କନକ ବ୍ୟୁରୋ : ପାଣ୍ଡିଆନଙ୍କ ଶଳା ପରିଚୟ ଦେଇ ଠକେଇ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେଡି । ଦଳରୁ ବହିଷ୍କୃତ ହୋଇଛନ୍ତି ସସ୍ମିତା ମାଝୀ । ମାଥିଲି ବ୍ଲକ ଜୋନ-୩ ଜିଲ୍ଲା ପରିଷଦ ସଭ୍ୟ ସସ୍ମିତାଙ୍କ ବିରୋଧରେ ଆକ୍ସନ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ କରାଯାଇଥିଲା । ଯାହାପରେ ବିଜେଡି ପକ୍ଷରୁ ସସ୍ମିତାଙ୍କ ବିରୋଧରେ କାର୍ୟାନୁଷ୍ଠାନ ହୋଇଛି ।

ଇ-ସ୍କୁଟି ଯୋଗାଣ ନାଁରେ ଜଣେ ବ୍ୟବସାୟୀଙ୍କଠାରୁ ୨୬ ଲକ୍ଷ ଟଙ୍କା ଠକେଇ କରାଯାଇଥିଲା । ଘଟଣାରେ ନିଜକୁ ପାଣ୍ଡିଆନଙ୍କ ଶଳା ପରିଚୟ ଦେଇ ଠକାମୀର ବଡ ରାକେଟ ଚଲାଇଥିବା ରମେଶ ଚନ୍ଦ୍ର ରାଉତକୁ ପୁଲିସ ଗରିଫ କରିଛି । ଘଟଣାରେ ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ମାଝୀଙ୍କ ସହ ବିଜେଡି ନେତା ଜୀବନ ସାହୁ ଓ ବିଜେଡିର ବହୁ ଜନପ୍ରତିନିଧି ସାମିଲ ଥିବା ଜଣାପଡ଼ିଛି ।

ଚାକିରି ନାଁରେ ଠକାମୀର ଶିକାର ହୋଇ ଅନେକ ବ୍ୟକ୍ତି ଭୟରେ ଏତଲା ଦେଉ ନଥିବା ବେଳେ କ୍ୟାମେରା ଆଗରେ ମଧ୍ୟ ମୁହଁ ଖୋଲୁନାହାନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଏତେ ବଡ଼ ଠକେଇ ପାଇଁ ସସ୍ମିତାଙ୍କୁ କିଏ ଦେଇଥିଲା ଅଭୟ ବର ? ଦୁର୍ନୀତି ପଛରେ ଆଉ କିଏ କିଏ ସମ୍ପୃକ୍ତ ? କେବଳ ସସ୍ମିତାଙ୍କ ବିରୋଧରେ ଆକ୍ସନ ନେଇ ଚୁପ ରହିଯିବ ଦଳ ନାଁ ଏହା ପଛରେ ଥିବା ମାଷ୍ଟର ମାଇଣ୍ଡଙ୍କ ବିରୋଧରେ ମଧ୍ୟ ନିଆଯିବ ଆକ୍ସନ ? ସସ୍ମିତାଙ୍କ ସହ ତାଙ୍କ ସହଯୋଗୀ ଜୀବନ ସାହୁଙ୍କୁ ପଚରାଉଚରା କରାଗଲେ ଦୁର୍ନୀତି ପଛର ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ ।