କନକ ବ୍ୟୁରୋ: ମ୍ୟାଲେରିଆ...କାନକୁ ସାଧାରଣ ଶବ୍ଦ ଭଳି ଶୁଭୁଥିଲେ ମଧ୍ୟ ଏହା ବେଶ ମାରାତ୍ମକ ରୋଗ । ପ୍ରତିବର୍ଷ ବିଶ୍ୱବ୍ୟାପୀ ଏହି ରୋଗରେ ଚାଲିଯାଉଛି ଲକ୍ଷ ଲକ୍ଷ ଜୀବନ । ଆଫ୍ରିକୀୟ ଦେଶ ଗୁଡ଼ିକରେ ଏହାର ଭୟାବହତା ଶୀର୍ଷରେ ରହିଛି । ବିଶେଷକରି ଏଠାକାର ଶିଶୁମାନେ ଜନ୍ମରୁ ମ୍ୟାଲେରିଆ ସହ ଲଢ଼ିଥାଆନ୍ତି । କାରଣ ନବଜାତକଙ୍କ କ୍ଷେତ୍ରରେ ମ୍ୟାଲେରିଆକୁ ନେଇ ଏପର୍ଯ୍ୟନ୍ତ କୌଣସି ଚିକିତ୍ସା ସୁବିଧା ଉପଲବ୍ଧ ନଥିଲା । ତେବେ ସ୍ୱିଜରଲ୍ୟାଣ୍ଡର ଔଷଧ ଏବଂ ଚିକିତ୍ସା ଉପକରଣ ନିରୀକ୍ଷଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିକଶିତ ଏକ ଔଷଧ ଅନୁମୋଦିତ ହୋଇଛି । ଯାହା ଶିଶୁଙ୍କ କ୍ଷେତ୍ରରେ ମ୍ୟାଲେରିଆ ବିରୋଧୀ ଚିକିତ୍ସାକୁ ଆହୁରି ପ୍ରଭାବଶାଳୀ କରିବ । ନୋଭାର୍ଟିସ୍ ପକ୍ଷରୁ ପ୍ରସ୍ତୁତ କରାଯାଇଛି କୋର୍ଟେମ ବେବି ନାମକ ଔଷଧ, ଯାହା ମ୍ୟାଲେରିଆରେ ଆକ୍ରାନ୍ତ ନବଜାତକ ମାନଙ୍କ କ୍ଷେତ୍ରରେ ମହୌଷଧି ଭଳି କାର୍ଯ୍ୟ କରିବ ।
ଚିକିତ୍ସା ହେବ ସହଜ
ଖୁବଶୀଘ୍ର ବଜାରକୁ ଆସିବ ଔଷଧ
ବିଶ୍ୱରେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ମ୍ୟାଲେରିଆ । ଆଫ୍ରିକା ମହାଦେଶର ବୁର୍କିନା ଫାସୋ, ନାଇଜେରିଆ, ମୋଜାମ୍ବିକ, ଉଗାଣ୍ଡା ଭଳି ଆଫ୍ରିକୀୟ ଦେଶଗୁଡିକରେ ମ୍ୟାଲେରିଆରେ ୫ବର୍ଷରୁ କମ୍ ଶିଶୁମାନଙ୍କ ମୃତ୍ୟୁ ସଂଖ୍ୟା ୭୦% ଅଧିକ । ୨୦୨୩ ମସିହାରେ ବିଶ୍ୱରେ ୨୬କୋଟିରୁ ଅଧିକ ମ୍ୟାଲେରିଆ ମାମଲା ସାମ୍ନାକୁ ଆସିଥିଲା । ୫ବର୍ଷରୁ କମ୍ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ଥିଲା ପ୍ରାୟ ୪.୫ଲକ୍ଷ । ଏହି ଶ୍ରେଣୀରେ ଆଫ୍ରିକାରେ ସର୍ବାଧିକ ୯୫% ମୃତ୍ୟୁ ଘଟିଥିବା ନଜର ଆସିଛି ।
ଏପର୍ଯ୍ୟନ୍ତ ମ୍ୟାଲେରିଆରେ ଆକ୍ରାନ୍ତ ଶିଶୁମାନଙ୍କ ପାଇଁ ଚିକିତ୍ସା ଥିଲା କଠିନ । ବଡ଼ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଔଷଧକୁ ଶିଶୁଙ୍କ କ୍ଷେତ୍ରରେ ଭାଗକରି ଦିଆଯାଉଥିଲା । ଭୁଲ ଡୋଜ୍ ପାଇଁ ଅନେକ ସମୟରେ ଶିଶୁ ମାନଙ୍କ ଜୀବନ ମଧ୍ୟ ଚାଲିଯାଉଥିଲା । ତେବେ ନୂଆ କରି ଅନୁମୋଦନ ପାଇଥିବା କୋର୍ଟେମ ବେବି ମେଡିସିନ୍ ବଜାରକୁ ଆସିଲେ ମ୍ୟାଲେରିଆ ବିରୋଧୀ ଲଢେଇ ଆହୁରି ସଶକ୍ତ ହୋଇପାରିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ ରହିଛି ।