲ୍ଲାରେ ଜାଳେଣୀ କାଠର ଅଭାବ ଘଟଣା ସମ୍ପସ୍ତଙ୍କୁ ଚକିତ କରିଛି । ତେବେ ପ୍ରଶାସନ ଏ ଦିଗରେ ହସ୍ତକ୍ଷେପ କରି ସ୍ଥାୟୀ ସମାଧାନ ଲାଗି ଦାବି ହୋଇଛି ।