କନକ ବ୍ୟୁରୋ : କେନ୍ଦୁଝରରେ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି ମକର ପର୍ବ । ଆଦିବାସୀ ବହୁଳ ଜିଲ୍ଲା ରେ ଗଣପର୍ବ ରୂପରେ ପାଳିତ ହୋଇଥାଏ ମକର ପର୍ବ। ଚମ୍ପୁଆ ବ୍ଲକ କେଶରୀ କୁଣ୍ଡରେ ଲକ୍ଷିଧିକ ଶ୍ରଦ୍ଧାଳୁ ସମାଗମ ହୋଇଛି। ବୈତରଣୀ ନଦୀ ସହିତ ନଦୀ ପଠାରେ ପଥର ଚଟାଣରେ ଥିବା କୁଣ୍ଡରେ ବୁଡ଼ ପକାଇ ନୂତନ ବସ୍ତ ପରିଧାନ କରି ପୀଠା-ପଣା ଖାଇ ମକର ପର୍ବରେ ଖୁସି ମନାଇଛନ୍ତି ସମସ୍ତେ। ପଡୋଶୀ ଜିଲ୍ଲା ସମେତ ଝାରଖଣ୍ଡ ରାଜ୍ୟରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ କେଶରୀ କୁଣ୍ଡରେ ବୁଡ଼ ପକାଇଛନ୍ତି। ମକର ପର୍ବ ଅବସରରେ ବୈତରଣୀ ନଦୀର କେଶରୀ କୁଣ୍ଡରେ ବୁଡ଼ ପକାଇଲେ ପାପ କ୍ଷୟର ବିଶ୍ୱାସ ରହିଛି। ଜନଶ୍ରୁତି ଅନୁସାରେ ତ୍ରେତୟା ଯୁଗରେ ରାମଚନ୍ଦ୍ର ବନବାସ ସମୟରେ ସୀତା ମାତା ଏହି କୁଣ୍ଡରେ ସ୍ନାନ କରିଥିଲେ। ତେଣୁ ଏହି କୁଣ୍ଡର ଏକ ସ୍ୱତନ୍ତ୍ରତା ରହିଛି। ମକର ବୁଡ଼ ପକାଇବା ସହ ଲୋକମାନେ ମେଳା ବୁଲି ବିଭିନ୍ନ ସାମଗ୍ରୀ କିଣିବାର ମଜା ନେଇଥାନ୍ତି। ମେଳା ୩ ଦିନ ଧରି ଚାଲେ। ମେଳାର ଆୟୋଜନ ତଥା ସୂପରି ଚାଳନା ପାଇଁ ସରେଇ ପଞ୍ଚାୟତ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।

Advertisment

ସେହିଭଳି ମକର ସଂକ୍ରାନ୍ତିରୁ ସୂର୍ୟ୍ୟଙ୍କ ଉତ୍ତରାୟଣ ଗତି। ଚଳଚଞ୍ଚଳ ଖୋର୍ଦ୍ଧାର ଅଟ୍ରି। ଏକାଦଶ ରୁଦ୍ର ହଟନାଥ ହଟକେଶ୍ୱରଙ୍କ ଦର୍ଶନ କରିବାକୁ ଦୂରଦୂରାନ୍ତରୁ ଛୁଟି ଆସିଛନ୍ତି ଭକ୍ତ। ଉଷ୍ମ ପ୍ରସବଣ ଅଟ୍ରିରେ ଶତାଧିକ ପର୍ୟ୍ୟଟକଙ୍କ ଗହଳି ଲାଗିଛି। ମକର ସଂକ୍ରାନ୍ତିରେ ଅଟ୍ରି କୁଣ୍ଡରେ ସ୍ନାନ କଲେ ଚର୍ମରୋଗ ଭଲ ବେହାର ବିଶ୍ୱାସ ରହିଛି। ହଟ୍ଟକେଶ୍ବରଙ୍କ ଠାରେ ସଂକଳ୍ପ କରି ମାନସିକ କୁଣ୍ଡରୁ ଗୁଆ ଖୋଜି ପାଇଲେ ସାନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ମାନିଥାନ୍ତି ମାନସିକଧାରୀ। ସୋମ‌ବାର ସନ୍ଧ୍ୟା ଠାରୁ ମାନସିକଧାରୀ ମହିଳାମାନେ ପରିବାର ସହ ମନ୍ଦିରରେ ପହଂଚିଥିଲେ। ଯାତ୍ରୀ ବିଶ୍ରାମଗାରରେ ରହିଥିଲେ। ବଡି ଭୋଗରୁ ଗାଧୁଆପାଧୁଆ କରି ହଟକେଶ୍ୱରଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତି। ଏହାପରେ ମାନସିକଧାରୀ ମାନସିକ କୁଣ୍ଡରୁ ଗୁଆ ଖୋଜିଥାନ୍ତି।

ଅନ୍ୟପଟେ  ଚିଲିକାରେ ଜମୁଛି ଅଧିଷ୍ଠାତ୍ରୀ ଦେବୀ ମା କାଲିଯାଇଙ୍କ ମକର ମେଳା। ବାଲୁଗାଁ ଓ ବଡ଼କୁଳ ଚିଲିକା କୂଳରୁ ଲକ୍ଷାଧିକ ଭକ୍ତମାନେ ଲଞ୍ଚ ଓ ଡଙ୍ଗା  ମାଧ୍ୟମରେ ଜଳଯାତ୍ରା କରି ମାଆ ପାଖରେ ପହଁଚିଥିଲେ। ପାରିକୁଦ ଗଡ଼ର ଆରଧ୍ୟାଦେବୀ ମା କାଲିଜାଇଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପାଇଁ ପାରିକୁଦ ଗଡ଼ର ରାଜା ସନ୍ତୋଷ କୁମାର ମର୍ଦ୍ୱରାଜ ମାନସିଂହ ଦେବ ମାଆଙ୍କ ପୀଠରେ ପହଞ୍ଚିଥାନ୍ତି। ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଜଳପଥରେ ରାପିଡି ଆକ୍ସନ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ବାଲୁଗାଁ ଚିଲିକା କୂଳ ଓ ପାନ୍ଥନିବାସରେ ବାଲୁଗାଁ ଥାନା ପକ୍ଷରୁ ପୁଲିସ ମୁତୟନ କରାଯାଇଛି। ଚଳିତବର୍ଷ ପାଣିପାଗ ସଠିକ ଥିବାରୁ ଭକ୍ତଙ୍କ ସଂଖ୍ୟା ବଢ଼ିବ ବୋଲି ଆଶା ରଖିଛି ପୂଜା କମିଟି।

ସେପଟେ  କଟକ ସାଲେପୁର ବ୍ଳକ ବଟେଶ୍ୱର ସ୍ଥିତ ମା ଭଗବତୀଙ୍କ ପିଠ ମକର ପାଇଁ ଉତ୍ସବମୁଖର। କାହିଁ କେଉଁ କାଳରୁ ମାଆଙ୍କ ପୀଠରେ ମକର ମହୋତ୍ସବ ପାଳନ ହୋଇଆସୁଛି। ମାଆଙ୍କ ଆଜି ବିଭିନ୍ନ ବେଶ କରାଯାଇଥାଏ। ଭକ୍ତ ମାଙ୍କୁ ନୂଆ ଧାନ ଚାଉଳ ଦେଇ ଭୋଗ ଲାଗି କରାଯାଇଛି। ପବିତ୍ର ଚିତ୍ରୋତ୍ପଳା ନଦୀରେ ବୁଡ଼ ପକାଇ ମାଆଙ୍କ ଦର୍ଶନ କଲେ ୧୦୦ ବର୍ଷର ପାପ କ୍ଷୟ ହେବାର ବିଶ୍ବାସ ରହିଛି । ଏହି ଆସ୍ଥାକୁ ନେଇ ଆଜି ହଜାରହଜାର ଭକ୍ତ ଓ ଶ୍ରଦ୍ଧାଳୁ ଚିତ୍ରତୋଳା ନଦୀରେ ବୁଡ଼ ପକାଇଛନ୍ତି । ଏହାସହ ବିବାହ ବ୍ରତଘରର ମୁକୁଟ ଭସାଉ ଥିବାର ଦୃଶ୍ୟ ଦେଖିବାକୁ ମିଳେ।