କନକ ବ୍ୟୁରୋ : କେବେ ଉଡ଼ିବ ମାଲକାନଗିରିରୁ ବିମାନ ।  ମାଲକାନଗିରି ବିମାନ ବନ୍ଦର ଉଦ୍‌ଘାଟନକୁ ୨୦ ମାସ ବିତିଲାଣି । ତେବେ ସେଠାରୁ ବିମାନ ଉଡ଼ିବା ତ ଦୂରରେ ଥାଉ, ବରଂ ବାରମ୍ବାର ନାନା କେଳେଙ୍କାରୀର ଖବର ବିମାନ ବନ୍ଦର ନିର୍ମାଣର ମାନକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଶେଷ କରି ବାରମ୍ବାର ବିମାନ ବନ୍ଦର ପାଚେରି ଭୁଶୁଡ଼ିବା ଘଟଣା ପୂର୍ତ୍ତ ବିଭାଗର କାର୍ଯ୍ୟ ଶୈଳୀକୁ ନେଇ ସନ୍ଦେହ ସୃଷ୍ଟି କରିଛି । ଏସବୁ ଭିତରେ କେବେ ଆକାଶମାର୍ଗ ସହ ଯୋଡ଼ି ହବ୍‌ ମାଲକାନଗିରି ଜିଲ୍ଲା, ତାହାକୁ ହିଁ ଅପେକ୍ଷା ।

Advertisment

ବର୍ଷା ବିମାନ ବନ୍ଦର ୨୦ ମିଟର ପାଚେରିକୁ ମାଟିରେ ମିଶାଇଦେଇଛି । ପାଖାପାଖି ସାଢ଼େ ୪ କୋଟି ଟଙ୍କାରେ ବିମାନ ବନ୍ଦର କାନ୍ଥ ନିର୍ମାଣ କରିଥିଲା ପୂର୍ତ୍ତ ବିଭାଗ।  ବାରମ୍ବାର କାନ୍ଥ ଭୁଶୁଡ଼ିବାରୁ ଡିଜାଇନରେ ସଂଶୋଧନ କରି ପ୍ରାୟ ୧ କୋଟି ବିନିମୟରେ କାନ୍ଥର ଉଭୟ ପାଖରେ ଜ୍ୟାକେଟ୍ କଲମ୍ ନିର୍ମାଣ କରାଗଲା । ତଥାପି ବର୍ଷା ଧୋଇ ନେଉଛି ପାଚେରି । ବିମାନ ବନ୍ଦର ଲାଗି ଏମ୍‌ଭି ୧୦ ଗାଁର ୨ ଏକର ଜମି ଅଧିଗ୍ରହଣ କରିଥିଲା ପ୍ରଶାସନ । ବଳକା ୨ ଏକର ଯେଉଁ ଧାନ ଚାଷ ହୋଇଥିଲା ତାକୁ ଚାପି ଦେଇଛି ବିମାନ ବନ୍ଦରର ଦୁର୍ବଳ କାନ୍ଥ । 

ନିର୍ବାଚନକୁ ଆଖିରେ ରଖି ୨୦୨୪ ଜାନୁଆରିରେ ବିମାନ ବନ୍ଦର ଉଦ୍‌ଘାଟନ କରିଥିଲେ ପୂର୍ବ ସରକାର । ମାତ୍ର ମାଲକାନଗିରି ସହର ଉପକଣ୍ଠ ବାଟପାଲି ମୌଜାରେ ରହିଛି ୨୩୪ ଏକର ବିଶିଷ୍ଟ ବିମାନ ବନ୍ଦର । ଏଥିପାଇଁ ମାତ୍ର ୧୪ ମାସରେ ଖର୍ଚ୍ଚ ହୋଇଛି ୭୪ କୋଟି ଟଙ୍କା । ରିଫ୍ୟୁଲିଂ, ଅଗ୍ନି ନିରାପତ୍ତା, ସ୍ଥାୟୀ ବିଜୁଳି, ଏୟାର ଟ୍ରାଫିକ କଣ୍ଟ୍ରୋଲ ଟର୍ମିନାଲ, ସୁରକ୍ଷା ବ୍ୟବସ୍ଥା କିମ୍ବା ଡିଜିସିଏ ଅନୁମୋଦନ କଥା ତ’ ଦୂରରେ ଥାଉ । ବିମାନ ବନ୍ଦରକୁ ସ୍ଥାୟୀ ରାସ୍ତା ବି ନାହିଁ । ଅନ୍ୟପଟେ ସାଧାରଣ ଯାତ୍ରୀଙ୍କ ପାଇଁ ବିମାନ ଉଡ଼ାଣକୁ ନେଇ ଏଯାଏଁ ଅନିଶ୍ଚିତତା ଲାଗିରହିଛି । ପୂର୍ବରୁ ନିର୍ମାଣ ସମୟରେ କାନ୍ଥ ଭୁଶୁଡ଼ି ୨ ଶ୍ରମିକ ମୃତ୍ୟୁବରଣ କରିଥିଲେ । ପରବର୍ତ୍ତୀ ସମୟରେ ବି ଦୁଇ ଦୁଇ ଥର କାନ୍ଥ ଭୁଶୁଡ଼ିବା ପୂର୍ତ୍ତ ବିଭାଗ କେଳେଙ୍କାରୀକୁ ପଦାରେ ପକାଇଛି ।