କନକବ୍ୟୁରୋ : ବାଉଁଶ କରଡ଼ି କେବଳ ମାଲକାନଗିରି ନୁହେଁ .. କଳାହାଣ୍ଡିରୁ ସୁନ୍ଦରଗଡ଼ ,  ସମ୍ବଲପୁରରୁ ବାଲେଶ୍ବର ସବୁଠି ଏହାର ଚାହିଦା ରହିଛି ।  ଏ ହେଉଛି ଉପାନ୍ତ ମାଲକାନଗିରି ଜିଲ୍ଲାର ଦୈନିକ ବଜାରର ଚିତ୍ର । ବଜାରର ଭିନ୍ନ ଭିନ୍ନ ସ୍ଥାନରେ ବିକ୍ରୀ ହୋଉଛି ଜଂଗଲଜାତ ବାଉଁଶ କରଡି  ।  ପାଖ ଆଖ ଗାଁର ଆଦିବାସୀ ମହିଳା ମାନେ ଘଂଚ ଜଙ୍ଗଲରୁ ବାଉଁଶ କରଡି ତୋଳି ବିକ୍ରୀ କରନ୍ତି ।  ବର୍ଷା ଦିନେ ଭୁଇଁରୁ ବାହାରୁ ଥିବା କଅଁଳା ବାଉଁଶ ଗଜାକୁ ବାଉଁଶ କରଡି କୁହାଯାଏ ।  

Advertisment

ଏହାର ଉପର ପରସ୍ତକୁ ଛଡେଇ ବାଉଁଶ କରଡିର ବିଡା ପ୍ରସ୍ତୁତ କରି ବଜାରକୁ ଆଣନ୍ତି ମହିଳା । କିଏ  ବିଡ଼ା ପ୍ରତି ୫୦ ଟଙ୍କାରେ ବିକ୍ରି କରନ୍ତି  ।  ପୁଣି କିଏ କରଡ଼ିକୁ କାଟି ଭାଗ ଅନୁସାରେ ୨୦ ଟଙ୍କାରେ ବିକ୍ରି କରନ୍ତି । ଶ୍ରାବଣ ମାସରେ  ଶାକାହାରୀଙ୍କ ପ୍ରଥମ ପସନ୍ଦ ପାଲଟିଥାଏ ବାଉଁଶ କରଡ଼ି ।  

ମାଲକାନଗିରି ସହର ଉପକଣ୍ଠରେ ବସବାସ କରୁଥିବା ସନମତି ମାଝୀ ପାଖ ଗୋଇ ପାହାଡରୁ କରଡି ସଂଗ୍ରହ କରି ବଜାରକୁ ଆଣି ବିଡା ବାନ୍ଧି ବିକ୍ରୀ କରନ୍ତି  ।  ପ୍ରତି ଦିନ ୧୫ ରୁ ୨୦ ବିଡା କରଡି ବିକ୍ରୀ କରି ୩୦୦ ରୁ ୫୦୦ ଟଙ୍କା ରୋଜଗାର କରି ଘର ପାଇଁ ପନିପରିବା କିଣନ୍ତି ।

 ସେହିପରି ଫୁଲମତି ମାଝୀ ପୁର୍ବରୁ ବିପୁଳ ପରିମାଣରେ କରଡି ବିକ୍ରୀ କରୁଥିଲେ। ତେବେ ବନ କର୍ମଚାରୀ ବାଉଁଶ କରଡି ତୋଳିବା ଉପରେ କଟକଣା ଲଗାଇବା ସହ ତଣ୍ଡ ଆଦାୟ କରୁଥିବାରୁ କରଡି ସଂଗ୍ରହ କମିଥିବା କହିଛନ୍ତି ଫୁଲମତି ମାଝୀ । 


ଏସିଆ ମହାଦେଶର ବସବାସ କରୁଥିବା ବନବାସୀ ମାନେ ବାଉଁଶ କରଡିକୁ  ଏକ ପ୍ରମୁଖ ଖାଦ୍ୟ ଭାବେ ବ୍ୟବହାର କରନ୍ତି । ବିଶେଷ କରି ବାଉଁଶ କରଡ଼ିରେ ବା ବାମ୍ବୁ ଶୁଟ୍‌ରେ ଅଧିକ ପରିମାଣରେ  ଫାଇବର, ଭିଟାମିନ, ପ୍ରୋଟିନ୍ ଓ ମିନେରାଲ ଥାଏ । କ୍ୟାଲୋରୀ ମାତ୍ରା କମ ରହିଥିବା ବେଳେ ଦେହ ପାଇଁ ଭାରି ଉପକାରୀ  ।  ବାଉଁଶ କରଡିରୁ ସୁପ୍, ଭଜା, ତରକାରୀ ସହ ଆଚାର ପ୍ରସ୍ତୁତ କରି ବର୍ଷ ତମାମ ବାଉଁଶ କରଡିର ମଜା ନିଅନ୍ତି ଲୋକ   ।